ଜୁଲାଇ ୧୦ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ ପ୍ରକ୍ରିୟା ପ୍ରତିଶୃତି ଏକ ଧୂଆଁବାଣ

ଭୁବନେଶ୍ବର () ସରକାରୀ ସ୍ତରରେ ମନ୍ତ୍ରୀ ବିଧାୟକ ମାନେ ପ୍ରଚୁରମାତ୍ରାରେ ଦୁର୍ନୀତିରେ ବୁଡିରହିଥିବା କାରଣରୁ ରାଜ୍ୟ ସରକାର ଓଡିଶାରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ଆଦୌ ଆନ୍ତରିକତା ଦେଖାଉନାହାନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ବିଜେପିର ରାଜ୍ୟ ଉପସଭାପତି ସମିର ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେବଳ ବାହାବା ନେବାପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଲୋକାୟୁକ୍ତ ବିଲକୁ ୨୦୧୪ରେ ପାସ କରାଇଥିଲେ । ଏହାକୁ ୨୦୧୫ରେ ରାଷ୍ଟ୍ରପତିଙ୍କ ମୋହର ମଧ୍ୟ ବାଜିସାରିଛି । ଏହା ଏବେ ଏକ ଆଇନ ହୋଇସାରିଛି । ହେଲେ ବାସ୍ତବରେ ରାଜ୍ୟରେ ଲୋକାୟୁକ୍ତ ରୁହନ୍ତୁ ଏକଥା ଚାହୁଁନାହାନ୍ତି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଏଥିପାଇଁ ସୁପ୍ରିମକୋର୍ଟରେ ଦେଇଥିବା ସତ୍ୟପାଠକୁ ବି କାର୍ଯ୍ୟକାରି କରୁନାହାନ୍ତି ରାଜ୍ୟ ସରକାର ।

ଲୋକାୟୁକ୍ତକୁ ନେଇ ରାଜ୍ୟ ସରକାରଙ୍କର ଏତେ ଡର କାହିଁକି ? କ’ଣ ନିଜେ ବସାଇଥିବା ଜାଲରେ ନିଜେ ଛନ୍ଦି ହୋଇଯିବାର ଭୟରେ ଲୋକାୟୁକ୍ତ ନିଯୁକ୍ତି ଦିଗରେ ସରକାର ଆଗଉନାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାୟୁକ୍ତ ନିଯୁକ୍ତ ପ୍ରସଙ୍ଗରେ ବିଧାନସଭାରେ ସୁପ୍ରିକକୋର୍ଟରେ ମାମଲା ଥିବାରୁ ବିଳମ୍ବ ହେଉଥିବା କଥା ଆଗରୁ ବାହାନା ଦେଖାଇଥିଲେ । ହେଲେ ସୁପ୍ରିମକୋର୍ଟରେ ରିଟ ପିଟିସନ ନମ୍ବର ୬୮୪/୨୦୧୬ରେ ଓଡିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ସତ୍ୟପାଠ ଦାଖଲ କରି କହିଥିଲେ କି ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକିୟା ଚାଲିଛି । ଏଥିପାଇଁ ଏକ ସର୍ଚ୍ଚ କମିଟି ସରକାର ତୁରନ୍ତ ସରକାର ଗଠନ କରିବେ ଏବଂ ଲୋକାୟୁକ୍ତ ନିଯୁକ୍ତି ପ୍ରକିୟାକୁ ଜୁଲାଇ ୧୦, ୨୦୧୮ ସୁଦ୍ଧା ସାରି ମାନ୍ୟବର କୋର୍ଟକୁ ଜଣାଇବେ । ହେଲେ ଜୁଲାଇ ୧୦ ତାରିଖକୁ ଆଉ ମାତ୍ର ୨୫ ଦିନ ବାକି ଥିବା ବେଳେ ରାଜ୍ୟ ସରକାର ଏବେ ସୁଦ୍ଧା ସର୍ଚ୍ଚ କମିଟି ଟିଏ ବି ଗଠନ କରିନାହାନ୍ତି । ତାହେଲେ ରାଜ୍ୟ ସରକାର କେମିତି ଜୁଲାଇ ୧୦ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରିବେ ? ସର୍ଚ୍ଚ କମିଟି କେବେ ଗଠନ ହେବ,  ସେ ସରକାରଙ୍କୁ କେବେ ରିପୋର୍ଟ ଦେବେ ଏବଂ ସରକାର କେବେ ଲୋକାୟୁକ୍ତ ନିଯୁକ୍ତ କରିବେ ଏହାର ଉତର ରାଜ୍ୟବାସୀଙ୍କୁ ଦେବା ପାଇଁ ସେ ଦାବି କରିଛନ୍ତି ।

ଲୋକାୟୁକ୍ତ ଗଠନ ହେଲେ ସରକାରଙ୍କ ପାଇଁ ବିପଦ ମାଡିଆସିବ ବୋଲି ବୋଧହୁଏ ନବୀନ ବାବୁଙ୍କୁ ଡର ଲାଗୁଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ମୁଳ ଉପୁଡିବା ନିଶ୍ଚିନ୍ତ । ଯେହେତୁ ରାଜ୍ୟରେ ବିଜେପି ଏବେ ଦୁର୍ନୀତି ବିରୋଧରେ ଲଢିବା ପାଇଁ ସଙ୍କଳ୍ପ ନେଇଛି ତେଣୁ କାଳେ ଏହି ଆଇନକୁ ଆୟୁଧ କରି ପ୍ରତି କଥାରେ ସରକାରଙ୍କୁ କାଠଗଡାକୁ ଟାଣିବେ । ସରପଂଚ ଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କାହାକୁ ଛାଡିବେ ନାହିଁ ବୋଲି ସେ କହିଛନ୍ତି  ।

ଲୋକାୟୁକ୍ତ ନିଯୁକ୍ତି କମିଟିର ଅଧ୍ୟକ୍ଷ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ସବୁବେଳେ ସ୍ବଛ ଭାବମୂର୍ତୀର କଥା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଯଦି ସତସାହାସ ଅଛି ତାହେଲେ ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି ପାଇଁ ରାଜ୍ୟ ସରକାର ପ୍ରକିୟା ଆରମ୍ଭ କରନ୍ତୁ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + 3 =