ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି
ଭୁବନେଶ୍ୱର, ଅକ୍ଟୋବର ୨୬, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ବିଦ୍ୟୁତ୍ ଭିତ୍ତିଭୂମି ଉପରେ ବାତ୍ୟା ‘ମୋନ୍ଥା’ ର ସମ୍ଭାବ୍ୟ ପ୍ରଭାବକୁ ହ୍ରାସ କରିବା ଏବଂ ଏହା ସେବା ଯୋଗାଉଥିବା ଅଞ୍ଚଳ ଗୁଡ଼ିକରେ ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି।
ଏହାର ବ୍ୟବସାୟ ନିରନ୍ତରତା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମପି) ଅଧୀନରେ, ଟିପିସିଓଡିଏଲ୍ ଜରୁରୀକାଳୀନ ପରିସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ପାଇଁ ଏକ ବ୍ୟାପକ ପ୍ରତିକ୍ରିୟା ଢାଞ୍ଚା ସ୍ଥାପନ କରିଛି। କମ୍ପାନୀ ପ୍ରତି ମୂହୁର୍ତ୍ତର ପାଣିପାଗ ଅପଡେଟ୍ ଉପରେ କଡ଼ା ନଜର ରଖିଛି ଏବଂ ଦ୍ରୁତ ପ୍ରତିକ୍ରିୟା ଓ ପୁନରୁଦ୍ଧାର ପାଇଁ ବାତ୍ୟା ପୂର୍ବରୁ ଓ ପରେ କିପରି ପଦକ୍ଷେପ ନିଆଯିବ ସେଥିପାଇଁ ସ୍ପଷ୍ଟ ନିୟମ ଜାରି କରିଛି।
ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ସକ୍ରିୟ ପଦକ୍ଷେପ
ଟିପିସିଓଡିଏଲ୍ ଉଭୟ ବିତରଣ ଏବଂ ପ୍ରାଇମେରୀ ସବ୍-ଷ୍ଟେସନର ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ କରିଛି । ବାତ୍ୟା ସମୟରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରାନ୍ସଫର୍ମର, ସୁଇଚ ଗିୟର ଏବଂ କଣ୍ଡକ୍ଟର ସମେତ ଗୁରୁତ୍ୱପୂର୍ଣ୍ଣ ଉପକରଣର ପର୍ଯ୍ୟାପ୍ତ ଷ୍ଟକ୍ ସୁରକ୍ଷିତ ରଖାଯାଇଛି। ବିଦ୍ୟୁତ୍ ବିଭ୍ରାଟ ହେଲେ ଶୀଘ୍ର ପୁନରୁଦ୍ଧାର ପାଇଁ ସମସ୍ତ ଡିଭିଜନରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଟିମ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।
ହସ୍ପିଟାଲ, ଜଳ ଯୋଗାଣ କେନ୍ଦ୍ର ଓ ବିପର୍ଯ୍ୟୟ ପ୍ରତିକ୍ରିୟା କେନ୍ଦ୍ର ଭଳି ମୁଖ୍ୟ ସଂସ୍ଥାଗୁଡ଼ିକୁ ଅବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।
୨୪ ଘଣ୍ଟିଆ ଜରୁରୀକାଳିନ ସହାୟତା
୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର: ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ ରେ ଯୋଗାଯୋଗ କରି ବିଜୁଳି ସମ୍ବନ୍ଧୀୟ କୌଣସି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଜଣାଇବାକୁ ଉପଭୋକ୍ତାଙ୍କୁ ଅନୁରୋଧ କରିଛି ଟିପିସିଓଡିଏଲ୍ । ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ତୁରନ୍ତ ଏବଂ ଦକ୍ଷତାର ସହିତ ସମାଧାନ କରିବା ପାଇଁ କମ୍ପାନୀ ବିଭିନ୍ନ ଜୋନ୍ରେ ଜରୁରୀକାଳୀନ-ରେସପନ୍ସ ଟିମ୍ ନିୟୋଜିତ କରିଛି।
ଉପଭୋକ୍ତାମାନଙ୍କ ପାଇଁ ସୁରକ୍ଷା ପରାମର୍ଶ
ବାତ୍ୟା ମୋନ୍ଥା ପାଖେଇ ଆସୁଥିବାରୁ, ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ସତର୍କ ରହିବାକୁ ଏବଂ ଜରୁରୀ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛି:
· ବର୍ଷା ଏବଂ ବନ୍ୟା ସମୟରେ ବିଦ୍ୟୁତ୍ ଖୁଣ୍ଟ, ତାର କିମ୍ବା ବିଦ୍ୟୁତ୍ ଉପକରଣକୁ ଛୁଅନ୍ତୁ ନାହିଁ।
· ପ୍ରବଳ ପବନ ସମୟରେ ଘର ଭିତରେ ରୁହନ୍ତୁ ଏବଂ ଗଛ କିମ୍ବା ଅସ୍ଥାୟୀ ଗୃହ ଠାରୁ ଦୂରରେ ରୁହନ୍ତୁ।
· ଓଦା ହାତରେ କିମ୍ବା ପାଣିରେ ଠିଆ ହୋଇ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବ୍ୟବହାର କରନ୍ତୁ ନାହିଁ।
· ଖୋଲା ଡ୍ରେନ୍ ଏବଂ ଜଳବନ୍ଦୀ ଅଞ୍ଚଳରୁ ପିଲାମାନଙ୍କୁ ଦୂରରେ ରଖନ୍ତୁ।
ଟିପିସିଓଡିଏଲ୍ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ଆମର ସର୍ବୋଚ୍ଚ ପ୍ରାଥମିକତା। ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା ଏବଂ ଆବଶ୍ୟକ ସ୍ଥଳେ ବିଦ୍ୟୁତ୍ ଯୋଗାଣର ଶୀଘ୍ର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଆମେ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ଵୟରେ କାର୍ଯ୍ୟ କରୁଛୁ। ବାତ୍ୟା ମୋନ୍ଥାରୁ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମର ଜରୁରୀକାଳିନ-ରେସପନ୍ସ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।”
ଟିପିସିଓଡିଏଲ୍, ସକ୍ରିୟ ଯୋଜନା, ତ୍ୱରିତ ପ୍ରତିକ୍ରିୟା ଏବଂ ସରକାରୀ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ମାଧ୍ୟମରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ। ମଜବୁତ ପରିଚାଳନା ବ୍ୟବସ୍ଥା ଓ ପ୍ରସ୍ତୁତି ସହିତ କମ୍ପାନୀ ବାତ୍ୟା ସମୟରେ ଉଭୟ ଉପଭୋକ୍ତା ଓ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।

