ଘର ପାଇଁ କେହି ହଇରାଣ ହେବେନି: ନବୀନ ଦେଲେ ନିର୍ଭର ପ୍ରତିଶ୍ରୁତି

ଭୁବନେଶ୍ବର () ରାଜ୍ୟବାସୀଙ୍କ ଘର ଚିନ୍ତାର ଦାୟିତ୍ବ ନେଲେ ରାଜ୍ୟ ସରକାର । ଆଜି ରାଜ୍ୟ କ୍ୟାବିନେଟରେ ଏନେଇ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ଘର ଯୋଜନା କିମ୍ବା ଖଣି ଅଞ୍ଚଳରେ ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ବାବଦରେ ୩ହଜାର ଟଙ୍କାର ସହାୟତା ଦିଆଯିବ । ସେହିଭଳି କେନ୍ଦ୍ରୀୟ ଯୋଜନାରୁ ଘର ପାଇନଥିବା ଲୋକଙ୍କୁ ମିଳିବ ୫ହଜାର ଟଙ୍କାର ସହାୟତା । ଏହାଛଡା ରାଜ୍ୟ ସରକାର ଆବାସ ଯୋଜନାରେ କେନ୍ଦ୍ର ସହ ଲଢେଇ ଜାରି ରଖିବା ସହ ଯେଉଁମାନେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ଦାୟିତ୍ବ ରାଜ୍ୟ ସରକାର ନେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ରାଜ୍ୟ କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଜାରି କରିଛନ୍ତି ଏକ ଭିଡିଓ ବାର୍ତ୍ତା । ଏଥିରେ ସେ କହିଛନ୍ତି ଯେ, ଘର ହେଉଛି ଗୋଟିଏ ପରିବାରର ପରିଚୟ। ଭଲ ଘରଟିଏ ସମସ୍ତଙ୍କର ସ୍ବପ୍ନ । ଓଡିଶା ଉପରେ ସବୁବେଳେ ବାତ୍ୟା ଓ ବନ୍ୟାର ଭୟ ରହୁଛି । ଏବେ ପ୍ରତି ବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର । ସବୁ ପରିବାରର ମୁଣ୍ଡ ଉପରେ ଭଲ ଛାତ ଥିଲା ବିଜୁ ବାବୁଙ୍କ ସ୍ବପ୍ନ । ସେହି ସ୍ବପ୍ନକୁ ସାକାର କରିବା ପାଇଁ ବିଜୁ ପକ୍କା ଘର ଯୋଜନା ଆରମ୍ଭ ହୋଇଛି । ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୧୪ର ପ୍ରଥମ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । ଏ ଦିଗରେ ମଧ୍ୟ ବହୁତ ଭଲ କାମ ହୋଇଛି । ଗ୍ରାମାଞ୍ଚଳରେ ଘର ତିଆରିରେ ଓଡିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ । ଏଥିପାଇଁ ରାଜ୍ୟ ସରକାର ୨୦୧୪ରୁ ଏପର୍ଯ୍ୟନ୍ତ ୨୨ ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହେଲାଣି ।

ଗାଁର ଗରିବ ଲୋକଙ୍କୁ ପକ୍‌କା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ ପକ୍‌କା ଘର, ନିର୍ମାଣ ଶ୍ରମିକ ପକ୍‌କା ଘର ଓ ଖଣି ଅଞ୍ଚଳ ପକ୍‌କା ଘର ଯୋଜନା କରିଛନ୍ତି । ତା ସହିତ କେନ୍ଦ୍ର ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରହିଛି । କେନ୍ଦ୍ର ଗୃହ ନିର୍ମାଣ ଯୋଜନା ପାଇଁ ରାଜ୍ୟ ସରକାର ମଧ୍ୟ ପାଖାପାଖି ଅଧା ଖର୍ଚ୍ଚ ବହନ କରୁଛନ୍ତି । କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଯୋଗ୍ୟ ପରିବାର ବହୁ ଦିନ ଧରି ଅପେକ୍ଷା କରିଛନ୍ତି । ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଦୁଃଖର କଥା ଆମର ଜନଜାତି ଅଞ୍ଚଳ ଓ ପଶ୍ଚିମ ଓଡିଶା ପରି ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ଲୋକମାନେ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି । ଏ ଵିଷୟରେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି କେନ୍ଦ୍ର ଶୁଣୁନି ବୋଲି ସେ କହିଛନ୍ତି ।

ମୁଁ ଜାଣେ କୋଭିଡ ଯୋଗୁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି । ଛୋଟ ଛୋଟ ମରାମତି କରିବା, ଏପରିକି ଚୂନ ଦେବା ପାଇଁ ମଧ୍ୟ ଆପଣଙ୍କ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଆପଣମାନଙ୍କର ଏ କଷ୍ଟକୁ ମୁଁ ଅନୁଭବ କରୁଛି । ଏଥିପାଇଁ ରାଜ୍ୟ କ୍ୟାବିନେଟ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ ସ୍ଥିର କରିଛି । ଏଭଳି ନିଷ୍ପତ୍ତି ନେବାରେ ଓଡିଶା ସରକାର ସାରା ଦେଶରେ ପ୍ରଥମ ।

ବିଜୁ ପକ୍‌କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ମୋ ସରକାର ୫୦୦୦ ଟଙ୍କା ଲେଖାଏ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି । ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ୩୦ ଲକ୍ଷ ପରିବାର ଉପକାର ପାଇବେ । ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜୁ ପକ୍କା ଘର ଯୋଜନାରୁ ଏ ଖର୍ଚ୍ଚ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୋ ସରକାର ଥିବା ପର୍ଯ୍ୟନ୍ତ ମୋ ରାଜ୍ୟର ଭାଇ ଭଉଣୀ ମାନଙ୍କୁ ଘର ପାଇଁ ହଇରାଣ ହେବାକୁ ମୁଁ ଦେବି ନାହିଁ । ମୁଁ ଚାହେଁ ସମସ୍ତେ ସମ୍ମାନ ର ସହ ବଞନ୍ତୁ । ଆପଣମାନଙ୍କ ପାଇଁ କେନ୍ଦ୍ର ଯୋଜନାରୁ ଘର ଆଣିବା ପାଇଁ ଆମେ ଚେଷ୍ଟା କରୁଛୁ । କିନ୍ତୁ ଯଦି କେନ୍ଦ୍ର ସରକାର ଆପଣମାନଙ୍କର ନ୍ୟାୟପୂର୍ଣ୍ଣ ଦାବୀକୁ ଗ୍ରହଣ ନ କରନ୍ତି, ତେବେ ଆପଣମାନେ ଚିନ୍ତା କରନ୍ତୁ ନାହିଁ । ରାଜ୍ୟ ସରକାର ଆପଣମାନଙ୍କ ସାଥିରେ ଅଛି । ଆପଣଙ୍କୁ ଘର ଦେବା ପାଇଁ ଆମେ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 2 =