ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର() ବୁଧବାର ସକାଳେ ଉତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତର-ପଶ୍ଚିମ ଦିଗ ଓ ଏହାର ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ଉପକୂଳ ଏବଂ ଉତର ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନସଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଲଘୁଚାପ ପଶ୍ଚିମ ଦିଗକୁ ଗତି କରି ଛତିଶଗଡ ଏବଂ ମଧ୍ୟ ଭାରତ ଆଡକୁ ଯାଇପାରେ ବୋଲି ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।  ଏହାର ପ୍ରଭାବରେ ଗୁରୁବାର ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରପଡା, ପୁରୀ ଏବଂ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୁରୁବାର ଓ ଶୁକ୍ରବାର ମଧ୍ୟରେ ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଅନୁଗୁଳ, ବୋଦ୍ଧ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡା ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଚଳିତ ଅଗଷ୍ଟ ମାସରେ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଏହା ଚତୁର୍ଥ ଲଘୁଚାପ ।

ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ନଦୀର କ୍ୟାଚମେଂଟ ଏରିଆରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୁରୁବାର ଓ ଶୁକ୍ରବାର ସୁଦ୍ଧା ମହାନଦୀର ଉପର କ୍ୟାଚମେଂଟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି । ସେହିପରି ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଅଗଷ୍ଟ ୨୪ ତାରିଖ ସୁଦ୍ଧା ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ଅଗଷ୍ଟ ୨୩ ରୁ ୨୬ ତାରିଖ ମଧ୍ୟରେ ମହାନଦୀର ଲୋୟର୍ ଓ ଅପର କ୍ୟାଚ୍ମେଂଟ ତଥା ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଏବଂ ବ୍ରାହ୍ମଣୀ ନଦୀର କ୍ୟାଚମେଂଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

five × one =