ଜାତିଭିତ୍ତିକ ଜନଗଣନା ଓ ୫୦% ସଂରକ୍ଷଣ ସୀମା ଉଠାଇବା ଦାବି ଜୋରଦାର
- ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ଲଢେଇରେ ସାମିଲ ହେବାକୁ ବିଜେଡିର ଆହ୍ବାନ
- ନବୀନଙ୍କୁ ଅନୁସରଣ କରୁଛନ୍ତି ବିଭିନ୍ନ ରାଜ୍ୟର ନେତା ଓ ରାଜନୈତିକ ଦଳ
- ଲଢେଇରେ ସାମିଲ ପାଇଁ ବିଜେପି ନେତାଙ୍କୁ ଆହ୍ବାନ
- ଦାବି ହାସଲ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ବିଜେଡିର ଘୋଷଣା
ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ବଦ୍ଧ ପରିକର। ହେଲେ ସଂଘୀୟ ଢାଞ୍ଚା ଓ ଆଇନଗତ କଟକଣା ଏଥିରେ ବାଧା ହୋଇଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଡକ୍ଟର ଅରୁଣ ସାହୁ ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ ଓ ଡକ୍ଟର ସାହୁ କହିଛନ୍ତି ଯେ ପଛୁଆବର୍ଗଙ୍କ ପାଇଁ ଯୋଜନା ପ୍ରସ୍ତୁତ ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ନିହାତି ଆବଶ୍ୟକ। ଏଥିପାଇଁ କେନ୍ଦ୍ର ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ଜାତିଭିତିକ ଜନଗଣନା ଦାବି ଉଠାଇଥିଲେ। ଏହାଦ୍ଵାରା କେବଳ ରାଜ୍ୟ ନୁହେଁ, ସାରା ଦେଶର ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜାଣିବାକୁ ମିଳିପାରିବ।
କେନ୍ଦ୍ର ମନା କରିବା ପରେ ରାଜ୍ୟ ସରକାର ୨୦୨୦ ମସିହା ଜାନୁଆରୀ ୧୧ ତାରିଖରେ କ୍ୟାବିନେଟ ବୈଠକ ଡକାଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜାତି ଭିତ୍ତିକ ଜନଗଣନା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା। ଏହାର କିଛି ଦିନ ପରେ ରାଜ୍ୟ ସରକାର ୨୦୨୦ ମସିହା ଫେବୃୟାରୀ ୧୨ ତାରିଖରେ ଓବିସି କମିଶନ ଗଠନ କରିଥିଲେ।
ଏହାର ୫ ଦିନ ପରେ ଫେବୃୟାରୀ ୧୭ ତାରିଖରେ କ୍ୟାବିନେଟ୍ ବୈଠକରେ ପଛୁଆବର୍ଗ କମିସନ (ସଂଶୋଧନ) ବିଧେୟକ ଗୃହିତ କରାଯାଇଥିଲା। ସେହିଦିନ ହିଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭାରେ ନିଜେ ପ୍ରସ୍ତାବ ଆଗତ କରିଥିଲେ । ଇତି ମଧ୍ୟରେ କମିଶନ କାର୍ଯ୍ୟକ୍ଷମ ହୋଇସାରିଛି । ଓଡିଶାରେ ଅନ୍ୟ ପଛୁଆ ବର୍ଗ (ଓବିସି) ସାମାଜିକ ଆର୍ଥିକ ପଛୁଆବର୍ଗ (ଏସ୍ଇବିସି) ସଂଖ୍ୟା ରାଜ୍ୟରେ ମୋଟ ଜନସଂଖ୍ୟା ଅଧାରୁ ଅଧିକ। ସେମାନଙ୍କ ସଂଖ୍ୟାର ଅଧା ସଂରକ୍ଷଣ ବି ସେମାନଙ୍କୁ ଦିଆଯାଇପାରି ନାହିଁ। ଏହାର କାରଣ ହେଉଛି- ସଂରକ୍ଷଣ ନେଇ ନ୍ୟାୟାଳୟ ଦ୍ଵାରା ରଖାଯାଇଥିବା ୫୦% ସୀମା। ଓଡିଶାକୁ ଅନ୍ୟ କୌଣସି ରାଜ୍ୟ ସହିତ ତୁଳନା କରାଯାଇପାରିବ ନାହିଁ । ତେଣୁ ଭାରତବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ପଛୁଆବର୍ଗ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗ ସେତେବେଳେ ସାଧୂତ ହୋଇପାରିବ ଯେତେବେଳେ ୫୦% ଆଇନଗତ ସଂରକ୍ଷଣ କଟକଣା ଉଠିଯିବ। ତେଣୁ ଜାତିଭିତିକ ଜନଗଣନା ଓ ୫୦% ସଂରକ୍ଷଣ ସୀମା ଉଠାଯିବା ସମୟର ଏକ ଆହ୍ବାନ ହୋଇଛି ।
