ଦେଶବ୍ୟାପୀ କଂଗ୍ରେସ ପାଳିଲା କଳା ଦିବସ

ଭୁବନେଶ୍ୱର () ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ବିମୁଦ୍ରିକରଣ କରିବାର ୨ ବର୍ଷ ପୂର୍ତି ଉପଲକ୍ଷେ  କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ କଳା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଆରବିଆଇ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହ କଂଗ୍ରେସ କର୍ମକର୍ତାମାନେ କଳା ବ୍ୟାଚ୍ ପିନ୍ଧି ଧାରଣାରେ ବସି ରହିଥିଲେ । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ ଏହା ଅଚ୍ଛେଦିନ୍ ନୁହେଁ । ଖରାପ୍ ଦିନ ଆସିଗଲା । ଦ୍ରୁତ ଗତିରେ ଦେଶ ଅବନତି ଆଡକୁ ଗତି କରୁଛି ।
ଶ୍ରୀକାନ୍ତ ଜେନା କହିଥିଲେ ଯେ ମୋଦି ତାଙ୍କ ପାଗଳାମୀ ପାଇଁ କ୍ଷମା ମାଗିବା ଦରକାର । ବିମୁଦ୍ରୀକରଣ ଯୋଗୁଁ ଗରିବ ଲୋକେ ବର୍ଷ ବର୍ଷ ଧରି ସଂଚିଥିବା ଧନ ହରାଇଛନ୍ତି । ବଡ ବଡ ଶିଳ୍ପପତି ଙ୍କୁ ସୁବିଧା ଦେବା ପାଇଁ ବିମୁଦ୍ରୀକରଣ ନିଷ୍ପତି ନିଆଯାଇଥିଲା । ଯେତିକି ନୋଟ୍ ଅକାମୀ ହୋଇଥିଲା ସବୁ ଫେରିଲା କି ବୋଲି  ଜେନା ପ୍ରଶ୍ନ କରିଛନ୍ତି ।
ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଗୁରୁତର ତ୍ରୁଟିପୂର୍ଣ୍ଣ ବିମୁଦ୍ରାକରଣର ଦୁଇବର୍ଷ ପୂରଣ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ଥାନୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଏଆଇସିସି ସଂପାଦକ ଶରତ ରାଉତ, ପିସିସିର ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠୀ ପ୍ରମୁଖ ଯୋଗଦେଇ କହିଥିଲେ, ପ୍ରଧାନମନ୍ତ୍ରୀ କଳାଟଙ୍କା କାରବାର ବନ୍ଦ କରିବା ଏବଂ ଦେଶରେ ଜାଲନୋଟ ପ୍ରଚଳନକୁ ରୋକିବା ସକାଶେ ୨୦୧୬ ଏହି ଦିନରେ ରାତି ଅଧିରେ ନିଷ୍ପତି ନେଇ ସେତେବେଳେ ପ୍ରଚଳିତ ଥିବା ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅକାମି କରିଦେଲେ ।
ମୋଦିଙ୍କର ଏଭଳି ତରବରିଆ ଏବଂ ରାତିଅଧିଆ ତୋଗଲକି ନିଷ୍ପତି ଯୋଗୁଁ ଦେଶର ୧୨୫ କୋଟି ଲୋକ ନଗଦ ମୁଦ୍ରା ପାଇଁ ରାଜରାସ୍ତାରେ ଘଂଟାଘଂଟା ଛିଡା ହୋଇରହିଲେ । ଏହାଦ୍ୱାରା ଦେଶରେ ଏକପ୍ରକ।।ର ଆର୍ଥିକ ଜରୁରୀ ପରିସ୍ଥିତି ଜାରି କରିଦିଆଗଲା । ବ୍ୟାଙ୍କ ଶାଖାଗୁଡିକରେ ଭୀଷଣ ଭିଡ ଏବଂ ଖରାରେ ଛିଡାହୋଇ କିଛି ଲୋକଙ୍କର ମୃତ୍ୟୁ ଘଟିଲା । ଲୋକେ ନିଜ କାମଧନ୍ଦା ଛାଡି ଟଙ୍କା ଉଠାଇବାକୁ ଦିନଦିନ ବିତାଇଲେ । ହେଲେ ଅଚଳ କରାଯାଇଥିବା ଟଙ୍କାର ୯୯.୩ ପ୍ରତିଶତ ରିଜର୍ଭ ବ୍ୟାଙ୍କ ନିକଟକୁ ଫେରିଆସିଲା । ମୋଦି ଦାବି କରୁଥିବା କଳା ଟଙ୍କା କୁଆଡେ ଗଲା ବୋଲି କଂଗ୍ରେସ ନେତୃବୃନ୍ଦ ପ୍ରଶ୍ନ କରିଥିଲେ । ନୋଟବନ୍ଦି କରାଯିବାର ମାସକ ମଧ୍ୟରେ ବଜାରରେ ୨୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ର ଜାଲନୋଟ ମିଳିଲା । ଛଅମାସ ମଧ୍ୟରେ ବିଦେଶରେ ୭ ହଜାର କୋଟି ଟଙ୍କା ଜମା ହେଲା, ଯାହା କଳାଟଙ୍କା ବୋଲି ସୂଚନା ମିଳିଲା । ପ୍ରଧାନମନ୍ତ୍ରୀଙ୍କର ଏଭଳି ନିଷ୍ପତିକୁ ଦେଶ ବିଦେଶରେ ବହୁ ବିଶିଷ୍ଟ ଅର୍ଥନୀତିଜ୍ଞ ନିନ୍ଦାକଲେ । କିନ୍ତୁ ବିଜେପି ଏବଂ ମୋଦି ତାହା ଠିକ୍ ବୋଲି ଦର୍ଶାଇ ପ୍ରଶଂସା ଗୋଟାଇବାର ବୃଥା ପ୍ରୟାସ କଲେ ।
ଅନ୍ୟପକ୍ଷରେ ମୋଦିଙ୍କର ଏଭଳି ନିଷ୍ପତି କାରଣରୁ ଦେଶରେ ବହୁ ଲୋକ ନିଜର କାମଧନ୍ଦା ହରାଇଲେ ଏବଂ ବହୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ତାଲା ଝୁଲିଲା । ମୋଦି ନିଜର ଏଭଳି ଏକଚାଟିଆ ଏବଂ ତ୍ରୁଟିପୂର୍ଣ୍ଣ ନିଷ୍ପତି ପାଇଁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ କଂଗ୍ରେସ ନେତୃବୃନ୍ଦ ଦାବି କରିଥିଲେ । ମୋଦିଙ୍କର ଏଭଳି ନିଷ୍ପତିକୁ ସେତେବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ ଜଣାଇଥିଲେ । ଏଥିରୁ ବିଜେପି ଏବଂ ବିଜେଡି ପରସ୍ପର ନିଷ୍ପତିକୁ ସମର୍ଥନ ଜଣାଉଥିବା ଏବଂ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ କହିବା ସହିତ ମୋଦି ଓ ନବୀନଙ୍କୁ ସମାଲୋଚନା କରିଥିଲେ ।
Share

Leave a Reply

Your email address will not be published. Required fields are marked *

three + six =