ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ହେଲେ ରାଜେନ୍ଦ୍ର ଓ କଳାହାଣ୍ଡି ଏକକ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର () ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ଏକକ ବିଶ୍ବବିଦ୍ୟାଳୟକୁ ଅନୁବନ୍ଧିତ (ଆଫିଲିଏଟେଡ଼୍‌) ବିଶ୍ବବିଦ୍ୟାଳୟ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ପୂର୍ବରୁ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣାକୁ ୨୦୧୯ ମାର୍ଚ୍ଚ ୬ ତାରିଖରେ ଓ ରାଜେନ୍ଦ୍ର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ବଲାଙ୍ଗୀରକୁ ୨୦୧୯ ମାର୍ଚ୍ଚ ୨ ତାରିଖରେ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା । ମାତ୍ର ଏହାକୁ ପରିବର୍ତ୍ତନ କରାଯାଇ ଉକ୍ତ ଦୁଇଟି ଏକକ ବିଶ୍ବବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ କରାଯିବ । ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ପ୍ରାୟ ୬୫ଟି ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ ଏବଂ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ହେବେ ।

ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପ୍ରାୟ ୨୪୦ଟି ମହାବିଦ୍ୟାଳୟ ଅନୁବନ୍ଧିତ ଅଛନ୍ତି । ଏହା ଫଳରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କାର୍ଯ୍ୟଭାର ଲାଘବ ହେବା ସହିତ ଏହାର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ । ଏହା ଦ୍ବାରା ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଆଡ୍‌ମିଶନ ପ୍ରକ୍ରିୟା ଆଦି ତ୍ବରାନ୍ବିତ ହୋଇପାରିବା ସହ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ସୁବିଧା ହେବ ।

ସେହିପରି ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, କଳାହାଣ୍ଡିକୁ ଏକକ ବିଶ୍ବବିଦ୍ୟାଳୟ ପରିବର୍ତ୍ତେ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ କରାଯିବ । ଏହି ବିଶ୍ବବିଦ୍ୟାଳୟ ଅଧୀନରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ପ୍ରାୟ ୫୦ଟି ମହାବିଦ୍ୟାଳୟ ଅନୁବନ୍ଧିତ ହେବ । ଏହି ମହାବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଅଛନ୍ତି । ଏହା ଫଳରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ ଛାତ୍ରଛାତ୍ରୀଙ୍କ ଆଡ଼୍‌ମିଶନ ଆଦି ପ୍ରକ୍ରିୟା ସୁଗମ ହୋଇପାରିବ । ଏହି ଦୁଇଟି ବିଶ୍ବବିଦ୍ୟାଳୟ ସ୍ଥାପନ ହେଲେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ବିଶ୍ବବିଦ୍ୟାଳୟ ସହ ଯୋଗାଯୋଗ କରିବା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ଏବଂ ପ୍ରଶାସନିକ ପ୍ରକ୍ରିୟାରେ ପାରଦର୍ଶିତା ଆସିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ସୂଚନାଯୋଗ୍ୟ ଯେ ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟ ୧୯୪୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ସେହିପରି ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ୧୯୬୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

6 + 3 =