ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ୯ମ ପାନ୍‌-ଆଇଆଇଏମ୍ ବିଶ୍ୱ ମ୍ୟାନେଜମେଂଟ୍ ସମ୍ମିଳନୀ ଆୟୋଜନ କରାଯିବ

ରବିବାର ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ
ଆଂଚଳିକ ଭାଷାରେ ଗବେଷଣା ସନ୍ଦର୍ଭ ଉନ୍ମୋଚନ ହେବ
ଯୋଗ ଦେବେ ବହୁ ସିଇଓ, ଶିକ୍ଷାବିତ୍ ଓ ଶିଳ୍ପ ବିଶେଷଜ୍ଞ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ପ୍ରିମିୟମ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଚାରି ଦିନିଆ ନବମ ପାନ୍ ଆଇଆଇଏମ୍ ବିଶ୍ୱ ମ୍ୟାନେଜମେଂଟ୍ ସମ୍ମିଳନୀ (ଡବ୍ଲୁଏମସି)କୁ ୨୦୨୪ ଜାନୁଆରି ୨୧ ରବିବାରୁ ଜାନୁଆରି ୨୪ ବୁଧବାର ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି \”ଅନ୍ତର୍ଭୁକ୍ତ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ଉଦ୍ୟୋଗୀ ଉଦ୍ଭାବନ ଏବଂ ଡିଜିଟାଲ ଶାସନ’ ଏବଂ ଏଥିରେ ସମସ୍ତ ୨୧ଟି ଆଇଆଇଏମର ନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀରେ ଭାରତ ତଥା ବିଶ୍ୱର ସମସ୍ତ ଆଇଆଇଏମ, ଆଇଆଇଟି, ଏନଆଇଟି ଏବଂ ଅନ୍ୟ ପ୍ରିମିୟମ୍ ମ୍ୟାନେଜମେଂଟ୍ ପ୍ରତିଷ୍ଠାନର ପ୍ରତିଯୋଗୀମାନେ ମଧ୍ୟ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀରେ ପାଖାପାଖି ୧୦୦୦ ଗବେଷଣା ସନ୍ଦର୍ଭ ଉପସ୍ଥାପନ କରାଯିବ ।
ଜାନୁଆରି ୨୧ ରବିବାର ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବା ସହ ଡେଲୋଇଟ୍ ସାଉଥ୍ ଏସିଆର ସିଇଓ ରୋମାଲ ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ନବମ ପାନ୍ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଭାରତ ତଥା ବିଶ୍ୱର ମେଧାବୀ ମାନଙ୍କୁ ହାଇବ୍ରିଡ୍ ମୋଡ୍‌ରେ ଏକାଠି କରିବା ଏବଂ ପରିଚାଳନା ଚିନ୍ତାଧାରା ଓ ଅଭ୍ୟାସର ଭବିଷ୍ୟତ କାର୍ଯ୍ୟପନ୍ଥା ଅନୁସନ୍ଧାନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା । ଏନଇପି ଗାଇଡଲାଇନକୁ ଅନୁସରଣ କରି ଆଇଆଇଏମ ସମ୍ବଲପୁର ଆଂଚଳିକ ଭାଷାରେ ଗବେଷଣା ପତ୍ର ଉପସ୍ଥାପନାକୁ ଚଳିତ ବର୍ଷ ସମ୍ମିଳନୀରେ ଅନ୍ତର୍ଭୁକ୍ତ କରିବାକୁ ଆଇଆଇଏମ୍ ସମ୍ବଲପୁର ଘୋଷଣା କରିଛି ।’’
ଚାରି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଆଇଆଇଏମ୍ ନିର୍ଦ୍ଦେଶକ ପ୍ୟାନେଲ, ସିଇଓ ପ୍ୟାନେଲ, ସିଏଚଓ ପ୍ୟାନେଲ, ଷ୍ଟାର୍ଟଅପ୍ ରାଉଣ୍ଡ ଟେବୁଲ ଆଲୋଚନା, ମାନ୍ୟତା ପ୍ୟାନେଲ, ସମ୍ପାଦକମାନଙ୍କ ସହ ଆଲୋଚନା ଏବଂ ଗବେଷଣା ପତ୍ର ଉପସ୍ଥାପନା ଅନୁଷ୍ଠିତ ହେବ । ଡକ୍ଟରେଟ୍ କନସୋର୍ଟିୟମ ୨୦୨୪ ଜାନୁଆରୀ ୨୧ରେ ରହିଛି ଯାହା ଉଦୀୟମାନ ପଣ୍ଡିତ ଏବଂ ଡକ୍ଟରେଟ୍ ପ୍ରାର୍ଥୀଙ୍କ ପାଇଁ ଏକ ଅମୂଲ୍ୟ ପ୍ଲାଟଫର୍ମ ସାବ୍ୟସ୍ତ ହେବ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର (ଡ. ) ଟି ଜି ସୀତାରାମ ଯୋଗଦେଇ ସମାପନୀ ଭାଷଣ ଓ ଶ୍ରେଷ୍ଠ ସନ୍ଦର୍ଭ ପୁରସ୍କାର ପ୍ରଦାନ କରିବେ ।

Share

Leave a Reply

Your email address will not be published. Required fields are marked *

fifteen + 10 =