ନବୀନଙ୍କୁ ‘ଫନି’ ଚିନ୍ତା : ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ କଲେ ଦାବି

ଭୁବନେଶ୍ବର () କାହାକୁ କେଉ ଚିନ୍ତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପର୍ଯ୍ୟୟ ପରିଚାଳନା ଚିନ୍ତା । ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ମୁଣ୍ଡ ଉପରେ ଫନି ଚିନ୍ତା । ଗୋଟେପଟେ ନିର୍ବାଚନ ଆଚରଣ ବିଧି ଆଉ ଗୋଟେପଟେ ଭୟଙ୍କର ରୂପରେ ମାଡି ଆସୁଛି ଫନି । ଏଭଳିସ୍ଥିତିରେ କିଭଳି ଭାବେ ସବୁ ଗୋଷ୍ଠିର ଲୋକଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ପ୍ରଶାସନ ସଫଳତାର ସହ ବିପର୍ଯ୍ୟୟ ପରିଚାଳନା କରିବ ସେଇ ଚିନ୍ତାରେ ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।

ଓଡିଶାର ଉପକୂଳ ଜିଲ୍ଲାଗୁଡିକ ପାଇଁ ଆସନ୍ତା 72 ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ବାତ୍ୟା ଫନି କେନ୍ଦ୍ରାପଡା ଜିଲ୍ଲାରେ ଲ୍ୟାଣ୍ଡଫଲ ହେବାର ସମ୍ଭାବନା ରହିଛି । ସେ ସମୟରେ 200ରୁ 220 କିଲୋମିଟର ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଫନି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଦେଇ ଗତି କରିବ । ଏହାକୁ ଦୃଷ୍ଟିରେ ରଖି ଉପକୂଳ ଜିଲ୍ଲାରୁ ଆଦର୍ଶ ଆଚରଣ ବିଧିକୁ ସଂପୁର୍ଣ୍ଣ ଉଠାଇଦିଆଯିବା ସହ ପାଟକୁରା ନିର୍ବାଚନକୁ କିଛି ଦିନ ପାଇଁ ଘୁଞ୍ଚାଇଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ବାତ୍ୟା ଭୟଙ୍କରତାକୁ ଦେଖିଲେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି । ଏଥିପାଇଁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ସହ ବ୍ୟାପକ ରିଲିଫ ଓ ଥଇଥାନ କାର୍ଯ୍ୟର ଆବଶ୍ୟକତା ରହିଛି । ହେଲେ ଚଳିତ ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି, ଯଦିଓ ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ 29 ତାରିଖରେ ଶେଷ ହୋଇଛି । ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ରିଲିଫ ଓ ଥଇଥାନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଧନଜୀବନ ହାନିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଉପକୂଳ ଓଡିଶାରୁ ଆଦର୍ଶ ଆଚରଣ ବିଧିକୁ କୋହଳ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ କମିଶନଙ୍କୁ କହିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା 19ତାରିଖ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ଯାଏଁ ବାତ୍ୟାର ଗତିପଥକୁ ନେଇ ଯାହା ଆକଳନ କରାଯାଉଛି, ସେଥିରୁ ଅନୁମାନ କରାଯାଉଛି ଫନି କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକରେ ଲ୍ୟାଣ୍ଡ ଫଲ କରିବ । ଓଡିଶାର ବିପର୍ଯ୍ୟୟ ପରିଚାଳନା ବିଶ୍ବ ଦରବାରରେ ପ୍ରଶଂସନୀୟ । ଏହା ଗୋଷ୍ଠି ସମନ୍ବୟ ଆଧାରରେ କରାଯାଇଥାଏ । ବିପଦ ଶଙ୍କୁଳ ସ୍ଥାନରେ ଥିବା ଲୋକଙ୍କ ସ୍ଥାନାନ୍ତର, ବିପର୍ଯ୍ୟୟ ପ୍ରସ୍ତୁତି, ରିଲିଫ ଓ ପୁନର୍ବାସ କାର୍ଯ୍ୟରେ ତୃଣମୂଳ ସ୍ତରର ଗୋଷ୍ଠିଙ୍କ ସହଯୋଗ ଜରୁରୀ । କିନ୍ତୁ ବର୍ତ୍ତମାନ ରାଜନୈତିକ ମାହୋଲ ସରଗରମ ରହିଥିବାରୁ ପ୍ରସ୍ତୁତି କାର୍ଯ୍ୟ ବ୍ୟାଘାତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

ଏଥିସହିତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ବହୁ ସଂଖ୍ୟାରେ ଲୋକବଳର ନିୟୋଜନ ସାଙ୍ଗକୁ ଖାଦ୍ୟ ସାମଗ୍ରୀ, ବହୁ ସଂଖ୍ୟାରେ ଯନ୍ତ୍ରାଂଶ ଆଦିର ବ୍ୟବହାର କରାଯାଇଥାଏ । ଗୋଷ୍ଠି ସଂପୃକ୍ତି ପାଇଁ ସ୍ଥାନୀୟ ଯୁବ ଗୋଷ୍ଠି, ସ୍ବୟଂ ସାହୟକ ଗୋଷ୍ଠି ଏବଂ ସାଧାରଣ ଗ୍ରାମବାସୀଙ୍କ ସହଯୋଗ ବିପର୍ଯ୍ୟୟ ପରିଚାଳନାରେ ମୂଳ ଉତ୍ସ । ସେମାନଙ୍କ ସହଯୋଗରେ ବୃଦ୍ଧ ବୃଦ୍ଧା, ଗର୍ଭବତୀ, ଶାରୀରିକ ଭିନ୍ନକ୍ଷମଙ୍କ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥାଏ । ମୁଖ୍ୟ ନିର୍ବାଚନ କମିଶନ ମଧ୍ୟ ଲୋକଙ୍କ ଧନଜୀବନ ନଷ୍ଟକୁ ନିୟନ୍ତ୍ରିତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବା ଉଚିତ ବୋଲି ଗ୍ରହଣ କରିବେ ।

ଏହିଦୃଷ୍ଟିରୁ ପାଟକୁରା ନିର୍ବାଚନକୁ କିଛି ଦିନ ପାଇଁ ଘୁଞ୍ଚାଇ ଦେବାକୁ ମୁଖ୍ୟମନ୍ତ୍ରୀ ଦୃଢ ଭାବେ ଦାବି କରିଛନ୍ତି । ଏହାଦ୍ବାରା ସବୁ ଗୋଷ୍ଠି ଏକାଠି କାମ କରିପାରିବେ ଏବଂ ପ୍ରଶାସନ ମଧ୍ୟ ଧନଜୀବନର ସୁରକ୍ଷାକୁ ପ୍ରଥମିକତା ଦେଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =