ମନ୍ତ୍ରୀ ନୁହେଁ, ସାଧାରଣ ଯାତ୍ରୀ ପରି ଟ୍ରେନରେ ନୟାଗଡ଼ ଗଲେ

ଭୁବନେଶ୍ୱର () ସବୁବେଳେ ନିଜର ନିଆରା ଅନ୍ଦାଜ ପାଇଁ ପରିଚିତ କୃଷି ଓ କୃଷକ ସଶକ୍ତିକରଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବାହ୍ନରେ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଅଚାନକ ଗସ୍ତରେ ଯାଇ ସେଠାରେ ଶିକ୍ଷା ଓ ଏହି ଅନୁଷ୍ଠାନରେ ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ତାଗିଦ କରିଥିଲେ । ଅପରାହ୍ନରେ ଭୁବନେଶ୍ୱରରୁ ନୟାଗଡକୁ ଟ୍ରେନରେ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ମନ୍ତ୍ରୀଙ୍କ ବାଣିବିହାର ଗସ୍ତ ଥିଲା ସମ୍ପୁର୍ଣ୍ଣ ଗୁପ୍ତ । ବାଣିବିହାରରେ ସେ ସମସ୍ତ ୨୭ଟି ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହିତ ମତ ବିନିମୟ କରିଥିଲେ । ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ବିଶ୍ୱବିଦ୍ୟାଳୟରେ ପ୍ରୋକ୍ଟୋରିଆଲ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟର ଏହି ସର୍ବପୂରାତନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ସମସ୍ତ ଅଧ୍ୟାପକଙ୍କୁ କିଛି କିଛି ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେଇ ସେମାନଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସେହିଭଳି ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ସନ୍ଧ୍ୟାରେ ସେହିଭଳି ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଚକିତ କରି ହଠାତ ନୟାଗଡକୁ ଯାଉଥିବା ଟ୍ରେନରେ ଚଢିଥିଲେ ଅରୁଣ । ସାଙ୍ଗରେ ନା ଥିଲେ ପିଏସଓ ନା କୌଣସି ଅଧିକାରୀ । ଅବଶ୍ୟ ଜଣେ ସହକର୍ମୀ ତାଙ୍କ ସହ ଟ୍ରେନରେ ଯାଇଥିଲେ । ସନ୍ଧ୍ୟା ୬ଟା ୪୦ରେ ଭୁବନେଶ୍ୱର ଷ୍ଟେସନରେ ଭୁବନେଶ୍ୱର-ନୟାଗଡ ପ୍ୟାସେଞ୍ଜର ଟ୍ରେନରେ ଚଢିଥିଲେ । ଯେଉଁ ଦିନ ନୟାଗଡରୁ ଖୋର୍ଦ୍ଧା ରୋଡ ପ୍ରଥମ ରେଳ ଚଳାଚଳ ହେଲା, ସେଦିନ ନୟାଗଡ ଷ୍ଟେସନରୁ ଖୋର୍ଦ୍ଧା ଯାଏଁ ସେ ଟ୍ରେନରେ ଯାଇଥିଲେ । କହିଥିଲେ ଭୁବନେଶ୍ୱରରୁ ଟ୍ରେନ ଗଡିଲେ ସେ ନିୟମିତ ନୟାଗଡକୁ ଟ୍ରେନରେ ଯିବା ଆସିବା କରିବେ । ସେହି ଅନୁଯାୟୀ ଆଜି ସେ ଜଣେ ସାଧାରଣ ଯାତ୍ରୀ ଭଳି ଟ୍ରେନରେ ଯାତ୍ରା କରିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen + one =