ନୀତି ଆୟୋଗ ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ବର୍ଜନକୁ ବିଜେପିର ସମାଲୋଚନା

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଏହି ବୈଠକରେ ଆମନ୍ତ୍ରଣ କରଯାଇଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ନୀତି ଆୟୋଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏକ ନୀତି ନିର୍ଦ୍ଧାରଣ କରିଥାନ୍ତି । ବିଶେଷ କରି କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଏବଂ ଏହି ଯୋଜନା ଗୁଡିକର କାର୍ଯ୍ୟକାରୀତା ସଂପର୍କରେ ଏହି ଆୟୋଗରେ ଆଲୋଚନା ହୋଇଥାଏ । ଓଡିଶାର ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ସବୁ ସମୟରେ ହାତ ବଢାଉଛନ୍ତି ।  କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ ରାଜ୍ୟର ସାମୂହିକ ବିକାଶ ନଚାହିଁ ହୀନ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ଋଣଭାରରେ ଚାଲିଥିବାରୁ ନିଜସ୍ବ ଯୋଜନା ଘୋଷଣା କରି ତାକୁ କାର୍ଯ୍ୟକାରୀ କରିପାରୁନାହାଁନ୍ତି । ଓଡିଶାକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର ବିଭିନ୍ନ ଜନହିତକର ଯୋଜନା ହାତକୁ ନେଇ କାର୍ଯ୍ୟକାରୀ କରୁଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଦେଶର ୧୧୫ଟି ପଛୁଆ ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଆକାଂକ୍ଷା ଯୋଜନା ଆରମ୍ଭ କରିଥିଲେ । ଏଥିରେ ଓଡିଶାର ୧୦ ଜିଲ୍ଲାକୁ ସାମିଲ କରାଯାଇଥିବାବେଳେ ସେହି ଜିଲ୍ଲା ଗୁଡିକରେ ଦକ୍ଷ ଅଫିସରମାନଙ୍କୁ ନିଯୁକ୍ତି କରିବାର ବ୍ୟବସ୍ଥା ରହିଥିଲା । ଏହି ସଂପର୍କରେ ମଧ୍ୟ ରାଜ୍ୟସରକାର ତାଙ୍କ ମତ ନରଖି  ଦାୟୀତ୍ବହୀନତା କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସବୁ ସମୟରେ ସଂଘୀୟ ବ୍ୟବସ୍ଥା କଥା ଉଠାଉଥିବା ସମୟରେ ନିଜେ ବ୍ୟବସ୍ଥାରୁ ଦୂରେଇ ରହୁଛନ୍ତି । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସଂଘୀୟ ବ୍ୟବସ୍ଥା ଉପରେ ଆସ୍ଥା ରଖିବା ଆବଶ୍ୟକ । କିନ୍ତୁ ଏଠି ରାଜ୍ୟର ବିକାଶ ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ନଦେଇ ଶସ୍ତା  ରାଜନୀତି କରୁଛନ୍ତି । ଆଗାମୀ ଦିନରେ ଓଡିଶାବାସୀ ଏହାର ଜବାବ ଦେବେ ବୋଲି ଗୋଲକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

six + sixteen =