ହଜ୍ ହାଉସର ଉଦଘାଟନ ସହ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସବୁ ବର୍ଗର ଲୋକଙ୍କ କଲ୍ୟାଣ ଆମର ଲକ୍ଷ୍ୟ : ନବୀନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟଦେବ ଭବନରେ ନବନିର୍ମିତ ହଜ ହାଉସର ଉଦଘାଟନ କରିବା ସହ ହଜ ଯାତ୍ରାରେ ଯାଉଥିବା ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷ 653 ଜଣ ଯାତ୍ରୀ ହଜ୍ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ 386 ଜଣ ପୁରୁଷ ଓ 267 ଜଣ ମହିଳା । ହଜ ହାଉସ ପ୍ରତିଷ୍ଠା ଦ୍ବାରା ହଜ ଯାତ୍ରୀମାନଙ୍କ ଯାତ୍ରା ଆହୁରି ସୁଗମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସଂଖ୍ୟାଲଘୁ ସଂପ୍ରଦାୟର ବିକାଶ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଆସୁଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କ ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଅର୍ବାନ ହଷ୍ଟେଲ ଓ ଶିକ୍ଷାବୃତ୍ତି ସହିତ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନଗୁଡିକର ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ସଂଖ୍ୟାଲଘୁ ବର୍ଗର କଲ୍ୟାଣ ସହିତ ରାଜ୍ୟର ସବୁ ବର୍ଗର ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୁଚନାଯୋଗ୍ୟ ଯେ, ସଂଖ୍ୟାଲଘୁ ବର୍ଗର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସଂଖ୍ୟାଲଘୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ 40ଟି ହଷ୍ଟେଲ ନିର୍ମାଣ କରାଯାଉଛି । ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନରେ ଲାଇବ୍ରେରୀ, ଅତିରିକ୍ତ ଶ୍ରେଣୀଗୃହ, ଲାବ୍ରୋଟୋରୀ ଇତ୍ୟାଦିର ବ୍ୟବସ୍ଥା କରାଯାଉଛି । ସେମାନଙ୍କ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର 100ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଅନୁମୋଦନ ମଧ୍ୟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

six + 16 =