Uncategorized

ଟାଟା ଷ୍ଟିଲ୍ କଳିଙ୍ଗନଗରରେ ୫୫ତମ ଜାତୀୟ ସୁରକ୍ଷା ମାସ ଉଦଯାପିତ

କଳିଙ୍ଗନଗର,ଏପ୍ରିଲ ୯, ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ୫୫ତମ ଜାତୀୟ ସୁରକ୍ଷା ମାସର ଉଦଯାପନୀ ଉତ୍ସବକୁ ସଫଳତାର ସହିତ ନିଜ ପରିସରରେ ଥିବା ସେଫ୍ଟି ଲିଡରସିପ୍ ଡେଭଲପମେଣ୍ଟ ସେଣ୍ଟର (ଏସଏଲଡିସି) ଠାରେ ଆୟୋଜନ କରିଛି । ଶିଳ୍ପ ସୁରକ୍ଷା ମାନକ ଏବଂ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତାକୁ ସୁଦୃଢ଼ କରିବା ପାଇଁ ମାସ ବ୍ୟାପୀ ଚାଲିଥିବା ଏହି ଅଭିଯାନର ଏହା ଶେଷ ପର୍ଯ୍ୟାୟ ଥିଲା ।

ଚଳିତ ବର୍ଷର ଆଭିମୁଖ୍ୟ ‘ନିୟୋଜିତ କର, ଶିକ୍ଷିତ କର ଏବଂ ସଶକ୍ତ କର’ (ଏନଗେଜ୍‌, ଏଜୁକେଟ୍‌ ଏବଂ ଏମପାୱାର୍‌) ସହ ମିଳିତ ଭାବେ ସୁରକ୍ଷା ନିୟମାବଳୀ ପ୍ରତି ଅସାଧାରଣ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ସର୍ବାଧିକ ସୁରକ୍ଷା ତାଲିମ, ‘କାଇଜେନ’ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଦିଗରେ ଦକ୍ଷତା ଭଳି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ‘ଶ୍ରେଷ୍ଠ ଭେଣ୍ଡର ପାର୍ଟନର ସେଫ୍ଟି ପ୍ରଫେସନାଲ’ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।

ମାସ ବ୍ୟାପୀ ଚାଲିଥିବା ଏହି ଜାତୀୟ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ବିପଦପୂର୍ଣ୍ଣ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏକାଧିକ ତାଲିମ ଶିବିର ଏବଂ ବୈଷୟିକ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ଗ୍ୟାସ୍ ସୁରକ୍ଷା, ଆବଦ୍ଧ ସ୍ଥାନରେ କାର୍ଯ୍ୟ, ଉଚ୍ଚ ସ୍ଥାନରେ କାର୍ଯ୍ୟ, ୱେଲଡିଂ ଏବଂ ଗ୍ୟାସ୍ କଟିଂ ଏବଂ ସାମଗ୍ରୀ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶିକ୍ଷା ଦିଆଯାଇଥିଲା। ଦୁର୍ଘଟଣା ଏଡ଼ାଇବା ପାଇଁ ‘ଅତୀତର ଦୁର୍ଘଟଣାରୁ ଶିକ୍ଷା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଏବଂ ଅସୁରକ୍ଷିତ କାର୍ଯ୍ୟ ଚିହ୍ନଟ କରିବା ଭଳି ଆହ୍ୱାନପୂର୍ଣ୍ଣ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଉଦଯାପନୀ ଉତ୍ସବରେ ଏହି ସମସ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନ ପୂର୍ବକ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଓଡ଼ିଶା ସରକାରଙ୍କ କାରଖାନା ଏବଂ ବଏଲର ବିଭାଗର ଯାଜପୁର ରୋଡ୍ ଡିଭିଜନର ଉପ-ନିର୍ଦ୍ଦେଶକ ଇଂ ଉମେଶ ଚନ୍ଦ୍ର ସୁତାର, ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ (ଅପରେସନ୍ସ) ଉତ୍ତମ ସିଂ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗର ୱାର୍କର୍ସ ୟୁନିଅନର ସଭାପତି ରବୀନ୍ଦ୍ର କୁମାର ଜାମୁଦା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଟିଏସକେର ବରିଷ୍ଠ ଅଧିକାରୀ ଏବଂ ୟୁନିଅନ୍ ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

nine − nine =