ଏଣିକି ସାଧାରଣ ଲୋକ ବି କରିପାରିବେ ଆଚରଣ ବିଧି ଉଲଂଘନ ଅଭିଯୋଗ

ଭୁବନେଶ୍ବର ()  ଆସନ୍ତା ସାଧାରଣ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧିର ଉଲଂଘନ ନେଇ ସାଧାରଣ ଲୋକ ମଧ୍ୟ କରିପାରିବେ ଅଭିଯୋଗ । ଏଥିପାଇଁ ନିର୍ବାଚନ କମିଶନ ଆରମ୍ଭ କରିଛନ୍ତି ସିଟିଜେନ ସର୍ଭେଇଲାନ୍ସ ଆପ । ସାଧାରଣ ନାଗରିକ ଏହି ଆପକୁ ନିଜ ମୋବାଇଲରେ ଡାଉନଲୋଡ କରି ଆଚରଣ ବିଧିର ଉଲଂଘନ କିମ୍ବା ଟଙ୍କା ବଣ୍ଟା କି ମଦ ବଣ୍ଟାର ଫଟୋ କି ଭିଜୁଆଲ ପଠାଇଲେ 100 ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ । ଆଜି ମୁଖ୍ୟ ନିର୍ବାଚନ କମିଶନ ଅଶୋକ ଲାଭାସା ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏଥିସହିତ ଭୋଟରଙ୍କ ସୁବିଧା ପାଇଁ ଏଥର ନିର୍ବାଚନ ପ୍ରକ୍ରିୟାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଉଛି । କମିଶନଙ୍କ ପକ୍ଷରୁ ସମାଧାନ ନାମକ ଏକ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ ହୋଇଛି, ଯେଉଁଥିରେ ଭୋଟରଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ ହେବ । ସେହିଭଳି ରାଜନୈତିକ ଦଳଗୁଡିକ ବିଭିନ୍ନ ଅନୁମିତି ସଂପର୍କିତ ଆବେଦନର ବିଚାର ପାଇଁ ସୁବିଧା ନାମସ ଏକ ଆପ୍ଲିକେସନ ପ୍ରସ୍ତୁତ ହୋଇଛି । ଏଥିସହିତ ଭୋଟରଙ୍କ ଯେକୌଣସି ପ୍ରଶ୍ନର ଉତ୍ତର ଦେବା ପାଇଁ ଟୋଲ ଫ୍ରି ନମ୍ବର 1950 ଜାରି ହୋଇଛି । ସିଟିଜେନ ସର୍ଭେଇଲାନ୍ସ ଆପ ନିକଟରେ ଅନୁଷ୍ଠିତ 5ଟି ରାଜ୍ୟର ନିର୍ବାଚନରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା । ଏହି ଆପ ଜରିଆରେ ପ୍ରାୟ 20ହଜାର ଅଭିଯୋଗ ହସ୍ତଗତ ହୋଇଥିଲା ବୋଲି କମିଶନ ସୂଚନା ଦେଇଛନ୍ତି ।

ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ହେଉଥିବା ପ୍ରଚାରକୁ ପ୍ରାର୍ଥୀ ଓ ଦଳର ନିର୍ବାଚନ ଖର୍ଚ୍ଚ ସହ ସାମିଲ କରାଯିବ । ଏପରିକି ସୋସିଆଲ ମିଡିଆରେ ହେଉଥିବା ବ୍ୟକ୍ତିଗତ ଆକ୍ଷେପ ଉପରେ ନଜର ରଖିବାକୁ ଜିଲ୍ଲା ସ୍ତରରେ ମିଡିଆ ମନଟରିଂ କମିଟି ଗଠନ କରାଯିବ । ନିର୍ବାଚନ ସମୟରେ ସୋସିଆଲ ମିଡିଆର ବ୍ୟବହାର ଏବଂ ନିୟନ୍ତ୍ରଣ ପାଇଁ ଜନ ପ୍ରତିନିଧି ଆଇନରେ କିଛି ସଂଶୋଧନ କରିବାକୁ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯାଇଥିବା କମିଶନ କହିଛନ୍ତି ।

ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟର ସବୁ ବୁଥରେ ଇଭିଏମ ଏବଂ ଭିଭିପାଟର ବ୍ୟବହାର କରାଯିବ । ତେଣୁ ଭୋଟରଙ୍କୁ ଏବାବଦରେ ଆବଶ୍ୟକ ସଚେତନତା ସୃଷ୍ଟି କରାଯିବ । ଏଥିପାଇଁ ଫେବୃଆରୀ 17 ଓ 23 ତାରିଖରେ ରାଜ୍ୟର ସବୁ ପୋଲିଂ ଷ୍ଟେସନରେ ସ୍ବତନ୍ତ୍ର କ୍ୟାମ୍ପ କରାଯିବ, ଯେଉଁଥିରେ ଏବେ ସୁଦ୍ଧା ଭୋଟର ଲିଷ୍ଟରେ ନାମ ପଂଜିକୃତ ହୋଇନଥିବା ଭୋଟର ନିଜ ନାମ ପଂଜିକୃତ କରିପାରିବେ । ଏଥିସହିତ ନିର୍ବାଚନରେ ସରକାରୀ କଳର ଅପବ୍ୟବହାର, ପେଟ୍ରୋଲ ପମ୍ପ, ଆମ୍ବୁଲାନ୍ସ ଏବଂ ପୋଲିସ ଭ୍ୟାନରେ କଳାଧନ ପରିଚାଳନା କରାଯାଉଥିବା ନେଇ ସବୁ ରାଜନୈତିକ ଦଳ କମିଶନଙ୍କ ନିକଟରେ ଆପତ୍ତି ଉଠାଇଥିଲେ । ଏହାକୁ ଦୃଷ୍ଟିରେ ରଖି ମୋବାଇଲ ୟୁନିଟ ମାନ ଗଠନ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ 3 କୋଟି 18 ଲକ୍ଷ 38ହଜାର 210ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ସଂଯୋଗ କରାଯାଇଛି । 37ହଜାର 606ଟି ମତଦାନ କେନ୍ଦ୍ରରେ ମତଦାନ ହେବ । 94 ପ୍ରତିଶତ ମତଦାନ କେନ୍ଦ୍ରରେ ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ରହିଥିବା ବେଳେ 63 ପ୍ରତିଶତ ବୁଥରେ ବିଦ୍ୟୁତିକରଣ ରହିଛି । ଆସନ୍ତା ମାର୍ଚ୍ଚ 15 ତାରିଖ ସୁଦ୍ଧା ରାଜ୍ୟର ସବୁ ମତଦାନ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି କମିଶନଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି । ଏଥିସହିତ ତିନି ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ଅବସ୍ଥାପିତ ସରକାରୀ ଅଧିକାରୀଙ୍କ ବଦଳି ପାଇଁ ସବୁ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିଲେ । ଏନେଇ ମଧ୍ୟ ଖୁବଶୀଙ୍କ  କାର୍ଯ୍ୟାନୁଷ୍ଠାନ ହେବ ।

Share

Leave a Reply

Your email address will not be published. Required fields are marked *

11 − 10 =