ପୂର୍ବ ଭାରତର ‘ଗ୍ରୀନ୍ ଇଣ୍ଡଷ୍ଟ୍ରିଆଲ୍ ହବ୍’ ଭାବେ ଉଭା ହେଉଛି ଟାଟା ଷ୍ଟିଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ର ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କ
ଭୁବନେଶ୍ୱର/ଗୋପାଳପୁର, ଅଗଷ୍ଟ ୨୦୨୬: ଟାଟା ଷ୍ଟିଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍) ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କ (ଜିଆଇପି)ରେ ସମ୍ପ୍ରତି ପ୍ରସ୍ତାବିତ ‘ଗ୍ରୀନ୍ ଆମୋନିଆ ପ୍ରକଳ୍ପ’ ସହିତ ଭାରତର ଅନ୍ୟତମ ଅଗ୍ରଣୀ ସବୁଜ ଶିଳ୍ପ ବିକାଶ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ମଜବୁତ କରିଛି। ଏହା ପୂର୍ବ ଭାରତରେ ସବୁଜ ଶକ୍ତି ଉପକରଣ ଏବଂ ଉନ୍ନତ ମାନର ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ହବ୍ ଭାବରେ ଉଭା ହୋଇଛି।
ରାଜ୍ୟରେ ସବୁଜ ଶକ୍ତିର ବିକାଶ ପାଇଁ ଓଡ଼ିଶା ସରକାର, ଜାପାନର ଆଇଏଚ୍ଆଇ କୋର୍ପୋରେସନ୍, ଏସିଏମ୍ଇ ଗ୍ରୁପ୍ ଏବଂ ଟିଏସ୍ଏସ୍ଇଜେଡ୍ଏଲ୍ ମଧ୍ୟରେ ଏକ ମେମୋରାଣ୍ଡମ ଅଫ୍ କୋ-ଅପରେସନ (ଏମ୍ଓସି) ସ୍ୱାକ୍ଷରିତ ହୋଇଛି। ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ବାର୍ଷିକ ୦.୪ ମିଲିୟନ ଟନ୍ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ଏବଂ ଜେଟି-ମୁକ୍ତ ଭାସମାନ ଟର୍ମିନାଲ୍ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ହୋଇଛି।
ଟିଏସ୍ଏସ୍ଇଜେଡ୍ଏଲର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ କହିଛନ୍ତି, “ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କକୁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗୀ ଶିଳ୍ପ କେନ୍ଦ୍ର ଭାବେ ଗଢ଼ିତୋଳିବାର ଆମର ଯେଉଁ ଲକ୍ଷ୍ୟ ଥିଲା, ତାହା ଆଜି ପୂରଣ ହେବାକୁ ଯାଉଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ଶିଳ୍ପ ପାର୍କକୁ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ପାଇଁ ହାତକୁ ନିଆଯାଇଥିବା ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଏହି ଲକ୍ଷ୍ୟ ହାସଲରେ ବିଶେଷ ସହାୟକ ହୋଇଛି। ସ୍ଥାୟୀ ଶିଳ୍ପ ଅଭିବୃଦ୍ଧିକୁ ସୁଦୃଢ କରିବା ପାଇଁ ଆମେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ଏକ ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ । ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନୀଗୁଡିକର ଏହି ବିଶ୍ୱାସ ନିବେଶ ବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଓଡ଼ିଶାକୁ ଦେଶର ସବୁଜ ଶିଳ୍ପର ଅଗ୍ରଣୀ ହବ୍ରେ ପରିଣତ କରିବାରେ ଟିଏସ୍ଏସ୍ଇଜେଡ୍ଏଲ୍ ର ଭୂମିକାକୁ ମଜବୁତ କରୁଛି।”
