ଶ୍ରୀମନ୍ଦିର ଖୋଲିବା ନେଇ ୩୦ ଦିନରେ ସ୍ବତନ୍ତ୍ର କମିଟି ନେବ ନିଷ୍ପତ୍ତି

ପୁରୀ () ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର | ଏଥିସହ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଶୃଙ୍ଖଳିତ ଭବେ ଶେଷ କରିବାକୁ ଚାଲିଛି ପ୍ରସ୍ତୁତି । ତେବେ କରୋନା ଯୋଗୁଁ ପ୍ରଭାବିତ ହୋଇଛି ଶ୍ରୀମନ୍ଦିରର ଆୟ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବା ସହ 154 କୋଟି ଟଙ୍କାର ବଜେଟ ପାରିତ ହୋଇଛି |

କରୋନା ହେତୁ ଶ୍ରୀମନ୍ଦିର ପ୍ରଶାସନର ଖର୍ଚ ବୃଦ୍ଧି ସହ ଆୟ କମ ରହିଛି | ଯାହା ଫଳରେ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବେଳେ ଏହାକୁ ଭରଣ ପୋଷଣ କରିବା ଏବଂ ଅଧିକ ଆୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ଅନଲାଇନ ମାଧ୍ୟମରେ ସଂଗ୍ରହ କରାଯିବାକୁ କରାଯିବ ଉଦ୍ୟମ | ସେହିପରି ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲିବା ନିମନ୍ତେ ସ୍ୱତନ୍ତ୍ର କମିଟି ମାଧ୍ୟମରେ ଆସନ୍ତା 30ଦିନ ମଧ୍ୟରେ ନିଷ୍ପତି ନିଆଯିବ | ଏପରିକି ଦର୍ଶନ ବ୍ୟବସ୍ଥା ପାଇଁ ମଧ୍ୟ ଛତିଶା ନିଯୋଗର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ଡିସେମ୍ବର ତୃତୀୟ ସପ୍ତାହ ମଧ୍ୟରେ ଦର୍ଶନ ପାଇଁ ଚୂଡାନ୍ତ ନିଷ୍ପତି ନିଆଯିବ |

ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଥିଲେ ଯେ ମନ୍ଦିର ବନ୍ଦ ଥିବାରୁ ହୁଣ୍ଡିରୁ କୌଣସି ଆୟ ହେଉନାହିଁ । ଫଳରେ ଶ୍ରୀମନ୍ଦିର ପାଣ୍ଠିରେ ଅର୍ଥ ହ୍ରାସ ପାଇଛି । ଅନ୍ୟପକ୍ଷରେ ଶ୍ରୀଜୀଉମାନଙ୍କର ଦୈନନ୍ଦିନ ନୀତିକାନ୍ତି ପ୍ରଥା ଅନୁଯାୟୀ ଜାରି ରହିଥିବାବେଳେ କୋଭିଡ ମଧ୍ୟରେ ରଥଯାତ୍ରା ହୋଇଥିବାରୁ ଏଥିପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ ହୋଇଛି । ଏଥି ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ମନ୍ଦିର ଖୋଲିବା ପ୍ରସଙ୍ଗରେ ଡକ୍ଟର କୁମାର କହିଛନ୍ତି ଯେ ଏଥିପାଇଁ ମୁଖ୍ୟ ପରିଚାଳକଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଛି । ଭକ୍ତମାନେ କିଭଳି ଆସି ମନ୍ଦିରରେ ସୁରୁଖୁରୁରେ ଦର୍ଶନ କରିବେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ନୀତି ପ୍ରଶାସକ ଓ ସେବାୟତମାନଙ୍କ ମତାମତ ଏ ସଂକ୍ରାନ୍ତରେ ଲୋଡାଯିବ ।

ଅନ୍ୟପଟେ ଐତିହ୍ୟ କରିଡର ନିର୍ମାଣ ନେଇ ଅଧିକୃତ ହୋଇଥିବା ଜମି ଶ୍ରୀମନ୍ଦିର ଖାତାକୁ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରାଯିବା ସହ ପରିଚାଳନା କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛି | ଆସନ୍ତା 19 ତାରିଖରେ ରୁପା କବାଟ ଡିଜାଇନ ଫାଇନାଲ ପାଇଁ 20ଜଣିଆ କମିଟି ନିଷ୍ପତି ନେବାକୁ ଥିବାବେଳେ ପ୍ରାଥମିକ ସ୍ଥରରେ ଆଠଗୋଟି ଦ୍ୱାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେବ | 27ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବାକୁ ଥିବାବେଳେ ସେହି ବେଶ ଶୃଙ୍ଖଳିତ ଭାବେ ସମାପନ କରାଯିବାକୁ ନେଇ ଆଜି ବୈଠକରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଶନିବାର ଦିନ ଏନେଇ ଅଧିକ ଆଲୋଚନା କରାଯିବ |

ସେବାୟତ କଲ୍ୟାଣ ନେଇ କରୋନା ସମୟରେ 4ଥର ସହାୟତା ରାଶି ଯୋଗାଇ ଦିଆଯାଇଥିବା ବେଳେ ପଞ୍ଚମ ଥର ଦିଆଯିବା ପାଇଁ ନିଷ୍ପତି ଉପରେ ଆଜି ବୈଠକରେ ଆଲୋଚନା କରାଯାଇଛି |

Share

Leave a Reply

Your email address will not be published. Required fields are marked *

nine + fifteen =