ବନ୍ୟା ବିପନ୍ନଙ୍କୁ ନଗଦ ଏକ ହଜାର ଟଙ୍କା, 50 କେଜି ଚାଉଳ

ଭୁବନେଶ୍ୱର () : ଗଜପତି ଜିଲ୍ଲାର ସବୁ ବନ୍ୟା ପ୍ରଭାବିତ ପରିବାରଙ୍କୁ ନଗଦ ୧ ହଜାର ଟଙ୍କା, ୫୦ କେଜି ଚାଉଳ ଓ ଅଢ଼େଇ ଲିଟର କିରୋସିନି ତୁରନ୍ତ ଯୋଗାଇ ଦିଆଯିବ । ଖୁବଶୀଘ୍ର ଆଉ ୨୦୦୦ ହଜାର ଟଙ୍କା ଲେଖାଏଁ ସମସ୍ତ କ୍ଷତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ମୁଖ୍ୟ ଶାସନ ସଚିବ ଗଜପତି ଜିଲ୍ଲା ପରିଦର୍ଶନ କରିଥିଲେ । ଜିଲ୍ଲା ପରିଦର୍ଶନ କରି ସେ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ତଦନୁଯାୟୀ ଏବେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ଆରମ୍ଭ କରିଛି । ସମସ୍ତଙ୍କୁ ପଲିଥିନ୍ ଯୋଗାଇ ଦିଆଯାଉଛି । ଆସନ୍ତାକାଲି ସୁଦ୍ଧା ସବୁ ପଲିଥିନ୍ ବଣ୍ଟନ ଶେଷ ହେବ । ପାରଳାଖେମୁଣ୍ଡି ଓ କାଶୀନଗରରେ ଆସନ୍ତାକାଲି ସୁଦ୍ଧା ବିଦ୍ୟୁତ୍ ସରବରାହ ପୁନଃସ୍ଥାପିତ ହେବ । ଅନ୍ୟାନ୍ୟ ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟଗୁଡିକରେ ମଧ୍ୟ କାଲି ସଂଧ୍ୟା ସୁଦ୍ଧା ବିଦ୍ୟୁତ୍ ସରବରାହ ପୁନଃ ସୁଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ ଆଉ ଦୁଇ ତିନି ଦିନ ଲାଗିବ । ଉତ୍ତରାଞ୍ଚଳ ଆରଡିସି ଡିଭି ସ୍ୱାମୀଙ୍କୁ ଗଜପତି ଜିଲ୍ଲାର ପୁନରୁଦ୍ଧାର କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି ।
ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଧାନ ଓ ଅଣଧାନ ଫସଲ ଏବଂ ସଡ଼କ ଯୋଗାଯୋଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପୂର୍ତ୍ତ ବିଭାଗ ରାସ୍ତାଗୁଡିକର ଯୋଗାଯୋଗ ପୁନଃସ୍ଥାପନ କରିବାକୁ ଉଦ୍ୟମ ଚଳାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ରାସ୍ତାଗୁଡିକର ମରାମତି ପାଇଁ ଆଉ ୩ ଦିନ ସମୟ ଲାଗିବ । ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯିବ ।  ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସବୁ ଡାକ୍ତରଖାନା ଓ ହେଲଥ ୟୁନିଟ୍ ଗୁଡିକରେ ମାଗଣା ଚିକିତ୍ସା ଓ ବଣ୍ଟନ କରାଯାଉଛି । ସଂକ୍ରମିତ ରୋଗ ନିୟନ୍ତ୍ରଣ ପାଇଁ ଏବେଠୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ।
ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ବାତ୍ୟା ତିତଲି କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ ପରିସ୍ଥିତିରେ ସୁଧାର ଆସିଛି । ଅଧିକ ଚାଷ ଜମି କ୍ଷତି ହୋଇଛି । ମାଲକାନଗିରି ଓ ଗଜପତି ଜିଲ୍ଲାକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ବର୍ଷା ହୋଇନାହିଁ । ସେ କହିଛନ୍ତି ଆସ୍କାରେ ଜଳଯୋଗାଣ ଓ ବିଦ୍ୟୁତ୍ ପୁନଃସଂଯୋଗ କାର୍ଯ୍ୟ ଯୋରଦାର ଚାଲିଛି । ରାୟଗଡାରେ ରାସ୍ତା ମରାମତି ପାଇଁ ୩ ଟି ଓଡ୍ରାଫ୍ ୟୁନିଟ୍ ନିୟୋଜିତ କରାଯାଇଛି । ପାତ୍ରପୁର ଅଂଚଳରେ ପୁନରୁଦ୍ଧାର କାର୍ଯ୍ୟ ଯୋରଦାର କରାଯାଇଛି । ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି । କୌଣସି ସ୍ଥାନରୁ ନିଖୋଜ ଖବର ଆସିଲେ ତାର ତଦନ୍ତ କରାଯିବ । ମିଡିଆ ରିପୋର୍ଟ ଓ ସମ୍ପର୍କୀୟଙ୍କ ତଥ୍ୟକୁ ବିଚାରକୁ ନିଆଯିବ । ଗଂଜାମ ଜିଲ୍ଲାର ପୁରୁଷୋତମପୁର, ସୋରଡା ଏବଂ ପାତ୍ରପୁରରେ ମରାମତି କାର୍ଯ୍ୟ ଯୋରସୋରରେ ଚାଲିଛି । ଗୁଣୁପୁର ସହରର ୯୦ ପ୍ରତିଶତ ଘରେ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି । ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯାଇଛି ।
Share

Leave a Reply

Your email address will not be published. Required fields are marked *

three × 2 =