ମୁଖ୍ୟମନ୍ତ୍ରୀଙ୍କୁ ଆତିଥ୍ୟ ଦେଇ ଲୋକେ ଅଭିଭୂତ

ହାଇଭୋଲଟେଜ ରୋଡ ସୋ’ରେ ବିରୋଧୀ ଛାନିଆ

ଭବନୀପାଟଣା () ଆସନ୍ତା ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିରେ କଳାହାଣ୍ଡି ଲୋକସଭା ଆସନ ସମେତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୭ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିଲାଗି ଆଜି ପ୍ରଚାର ଶେଷ ହୋଇଛି । କେଶ କିଛି ଦିନ ଧରି ଚାଲିଥିବା ପ୍ରଚାରର ହେହଲ୍ଲା ଆଜି ନିରବ ହୋଇଛିଯାଇଛି । ତେବେ, ଶେଷ ଦୁଇଦିନରେ ବିଜେଡିର ପ୍ରଚାରରେ କର୍ମୀ ବେଶ ଉତ୍ସାହିତ ହୋଇଉଠିଛନ୍ତି । ବିଶେଷ କରି ଏହି ପଛୁଆ ଜିଲ୍ଲାର ଲୋକେ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଆତିଥ୍ୟ ଦେଇ ଅଭିଭୂତ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଗତକାଲି ଦୁଇ ଦିନିଆ କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନରେ ରୋଡ ସୋ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଜଳସେଚନ ବିଭାଗ ଡାକ ବଙ୍ଗଳାରେ ରାତ୍ରୀଯାପନ କରିଥିଲେ । ଆଜି ସକାଳୁ ସେ କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀ ମନ୍ଦିର ଦର୍ଶ କରିବା ପରେ ସକାଳ ୮ଟା ୩୦ରେ ହେଲିକପ୍ଟର ଯୋଗେ ଜୟପାଟଣା, ତଲାପଡା ଓ ଲାଂଜିଗଡରେ ଦଳୀୟ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଇଛନ୍ତି । କଳାହାଣ୍ଡିବାସୀଙ୍କ ଆତିଥ୍ୟରେ ନବୀନ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା ।
ଗତକାଲି ନବୀନ ଏକ ସ୍ୱତନ୍ତ୍ର ବସରେ ସନ୍ଧ୍ୟା ୭ଟାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ ପହଁଚିଥିଲେ । ଗୋଲାମୁଣ୍ଡାରେ ରୋଡସୋ କରିବା ପରେ ନବୀନ ୭ଟା ୧୦ରେ ବନ୍ଦାବାହାଲ ଠାରେ ରୋଡ ସୋ କରିଥିଲେ । ଏହାପରେ ପ୍ରାୟ ସନ୍ଧ୍ୟା ୭ଟା ୩୦ରେ ଧର୍ମଗଡରେ ପହଁଚିଥିଲେ । ନବୀନଙ୍କ ରୋଡ ସୋ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଧର୍ମଗଡରେ ପ୍ରାୟ ୧୫ ହଜାର ଲୋକ ରାସ୍ତାର ଉଭୟ ପାଶ୍ୱର୍ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସ୍ୱତନ୍ତ୍ର ବସ ମଧ୍ୟରେ ଥାଇ ନବୀନ ଲୋକଙ୍କୁ ମାଇକ ଯୋଗେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଧର୍ମଗଡ ଚାରିଛକରେ ବସ ମଧ୍ୟରୁ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ ।

ଧର୍ମଗଡ ରୋଡସୋ ସାରି ସେ ଜୁନାଗଡରେ ପହଁଚି ଲଙ୍କେଶ୍ୱରୀ ମନ୍ଦିର ଦର୍ଶନ କରିବା ପରେ ଜୁନାଗଡରେ ମଧ୍ୟ ରୋଡ ସୋ କରିଥିଲେ । ତା ପରେ ସେ ଭବାନୀପାଟଣାରେ ରୋଡ ସୋ କରିଥିବା ବେଳେ ନକଟିଗୁଡା ଛକ, ଘୋଡାଘାଟ ଛକ, ଷ୍ଟାଚ୍ୟୁ ଛକ, ମାଣିକେଶ୍ୱରୀ ସ୍କୁଲ ଛକ, ଇରିଗେସନ ଛକ ଓ କଲେଜ ଛକରେ ତାଙ୍କୁ ବ୍ୟାପକ ସ୍ୱାଗତ କରାଯାଇଥିଲା । ନବୀନ ସ୍ୱତନ୍ତ୍ର ବସ ଭିତରେ ଥାଇ ଜନସାଧାରଣଙ୍କୁ ସମ୍ବୋଧନ କରି ଭୋଟ ଭିକ୍ଷା କରିଥିଲେ । ନବୀନଙ୍କ ରୋଡ ସୋରେ ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ, ଧର୍ମଗଡ ବିଧାୟକ ପ୍ରାର୍ଥୀ ମୌଷଧି ବାଗ, ଜୁନାଗଡ ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ଉପସ୍ଥିତ ଥିଲେ ।

କଳାହାଣ୍ଡିକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରଚାର ପାଇଁ ଆସିଛନ୍ତି । ହେଲେ ଗତକାଲି ଓ ନବୀନଙ୍କ ରୋଡ ସୋକୁ ଯେଉଁଭଳି ସମର୍ଥନ ଓ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ତାହା ପୂର୍ବରୁ ଦେଖିବାକୁ ମିଳିନଥିଲା।  ନବୀନଙ୍କ ରୋଡ଼ ସୋକୁ ସ୍ୱତଃପ୍ରବୃତ ଛୁଟିଥିବା ଜନସମୁଦ୍ର ଦେଖି ବିରୋଧୀ ଛନିଆ ହୋଇଯାଇଛନ୍ତି । କିଛି କଂଗ୍ରେସ ଓ ବିଜେପି ନେତା ନିଜ ନାଁ ଗୋପନ ରଖି ସ୍ୱୀକାର କରିଛନ୍ତି ଯେ, ନବୀନଙ୍କ ପାଇଁ ଲୋକଙ୍କ ଏଭଳି ଭଲପାଇବା ସେମାନଙ୍କ ପାଇଁ ଶୁଭ ସଂକେତ ନୁହେଁ ।

Share

Leave a Reply

Your email address will not be published. Required fields are marked *

nine − 6 =