ଲକଡାଉନରେ ପିପିଲି ଭୋଟ୍‌କୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୋଷଣା ହୋଇଛି । ଚଳିତ ମେ ମାସ ୫ତାରିଖ ବୁଧବାର ସକାଳ ଠାରୁ ୧୯ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଘରଠାରୁ ୫୦୦ମିଟର ଦୂରତା ମଧ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ପନିପରିବା ଆଦି ଲୋକେ ଚାଲି ଚାଲି ଯାଇ କିଣିପାରିବେ। ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ। ସେହିଭଳି ପିପିଲି ଉପ ନିର୍ବାଚନ ଅଟକିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ କିନ୍ତୁ ରୋକ ଲଗାଯାଇଛି | ସେହିଭଳି କୋଭିଡ୍ ଗାଇଡଲାଇନ୍ ଭିତରେ ପିପିଲି ଭୋଟ୍‌କୁ ଅନୁମତି ମିଳିଛି ।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାକୁ ଲକଡାଉନରୁ ବାଦ୍ ଦିଆଯାଇଛି । ପିପିଲି ଉପନିର୍ବାଚନ ସହ ଜଡ଼ିତ ବ୍ୟକ୍ତି, ଅଧିକାରୀଙ୍କ ଉପରେ କଟକଣା ରହିବ ନାହିଁ । ଏଥିସହ ନିର୍ବାଚନ ଟ୍ରେନିଂ, ପୋଲିଂ ଷ୍ଟେସନ, ନିର୍ବାଚନ ସାମଗ୍ରୀ ପରିବହନ ଜାରି ରହିବ । ଭୋଟ୍ ଦିନ ପ୍ରାର୍ଥୀ, କାଉଣ୍ଟିଂ ଏଜେଣ୍ଟ ଏବଂ ମତଦାତାଙ୍କ ଉପରେ କୌଣସି କଟକଣା ରହିବ ନାହିଁ । ସମସ୍ତ କୋଭିଡ୍ ଗାଇଡଲାଇନ୍ ମାନି ମତଦାନ କରାଯିବ ।

ସୂଚନା ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେ ୧୩ ତାରିଖରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । କିନ୍ତୁ ମେ ୧୩ ତାରିଖରେ ଇଦ୍‌-ଉଲ୍‌- ଫିତର ଥିବାରୁ ମତଦାନ ହେବ ନାହିଁ । ପୁନଶ୍ଚ ମେ ୧୬ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ଏହା ସହିତ ୧୯ ତାରିଖ ଭୋଟ ଗଣତି ଏବଂ ସେହିଦିନ ହିଁ ଫଳ ପ୍ରକାଶ ପାଇବ ।

Share

Leave a Reply

Your email address will not be published. Required fields are marked *

eight − seven =