ବିକାଶ ନୁହେଁ, ହିନ୍ଦୁତ୍ୱ ଆଧାରରେ ନିର୍ବାଚନ ଲଢ଼ିବ ବିଜେପି

ଭୁବନେଶ୍ୱର (): ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି କୋରକମିଟିର ଯେଉଁ ନିଷ୍ପତ୍ତି ହୋଇଛି ସେଥିରେ ନିର୍ବାଚନୀ ପ୍ରସଙ୍ଗ ବିକାଶ ନୁହେଁ, ହିନ୍ଦୁତ୍ୱ ହେବ ବୋଲି ଦଳୀୟ ମହଲରୁ ଜଣାପଡିଛି । ଏହି ପ୍ରସଙ୍ଗକୁ ଆହୁରି ମଜବୁତ କରିବା ସହିତ କଂଗ୍ରେସର ହିନ୍ଦୁ ତୁଷ୍ଟୀକରଣ ପଦକ୍ଷେପକୁ ଉଚିତ ଜବାବ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରିଟି ରାଜ୍ୟର ନିର୍ବାଚନ ସରିବା ପରେ ଡିସେମ୍ବର ମାସରେ ଅଯୋଧ୍ୟାସ୍ଥିତ ରାମମନ୍ଦିର ପରିଦର୍ଶନରେ ଯିବେ ବୋଲି ଦଳପକ୍ଷରୁ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ଜଣାପଡିଛି ।
କେନ୍ଦ୍ରରେ କ୍ଷମତାସୀନ ବିଜେପି ବିଚାରବିମର୍ଶ ପରେ ପୂର୍ବଥର ଦେଇଥିବା ବିକାଶ ପ୍ରସଙ୍ଗକୁ ଭୁଲିଯିବା ପାଇଁ ଚେଷ୍ଟା କରାଯାଇଛି । କାରଣ ଏହି ପ୍ରସଙ୍ଗରେ ସରକାର ଏବେ ଚାରିଆଡୁ ସମାଲୋଚିତ ହେବାପରେ ଏହାକୁ ଛାଡିବାକୁ ବାଧ୍ୟ ହୋଇଛି । ଅପରପକ୍ଷରେ ବିଗତ କିଛିମାସ ହେଲା ବିଜେପି ନେତାମାନଙ୍କର ଯେଭଳି ହିନ୍ଦୁତ୍ୱ ସମର୍ଥନରେ ବୟାନବାଜି କରାଯାଉଛି ସେଥିରୁ ଜଣାପଡୁଛି ଯେ, ସେମାନେ ଆଗାମୀ ନିର୍ବାଚନରେ ହିନ୍ଦୁତ୍ୱକୁ ନିର୍ବାଚନ ପ୍ରସଙ୍ଗ କରିବାକୁ ଯାଉଛନ୍ତି । କାରଣ ବର୍ତ୍ତମାନ ଦେଶରେ ହିନ୍ଦୁମାନଙ୍କୁ ନିଜ ସମର୍ଥନକୁ ନେବାପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତରଫରୁ ପ୍ରୟାସ ଆରମ୍ଭ ହୋଇଛି । ମୁସଲମାନମାନଙ୍କୁ ତୁଷ୍ଟୀକରଣ ପାଇଁ ସର୍ବଦା କାମକରୁଥିବା କଂଗ୍ରେସ ଦଳର ମୁଖିଆ ଏବେ ପ୍ରତିଦିନ ହିନ୍ଦୁମନ୍ଦିର ଦର୍ଶନ କରୁଛନ୍ତି । ଧର୍ମକୁ ଅଫିମ କହୁଥିବା ବାମପନ୍ଥୀମାନେ କେରଳରେ ରାମଲୀଳା ଆୟୋଜନ କରୁଛନ୍ତି । ଏଥିରୁ ଜଣାପଡୁଛି ଯେ, ବିଜେପି ହିନ୍ଦୁ ଭୋଟକୁ ଧ୍ରୁବୀକରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ବିଜେପିର ଏହି ପଦକ୍ଷେପକୁ ପ୍ରତିହତ କରିବା ପାଇଁ ବିରୋଧୀ କଂଗ୍ରେସ ଓ ବାମପନ୍ଥୀମାନେ ମଧ୍ୟ ହିନ୍ଦୁ ତୁଷ୍ଟୀକରଣ ପଦକ୍ଷେପ ଆରମ୍ଭ କଲେଣି ।
ବିଜେପିର ନିର୍ବାଚନ ଦାୟିତ୍ୱରେ ଥିବା ପଦାଧିକାରୀମାନଙ୍କୁ ଦଳପକ୍ଷରୁ ଯେଉଁ ପରାଶର୍ମ ଦିଆଯାଇଛି ତାହା ହେଉଛି, ହିନ୍ଦୁମାନେ ସେମାନଙ୍କ ଭୋଟ ରାଜନୀତିର ମୂଳପିଣ୍ଡ । ତେଣୁ ବିଜେପି ହିନ୍ଦୁମାନଙ୍କୁ ଭୁଲି ଯଦି ଅନ୍ୟକୌଣସି ପଦକ୍ଷେପ ନିଏ ତାହା ଦଳପାଇଁ ଆତ୍ମଘାତୀ ପ୍ରମାଣିତ ହେବ । ଗତ ୨୦୧୪ ନିର୍ବାଚନରେ ମୋଦି ହିନ୍ଦୁତ୍ୱକୁ ଗୁରୁତ୍ୱ ଦେଇନଥିଲେ । ନିଜର ହିନ୍ଦୁତ୍ୱ ଚେହେରାକୁ ଲୁଚାଇବା ସହିତ ବିକାଶକୁ ଗୁରୁତ୍ୱ ଦେଇଥିଲେ । ବିଗତ ୧୦ବର୍ଷ ଧରି କଂଗ୍ରେସ ସରକାର ଦେଶର ଉନ୍ନତିରେ ବିଫଳ ହୋଇଥିବାରୁ ଏହା ଲୋକମାନଙ୍କ ମନକୁ ଛୁଇଁଥିଲା । ଶାସନକୁ ଆସିବା ପରେ ବିଜେପି ବିକାଶକୁ ଭୁଲିଯାଇ ଏବେ ହିନ୍ଦୁତ୍ୱକୁ ଗୁରୁତ୍ୱ ଦେବାସହିତ ତିନ୍ତଲାକ୍, ଜାମ୍ମୁକାଶ୍ମୀରେ ଧାରା ୩୫(ଏ) ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି ।
ନିକଟରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସାମ୍ପ୍ରଦାୟିକ ସଦଭାବନା ବ୍ୟାହତ ହେଲାଭଳି ବକ୍ତବ୍ୟ ଦେଇଛନ୍ତି । ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟିକରି ଜେଲ୍ରେ ଥିବା ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ପାଇଁ ଯିବା ଓ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ଦ୍ୱାରା ମବ୍ଲିଚିଂ ଅଭିଯୁକ୍ତକୁ ଫୁଲମାଳ ପିନ୍ଧାଇବା ଆଦି ଘଟଣା ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ପରିପୃଷ୍ଠ କରୁଛି । କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହିନ୍ଦୁତ୍ୱ ସମର୍ଥନରେ ବକ୍ତବ୍ୟ ଦେଉଛନ୍ତି । ଗତ କିଛିଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମୁସ୍ଲିମ୍ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କରିଥିବାରୁ କଂଗ୍ରେସକୁ ମୁସ୍ଲିମ୍ ପାର୍ଟି ବୋଲି ମୋଦି ଅଭିହିତ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ କଂଗ୍ରେସର ନୀତିକୁ ସମାଲୋଚନା କରିଛନ୍ତି । ଶ୍ରୀମତୀ ରମଣ କହିଛନ୍ତି କଂଗ୍ରେସ ଏକସମୟରେ ପଇତାଧାରୀ ବ୍ରାହ୍ମଣ ଓ ମୁସ୍ଲିମ୍ ହୋଇପାରିବ ନାହିଁ । କଂଗ୍ରେସର ଏଭଳି ଚିନ୍ତାଧାରା ଉଭୟ ସମ୍ପ୍ରଦାୟ ପ୍ରତି ଧୋକା ବୋଲି ସେ କହିଛନ୍ତି ।
ଗତ ସପ୍ତାହରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ତେଲାଙ୍ଗାନାରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ଅଯୋଧ୍ୟାରେ ୨୦୧୯ ପୂର୍ବରୁ ଭବ୍ୟ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ । କିନ୍ତୁ ସେ ପରେ ଏହାକୁ ଖଣ୍ଡନ କରିଥିଲେ ହେଁ ଦଳର ହିନ୍ଦୁତ୍ୱ ଚେହେରା ପଦାରେ ପଡିଯାଇଛି । ଅପରପକ୍ଷରେ ବିଜେପି ୨୦୧୪ ଇସ୍ତାହାର ଅନୁସାରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସମ୍ବିଧାନକୁ ତର୍ଜମା କରିବାରେ ଲାଗିଛି । ୨୦୧୯ରେ ବିଜେପି ପୁଣି ପୂର୍ଣ୍ଣବହୁମତ ପାଇ କ୍ଷମତାକୁ ଆସିବ ବୋଲି ଦଳୀୟ କର୍ମକର୍ତ୍ତାମାନେ ମତଦାତାଙ୍କୁ କହୁଛନ୍ତି । ଏହି ନିର୍ବାଚନ ପରେ ରାମମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ବୋଲି ବିଜେପି ପକ୍ଷରୁ କୁହାଯାଉଛି । ଏଥିରୁ ଜଣାପଡୁଛି ଯେ, ଆଗାମୀ ନିର୍ବାଚନରେ ବିଜେପି ବିକାଶ ପରିବର୍ତ୍ତେ ହିନ୍ଦୁତ୍ୱକୁ ନିର୍ବାଚନ ପ୍ରସଙ୍ଗ କରିବ ।
Share

Leave a Reply

Your email address will not be published. Required fields are marked *

seventeen − nine =