ସ୍ଥାନୀୟ ଉତ୍ପାଦନକାରୀଙ୍କ ସଶକ୍ତୀକରଣ ପାଇଁ ଟିପିସିଓଡିଏଲ୍‌ର ଅଭିନବ ପଦକ୍ଷେପ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ସ୍ଥାନୀୟ ଉତ୍ପାଦନକାରୀଙ୍କୁ ସଶକ୍ତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ଥାନୀୟ ନିର୍ମାତାମାନଙ୍କ ସହ ଯୋଡ଼ିହେବା ଲାଗି ନିୟମିତ ଭାବେ ବ୍ୟବସାୟ ସମ୍ମିଳନୀ, କାରଖାନା ପରିଦର୍ଶନ ଏବଂ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ପରୀକ୍ଷାମୂଳକ ବରାଦ ପ୍ରଦାନ ଜରିଆରେ ସେମାନଙ୍କୁ ପୁଞ୍ଜି ବ୍ୟୟ ଯୋଜନାରେ ସାମିଲ କରାଯାଉଛି ଏବଂ ଉତ୍ପାଦନରେ ଗୁଣାତ୍ମକ ବ୍ୟବସ୍ଥା ଓ ଅନ୍ୟାନ୍ୟ ଦିଗକୁ ସଂଗଠିତ କରିବା ଲାଗି ସେମାନଙ୍କୁ ସହଯୋଗ ପ୍ରଦାନ କରାଯାଉଛି । ନୂତନ ସ୍ଥାନୀୟ ଉତ୍ପାଦନକାରୀଙ୍କ ବିକାଶ ଲକ୍ଷ୍ୟ ନେଇ ଟିପିସିଓଡିଏଲ୍ ପକ୍ଷରୁ ଶ୍ରୀମତୀ ସୁବ୍ରତା ନାୟକ ନାମକ ଜଣେ ମହିଳା ଉଦ୍ୟୋଗୀଙ୍କ ନେତୃତ୍ୱରେ ପରିଚାଳିତ ମେମର୍ସ ଟେକ୍ନୋଟ୍ରାନ୍ସ ଇଲେକ୍ଟ୍ରିକ୍ ଆଣ୍ଡ୍ ଇଞ୍ଜିନିୟରିଂ ସର୍ଭିସେସ୍‌ର ଏକ ନୂଆ ଇନଷ୍ଟ୍ରୁମେଂଟ୍ ଟ୍ରାନ୍ସଫରମର (ସିଟି ଓ ପିଟି) ଉତ୍ପାଦନ କାରଖାନା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ।
ଇନଷ୍ଟ୍ରୁୂମେଂଟ୍ ଟ୍ରାନ୍ସଫରମରଗୁଡ଼ିକ ହେଉଛି ଅତି ସଠିକତା ଶ୍ରେଣୀର ବିଦ୍ୟୁତ ଉପକରଣ, ଯାହାକୁ ଭୋଲ୍‌ଟେଜ୍ କିମ୍ବା ବିଦ୍ୟୁତ ସ୍ତରକୁ ଅଲଗା କରିବା କିମ୍ବା ଟାନ୍ସଫର୍ମ କରିବା ଲାଗି ବ୍ୟବହାର କରାଯାଇଥାଏ । ଏହି କରେଂଟ୍ ଓ ପୋଟେନ୍ସିଆଲ ଟ୍ରାନ୍ସଫରମର (ସିଟି ଓ ପିଟି) ଗୁଡ଼ିକୁ ମିଟରିଂ ଓ ସେନ୍‌ସିଂ ଉଦ୍ଦେଶ୍ୟରେ ବିଦ୍ୟୁତ କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହାର କରାଯାଉଛି । ପୂର୍ବ ଭାରତରେ ପ୍ରମୁଖ ସିଟି/ପିଟି ନିର୍ମାତାଙ୍କ ଅଭାବ ରହିଛି ।
୨୦୨୧ରେ ମେସର୍ସ ଟେକ୍ନୋଟ୍ରାନ୍ସ ଇଲେକ୍ଟ୍ରିକ୍ ଆଣ୍ଡ୍ ଇଞ୍ଜିନିୟରିଂ ସର୍ଭିସେସ୍ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା । ଏହା ପରଠାରୁ ସେମାନେ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକଠାରୁ ବିଭିନ୍ନ ଆର୍‌ଆଣ୍ଡ୍‌ଡି ତଥ୍ୟ ପାଉଛନ୍ତି । ୩୩ କେଭି ଗ୍ରେଡ୍ ପର୍ଯ୍ୟନ୍ତ ସିଟି ଓ ପିଟିର ବହୁ ପରୀକ୍ଷାମୂଳକ ବରାଦ ଦେଇ ଟିପି ଓଡ଼ିଶା ଡିସକମ୍‌ଗୁଡ଼ିକ କଂପାନିକୁ ସହଯୋଗ ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କ ପରିଚାଳନା, ନିରାପତା, ଗୁଣାତ୍‌ମକ ମାନ ଏବଂ ସମୟୋପଯୋଗୀ ଡେଲିଭରିକୁ ନିୟମିତ ଭାବେ ନିରୀକ୍ଷଣ କରୁଛନ୍ତି । ଏହି କାରଖାନାର ମାସିକ ଉତ୍ପାଦନ କ୍ଷମତା ଏବେ ୨୦୦ ସିଟି ଓ ପିଟିରେ ପହଂଚିଛି ଏବଂ ନିରନ୍ତର ଭାବେ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକର ଆବଶ୍ୟକତାକୁ ତାହା ପୂରଣ କରୁଛି ।
ମିଟରିଂ ୟୁନିଟ୍ (ସିଟି-ପିଟି ୟୁନିଟ୍‌ର ମିଶ୍ରଣ) ଉତ୍ପାଦନ ଆରମ୍ଭ କରିବା ଲାଗି ମେସର୍ସ ଟେକ୍ନୋଟ୍ରାନ୍ସ ଓ ଟିପିସିଓଡିଏଲ୍ ମଧ୍ୟରେ ଏକ ବର୍ଷୀୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ସିଟି/ପିଟି ଉତ୍ପାଦନ ଲାଗି ଆବଶ୍ୟକ ସ୍ୱତନ୍ତ୍ର ସ୍ତାନୀୟ ଶ୍ରମ ଶକ୍ତି ବିକାଶ କରିବା କାର୍ଯ୍ୟକୁ ମେସର୍ସ ଟେକ୍ନୋଟ୍ରାନ୍ସ ଆରମ୍ଭ କରିଛି । ଏହି ସଂସ୍ଥା ଏବେ ୧୨ ସ୍ଥାନୀୟ ପରିବାରକୁ ରୋଜଗାର ପ୍ରଦାନ କରିଛି । ଦୀର୍ଘକାଳୀନଭିତିରେ ତାହା ଟିପିସିଓଡିଏଲ୍ ଏବଂ ଅନ୍ୟ ଓଡ଼ିଶା ଡିସକମ୍‌ଗୁଡ଼ିକର ନେଟ୍‌ୱର୍କ ସମ୍ପ୍ରସାରଣରେ ପ୍ରମୁଖ ଭୂମିକା ତୁଲାଇବ ।

Share

Leave a Reply

Your email address will not be published. Required fields are marked *

9 + 17 =