ନିକଟରେ ଏହି ଦାବି ନେଇ ବିଜେଡି ସଂସଦୀୟ ପ୍ରତିନିଧୂ ଦଳ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିସାରିଛନ୍ତି। ଦେଢ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନବୀନ ପଟ୍ଟନାୟକ ଏହି ଦାବି ଉଠାଇ ଆସୁଛନ୍ତି। ନବୀନ ପଟ୍ଟନାୟକଙ୍କ ଏହି ଦାବିକୁ ଭାରତବର୍ଷର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜନୈତିକ ଦଳ ବି ସମର୍ଥନ ଜଣାଇ ଆସୁଛନ୍ତି।
ଇତିମଧ୍ୟରେ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରି ଜାତିଭିତିକ ଜନଗଣନା ଏବଂ ୫୦% ସଂରକ୍ଷଣ କଟକଣା ଉଠାଇବା ସପକ୍ଷରେ ବିଜେପିର ସହଯୋଗୀ ଦଳମାନେ ମଧ୍ୟ ମତ ପ୍ରକାଶ କଲେଣି। ଏମାନଙ୍କ ମଧ୍ୟରେ ଜେଡି(ୟୁ)ର ନୀତିଶ କୁମାରଙ୍କ ନେତୃତ୍ବରେ ଅପ୍ନା ଦଳର ଅନୁପ୍ରିୟା ପଟେଲ, ହାମ୍ର ଜୀତନରାମ ମାଝି, ଭିଆଇପି ଦଳର ମୁକେଶ ଶୈନୀ, ନିଷାଦ ପାଟିର ସଞ୍ଜୟ ନିଷାଦ, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଓମ୍ ପ୍ରକାଶ ରାଜଭର, ଆରପିଆଇ(ଏ)ର ରାମଦାସ ଅଠାୱାଲେ, ଏଲ୍ଜେପିର ପଶୁପତି ପାରସ ଆଦି ରହିଛନ୍ତି ।
ବିହାରର ବିଭିନ୍ନ ରାଜନୈତିକ ଦଳର ୧୦ ଜଣିଆ ପ୍ରତିନିଧ୍ଵ ଦଳ ନିତିଶ କୁମାରଙ୍କ ନେତୃତ୍ଵରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖୁ ସାରିଛନ୍ତି । ଏହି ପ୍ରତିନିଧ୍ଵ ଦଳରେ ବିହାର ବିଜେପି ନେତା ମଧ୍ୟ ସାମିଲ ଅଛନ୍ତି । ଜନଗଣନା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ବ୍ୟାପାର ଏବଂ ୫୦% ସରଂକ୍ଷଣ ସୀମା କଟକଣା ଉଠାଇବା ମଧ୍ୟ କେନ୍ଦ୍ରୀୟ କ୍ଷମତା ପରିସର ଭୁକ୍ତ ।
ପଛୁଆବର୍ଗର ସାମାଜିକ, ଆର୍ଥିକ ବିକାଶ ଓ ସେମାନଙ୍କୁ ଦୀର୍ଘମିଆଦୀ ସୁବିଧା ଦେବା ପାଇଁ ରାଜ୍ୟ ସରକାର ତତ୍ପର। ଓଡିଶାକୁ ଦେଖୁ ଅନ୍ୟ ରାଜ୍ୟମାନେ ଏହି ଦାବି ଉଠାଇ ସାରିଛନ୍ତି । ହେଲେ ଓଡିଶା ବିଜେପି ନେତୃତ୍ଵ ଓ ଜନପ୍ରତିନିଧୂମାନେ ଭୟଙ୍କର ନୀରବତା ଅବଲମ୍ବନ କରୁଛନ୍ତି। ଏହି ନିରବତା ସେମାନଙ୍କୁ ଓବିସି/ଏସଇବିସି ବର୍ଗ ବିରୋଧୂ ବୋଲି ଦର୍ଶାଉଛି। ଆହ୍ବାନ ରଖୁଛୁ ଓଡିଶା ରାଜ୍ୟର ବିଜେପି ନେତାମାନେ ଏହି ଦାବି ଉଠାନ୍ତୁ । ଏହି ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ବିଜୁ ଜନତା ଦଳ ପଲ୍ଲୀ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି ଶ୍ରୀ ସ୍ଵାଇଁ ଓ ଡକ୍ଟର ସାହୁ କହିଛନ୍ତି ।

