ବ୍ଲାକ୍‌ରକ୍‌, ଆଡିଆ, ଘରୋଇ ଫଣ୍ଡଙ୍କ ପକ୍ଷରୁ ବେଦାନ୍ତରେ ଅଂଶଧନ ବୃଦ୍ଧି


ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ସଂପତି ପରିଚାଳନା କମ୍ପାନି ବ୍ଲାକ୍‌ରକ୍‌, ଆବୁଧାବି ଇନଭେଷ୍ଟମେଂଟ୍ ଅଥରିଟି ଏବଂ ଆଇସିଆଇସିଆଇ ମ୍ୟୁଚୁଆଲ ଫଣ୍ଡ ଓ ନିପନ୍ ଇଣ୍ଡିଆ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ ଗତ ଚାରି ମାସ ଭିତରେ ବେଦାନ୍ତରେ ସେମାନଙ୍କ ଅଂଶଧନ ପ୍ରାୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି । ସେହି ସମୟରେ ବୈଦେଶିକ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ସେମାନଙ୍କ ଅଂଶଧନରେ ୧.୨ ପ୍ରତିଶତ ବୃଦ୍ଧି କରିଛନ୍ତି ।
ପୃଥକୀକରଣ ଯୋଜନା ଏବଂ ଧାତବ ମୂଲ୍ୟରେ ବୃ୍‌ଦ୍ଧି ଯୋଗୁଁ ବେଦାନ୍ତ ସେୟାର ମୂଲ୍ୟରେ ଆଗ୍ରହ ଦେଖାଦେଇଥିବା ବେଳେ ସ୍ଥାନୀୟ ଓ ଆନ୍ତର୍ଜାତିକ ଫଣ୍ଡ୍‌ଗୁଡ଼ିକ ସେଥିପ୍ରତି ଆଗ୍ରହ ଦେଖାଇଛନ୍ତି । ବେଦାନ୍ତ ସେୟାର ମୂଲ୍ୟରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ହୋଇଥିବାରୁ ଡିସେମ୍ବର ପରଠାରୁ ଏହାର ବଜାର ପୁଞ୍ଜି (ମାର୍କେଟ କ୍ୟାପିଟାଲାଇଜେସନ)ରେ ପ୍ରାୟ ୩ ବିଲିଅନ ଡଲାର ବୃଦ୍ଧି ଘଟିଛି ।
ଏପ୍ରିଲ ୫ରେ ବେଦାନ୍ତର ସେୟାର ମୂଲ୍ୟ ୫୨ ସପ୍ତାହରେ ସର୍ବୋଚ୍ଚ ସ୍ତର ୩୨୨ ଟଙ୍କାକୁ ବୃଦ୍ଧି ପାଇଥିଲା ଏବଂ ପୂର୍ବ ପାଂଚଦିନ ତୁଳନାରେ ୧୫% ବୃଦ୍ଧି ହାସଲ କରିଥିଲା । ଚୀନର ଉଲ୍ଲେଖନୀୟ ଶିଳ୍ପ ତଥ୍ୟ ଏବଂ ଛଅ ମାସରେ ପ୍ରଥମ ଥଣ ପାଇଁ ମାନୁଫାକ୍‌ଚରିଂ କ୍ଷେତ୍ରରେ ବୃଦ୍ଧି ଯୋଗୁଁ ବିଶ୍ୱ ବଜାରରେ ଧାବତ ମୂଲ୍ୟ ବୃଦ୍ଧି ପାଉଛି । ବିଶ୍ୱର ସର୍ବାଧିକ ଧାତବ ପଦାର୍ଥ ଚୀନ ବ୍ୟବହାର କରୁଥିବା ବେଳେ ସେଠାରେ ଚାହିଦା ବୃଦ୍ଧି ଯୋଗୁଁ ବେଦାନ୍ତ ସମେତ ବିଭିନ୍ନ ଧାତବ ଷ୍ଟକର ମୂଲ୍ୟ ବଢ଼ିଛି ।
୨୦୨୩-୨୪ ଆର୍ଥିକ ବର୍ଷରେ ୫ ବିଲିଅନ ଡଲାର ଇବିଆଇଟିଡିଏ ହାସଲ କରିବାକୁ ବେଦାନ୍ତ ଲକ୍ଷ୍ୟ ରଖିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ବେଦାନ୍ତ ଗ୍ରୁପ ୬ ବିଲିଅନ ଡଲାର ଇବିଆଇଟିଡିଏ ହାସଲ କରିବାକୁ ଲକ୍ଷ୍ୟ ରଖିଛି । କମ୍ପାନିର ସେୟାର ମୂଲ୍ୟରେ ବୃଦ୍ଧି ଏହାର ଇବିଆଇଟିଡିଏ ଏବଂ ବ୍ୟବସାୟ ସମ୍ଭାବନା ଆକଳନର ପ୍ରତିଫଳନ ଅଟେ ।
କମ୍ପାନି ଏହାର ପ୍ରମୁଖ ବ୍ୟବସାୟଗୁଡ଼ିକ ଆଲୁମିନିୟମ ସମେତ ବିଭିନ୍ନ ଭାଗରେ ପୃଥକୀକରଣ କରି ଋଣ ଓ ସଂପତିଗୁଡ଼ିକୁ ପୃଥକୀକୃତ କମ୍ପାନିଗୁଡ଼ିକରେ ଭାଗ କରିବ । କମ୍ପାନିକୁ ଧାତବ, ଶକ୍ତି, ଆଲୁମିିନିୟମ, ତୈଳ ଓ ଗ୍ୟାସ୍ ଭଳି ବର୍ଗରେ ଭାଗ କରାଯିବ । ପ୍ରତି ନୂଆ ସଂସ୍ଥାକୁ ବେଦାନ୍ତର ଗୋଟିଏ ଲେଖାଏଁ ସେୟାର ମିଳିବ । ୩ ବର୍ଷରେ ଋଣକୁ ୩ ବିଲିଅନ ଡଲାର ପର୍ଯ୍ୟନ୍ତ ହ୍ରାସ କରିବାକୁ ବେଦାନ୍ତ ଯୋଜନା ରଖିଛି ।
ବେଦାନ୍ତ ଲିମିଟେଡ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ, “ଡିଲିଭରେଜିଂ ହେଉଛି ଆମ ପ୍ରାଥମିକତା । ଆସନ୍ତା ତିନି ବର୍ଷ ମଧ୍ୟରେ ଆମେ ବେଦାନ୍ତ ରିସୋର୍ସେସ୍‌ସର ଋଣକୁ ୩ ବିଲିଅନ ଡଲାର ପର୍ଯ୍ୟନ୍ତ ହ୍ରାସ କରିବୁ । ୨୦୨୫ ଆର୍ଥିକ ବର୍ଷ ପାଇଁ ବେଦାନ୍ତ ଲିମିଟେଡ୍‌ର ନଗଦ ପ୍ରବାହ ପ୍ରାକ-ଅଭିବୃଦ୍ଧି ପୁଞ୍ଜି ବ୍ୟୟ ୩.୫-୪ ବିଲିଅନ୍ ଡଲାର ହେବ ବୋଲି ଆକଳନ କରାଯାଇଛି ।’’

Share

Leave a Reply

Your email address will not be published. Required fields are marked *

12 + 14 =