ମୋଦି ମ୍ୟାଜିକକୁ ଔଦ୍ଧତ୍ୟ ଆକଳନ ବୋଲି କହିଲେ ବୈଜୟନ୍ତ

ଭୁବନେଶ୍ବର () ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବିଜେପି ଯିବାର ବାଟ ବନ୍ଦ । ସେ ଆଉ ବିଜେପିରେ ଯୋଗ ଦେଇପାରିବେ ନାହିଁ । ବୋଧହୁଏ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଉ ନିଜ ଟିମରେ ନେବାକୁ ଚାହୁଁନାହାନ୍ତି । ଏ ସଙ୍କେତ ବୈଜୟନ୍ତ ପାଇସାରିଲେଣି । ଆଜି ଏକ ଜାତୀୟ ଗଣମାଧ୍ୟମର ଏକ ସର୍ଭେ ରିପୋର୍ଟ ଉପରେ ଟ୍ବିଟରରେ ରଖିଥିବା ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ସୂଚନା ମିଳୁଛି ।

ଏକ ଜାତୀୟ ଗଣମାଧ୍ୟମ ସି-ଭୋଟର କରିଥିବା ସର୍ଭେ ଅନୁଯାୟୀ ଆସନ୍ତା 2019 ନିର୍ବାଚନରେ ବିଜେପି 15ଟି ଲୋକସଭା ଆସନ ଜିତିବ । ବିଜେଡି 6ଟି ଲୋକସଭା ଆସନ ପାଇଁ ଦ୍ବିତୀୟ ସ୍ଥାନକୁ ଖସିଯିବ । ସି-ଭୋଟର କରିଥିବା “ଦେଶକା ମୁଡ” ସର୍ଭେରେ ଏହି ତଥ୍ୟ ଆସିଛି । ଏହି ରିପୋର୍ଟ ଉପରେ ବୈଜୟନ୍ତ ଟ୍ବିଟ କରିଛନ୍ତି ।

ବୈଜୟନ୍ତ ନିଜ ଟ୍ବିଟରରେ ଏଭଳି ଆକଳନକୁ “ଔଦ୍ଧତ୍ୟ” ବୋଲି ଦର୍ଶାଇଛନ୍ତି । ଏଥିସହିତ ସେ କହିଛନ୍ତି ଯେ, ଯଦିଓ ଏଭଳି ରାଜନୈତିକ ସ୍ଥିତିର ସମ୍ଭାବନା ରହିଛି, ଅଟୋ ପାଇଲଟ ମୋଡରେ କିନ୍ତୁ ଏହା ହୋଇପାରିବ ନାହିଁ । ବର୍ତ୍ତମାନର ନେତୃତ୍ବାଧୀନକୁ ଚ୍ୟାଲେଂଜ କରୁଥିବା ବ୍ୟକ୍ତିର ସେତିକିବଡ ପାକସ୍ଥିଳୀ ରହିବା ଆବଶ୍ୟକ । କେବଳ ଓଡିଶାରେ ଅପରାଧ ଓ ଦୁର୍ନୀତି ମୁକ୍ତ ବୋଲି କହିଦେଲେ ହେବନି । ଏନେଇ କାମ ମଧ୍ୟ କରିବାକୁ ପଡିବ ।

ବୈଜୟନ୍ତ ଏହି କ୍ଷୁଦ୍ର କିନ୍ତୁ ମରମଭେଦୀ ଟ୍ବିଟଟି ବିଜେଡି ଶିବିର ଆଡେ ଉଦ୍ଦିଷ୍ଟ ଭଳି ଲାଗୁ ନାହିଁ । ବରଂ ଏହି ତିନି ଧାଡିଆ ଟ୍ବିଟଟି ବିଜେପି ନେତାଙ୍କ ଅସ୍ତିମଜ୍ଜାକୁ ତତେଇ ଦେଇଛି । ବିଜେଡି ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ବିଜେଡିରୁ ବିତାଡିତ ହୋଇଥିବା ବୈଜୟନ୍ତ ପଣ୍ଡା ଗତ କିଛି ମାସ ହେଲା ବିଜେପି ମାୟାରେ ବାୟା ହୋଇଥିଲେ । ଏବେ କିନ୍ତୁ ଲାଗୁଛି ବୋଧହୁଏ ସେ ପଦ୍ମ ଫୁଲର ଦିବା ସ୍ବପ୍ନରୁ ବାହାରି ଆସି ପ୍ରକୃତିସ୍ଥ ହୋଇଛନ୍ତି ।

ବିଜେଡିରୁ ବାହାରିବା ପରେ ବୈଜୟନ୍ତ ଗତ ପ୍ରାୟ 3-4 ମାସ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ସେଠାରେ ଚାଏ ଖଟିର ଆୟୋଜନ କରି ଭୋଟରଙ୍କ ନାଡି ମାପୁଥିଲେ । ଆଉ ଏହାଦ୍ବାରା ସେ ଭୋଟରଙ୍କ ମୁଡକୁ ବୋଧହୁଏ ଭଲଭାବେ ବୁଝିସାରିଲେଣି । ଆଉ ଏକଥା ବି ବୁଝିଗଲେଣି ଯେ, ଏଭଳିସ୍ଥିତିରେ ବିଜେପିରେ ଯୋଗ ଦେଇ ନିଜର  ରାଜନୈତିକ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ହିଁ ସାର ହେବ । ତେଣୁ ସେ ସିଧାଳଖ ଭାବେ ରାଜ୍ୟରେ ବିଜେପି ଆସନ୍ତା ନିର୍ବାଚନରେ 15ଟି ଲୋକସଭା ଆସନ ଜିତିବ ବୋଲି ହୋଇଥିବା ସର୍ଭେ ଆକଳନକୁ ଗ୍ରହଣ କରିପାରୁନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

1 × 5 =