ପାର୍କର ନବୀକରଣ ଯୋଗ୍ୟ ଶକ୍ତି ଉପକରଣ ନିର୍ମାଣ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଟାଟା ଷ୍ଟିଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍ ଏବଂ ଟାଟା ପାୱାର ରିନ୍ୟୁଏବଲ୍ ଏନର୍ଜି ଲିମିଟେଡ୍ (ଟିପିଆରଇଏଲ୍) ମଧ୍ୟରେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ୧୦,୦୦୦ କୋଟିର ପ୍ରସ୍ତାବିତ ନିବେଶ ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ସୋଲାର ଇଙ୍ଗଟସ୍ ଏବଂ ୱେଫରସ୍ ଉତ୍ପାଦନକୁ ଗୁରୁତ୍ବ ଦେବ। ଏହା ନବସୃଜନ ମାଧ୍ୟମରେ ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସବୁଜ ଶକ୍ତି ଉପକରଣ ଉତ୍ପାଦନର ଏକ ପ୍ରମୁଖ ପୂର୍ବଭାରତୀୟ କେନ୍ଦ୍ର ଭାବେ ଗୋପାଳପୁରର ସ୍ଥିତିକୁ ଆହୁରି ମଜବୁତ କରିବ।
ନିକଟରେ ଭିତ୍ତିଭୂମି ଏବଂ ନବସୃଜନ କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କକୁ ‘ମାରିଟାଇମ୍ ଗେଟୱେ’ ପକ୍ଷରୁ ‘ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ୍ ପାର୍କ’ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ସ୍ମାର୍ଟ ଲଜିଷ୍ଟିକ୍ସ ସମିଟ୍ ଆଣ୍ଡ ଆୱାର୍ଡସ-୨୦୨୬ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଏହାର ସାମରିକ ପୂର୍ବ ଉପକୂଳ ସ୍ଥିତି, ସୁଦୃଢ଼ ବନ୍ଦର, ରେଳ ଏବଂ ରାଜପଥ ସଂଯୋଗୀକରଣ, ସ୍ପେଶାଲ୍ ଇକୋନୋମିକ୍ ଜୋନ୍ (ଏସ୍ଇଜେଡ୍) ଏବଂ ଡୋମେଷ୍ଟିକ୍ ଟାରିଫ୍ ଏରିଆ (ଡିଟିଏ) ଉଭୟ କ୍ଷେତ୍ରରେ ଜମିର ଉପଲବ୍ଧତା ଏବଂ ସ୍ୱଚ୍ଛ ଶକ୍ତି ଓ ଉତ୍ପାଦନ ବ୍ୟବସ୍ଥାର ସମ୍ପ୍ରସାରଣ ହେତୁ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କ ବୃହତ୍ ନିବେଶକୁ ଆକର୍ଷିତ କରିବାରେ ସଫଳ ହୋଇଛି। ଫଳରେ ଏହା ଶିଳ୍ପାୟନ, ସ୍ଥାୟୀ ଉତ୍ପାଦନ ଏବଂ ଓଡ଼ିଶାକୁ ବିଶ୍ୱସ୍ତରୀୟ ‘ସବୁଜ ଶିଳ୍ପ ହବ୍’ ଭାବେ ଗଢ଼ିତୋଳିବାରେ ଟାଟା ଷ୍ଟିଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସଏସ୍ଇଜେଡ୍ଏଲ୍)ର ଭୂମିକାକୁ ଅଧିକ ସୁଦୃଢ଼ କରୁଛି।
ଗ୍ରୀନ୍ ହାଇଡ୍ରୋଜେନ୍, ନବୀକରଣ ଯୋଗ୍ୟ ଶକ୍ତି ଉପକରଣ ଉତ୍ପାଦନ, ସ୍ପେଶାଲଟି କେମିକାଲ୍ସ, ଟାୟାର, ଖଣିଜ ପ୍ରକ୍ରିୟାକରଣ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ପାର୍କ ପ୍ରମୁଖ ଜାତୀୟ ଏବଂ ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକର୍ଷିତ କରିଛି। ଆଭାଡା ଗ୍ରୀନ୍ଏଚଚ୍2, ଓସିଓର୍ ଏନର୍ଜି, ହାଇଜେନ୍କୋ, ସାତ୍ୱିକ୍ ସୋଲାର ଇଣ୍ଡଷ୍ଟ୍ରିଜ୍, ୱାର୍ଲ୍ଡ ଗ୍ରୀନ୍ ଏନର୍ଜି, ସୁପରଫର୍ମ କେମିଷ୍ଟ୍ରିଜ୍ (ୟୁପିଏଲ), ଏସ୍ଆରଏଫ୍ ଲିମିଟେଡ୍, ଦୀପକ ମାଇନିଂ ସଲ୍ୟୁସନ୍ସ (ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଗ୍ରୁପ୍), ଏଟିସି ଟାୟାର୍ସ (ୟୋକୋହାମା ଗ୍ରୁପ୍), ଟାଟା ଷ୍ଟିଲ୍ ଏବଂ ଟାଟା କଞ୍ଜ୍ୟୁମର୍ ପ୍ରୋଡକ୍ଟସ ଭଳି କମ୍ପାନୀଗୁଡ଼ିକ ପାର୍କରେ ପ୍ରକଳ୍ପ ପ୍ରତିଷ୍ଠା କରିସାରିଛନ୍ତି ବା ଘୋଷଣା କରିଛନ୍ତି। ଏଥିମଧ୍ୟରୁ ଏସିଏମଇ, ଆଭାଡା ଗ୍ରୀନ୍ଏଚଚ୍2 ଏବଂ ହାଇଜେନ୍କୋ ଏସିଜେଡରେ ସେମାନଙ୍କର ମେଗା ଶିଳ୍ପ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟମାନେ ଡିଟିଏରେ ଜମି ବାଛିଛନ୍ତି। ଭବିଷ୍ୟତ-ଉପଯୋଗୀ ଶିଳ୍ପ ଭିତ୍ତିଭୂମି ଗଠନ ଦିଗରେ ଟାଟା ଷ୍ଟିଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ର ନିରନ୍ତର ପ୍ରୟାସ ଫଳପ୍ରଦ ହୋଇଛି। କମ୍ପାନୀର ଏହି ଦୂରଦୃଷ୍ଟି ଯୋଗୁଁ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ୬୫,୪୦୦ କୋଟିରୁ ଅଧିକ ନିବେଶ ପ୍ରସ୍ତାବ ଆସିପାରିଛି, ଯାହା ଏହାକୁ ପୂର୍ବ ଭାରତର ଅନ୍ୟତମ ଦ୍ରୁତ ବିକାଶଶୀଳ ଶିଳ୍ପ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିଛି।”
ଏହିସବୁ ଚାଲୁ ରହିଥିବା ଓ ପ୍ରସ୍ତାବିତ ପ୍ରକଳ୍ପ ଟିଏସଏସ୍ଇଜେଡ୍ଏଲ୍ ର ଶିଳ୍ପ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରିବା ସହ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବେ ଓଡ଼ିଶା ପ୍ରତି ଆନ୍ତର୍ଜାତୀୟ ନିବେଶକଙ୍କ ଆସ୍ଥା ବୃଦ୍ଧିକୁ ସ୍ପଷ୍ଟ କରୁଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପ ଶୃଙ୍ଖଳାକୁ ଅଧିକ ମଜବୁତ କରିବା ସହ ବିପୁଳ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିସହିତ ଭାରତର କମ୍-କାର୍ବନ୍ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ।
ଟାଟା ଷ୍ଟିଲର ୧୦୦% ସହାୟକ କମ୍ପାନୀ ଟିଏସଏସ୍ଇଜେଡ୍ଏଲ୍ ଦ୍ୱାରା ବିକଶିତ ଏହି ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରାୟ ୨,୯୭୦ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ। ଏହି ପାର୍କକୁ ଏକ ସଂଯୋଜିତ ଏବଂ ଆଧୁନିକ ‘ପ୍ଲଗ୍-ଏଣ୍ଡ-ପ୍ଲେ’ ଉତ୍ପାଦନ ଭିତ୍ତିଭୂମି ଭାବେ ନିର୍ମାଣ କରାଯାଇଛି। ଏଥିମଧ୍ୟରେ ସୁଦୃଢ଼ ଆଭ୍ୟନ୍ତରୀଣ ସଡ଼କ ପରିବହନ, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜଳ ଯୋଗାଣ, ବିଜ୍ଞାନସମ୍ମତ ନିଷ୍କାସନ ପ୍ରଣାଳୀ, ଏକକ ପରିବେଶ ମଞ୍ଜୁରୀ, ବହୁମୁଖୀ ସଂଯୋଗୀକରଣ ଏବଂ ଏକ ସ୍ୱତନ୍ତ୍ର ୟୁଟିଲିଟି କରିଡୋର୍ ମାଧ୍ୟମରେ ଗୋପାଳପୁର ବନ୍ଦର ସହିତ ସୀଧାସଳଖ ଯୋଗାଯୋଗ ସୁବିଧା କରାଯାଇଛି।

