ରାଜ୍ୟରେ ପୁଣି ବଢିଲା ବସ୍‌ ଭଡା

ରାଜ୍ୟରେ ପୁଣି ବଢିଲା ବସ୍‌ ଭଡା । ଡିଜେଲ ଦର ଅହେତୁକ ବୃଦ୍ଧି ଫଳରେ ଭଡା ବଢାଇଛନ୍ତି ବସ୍‌ ମାଲିକ ସଂଘ । ସାଧାରଣ ବସ୍‌ ଭଡା କିଲୋମିଟର ୮୭ ରୁ ୯୦ ପଇସା ବୃଦ୍ଧି ଘଟିଛି । ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୯୧ ରୁ ୯୪ ପଇସା ବୃଦ୍ଧିପାଇଛି । ସେହିଭଳି ଡିଲକ୍ସ ବସ୍‌ କିମି ପିଛା ୧ ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧିପାଇଥିବା ବେଳେ ଏସି ଡିଲକ୍ସ ଭଡା ୧.୫୩ ରୁ ୧.୫୯ ଟଙ୍କା ବୃଦ୍ଧିକରିଛନ୍ତି ବସ୍‌ ମାଲିକ ସଂଘ । ସୁପର୍‌ ଡିଲକ୍ସ ବସ୍‌ ଭଡା ୨ ଟଙ୍କା ୩୮ ପଇସାରୁ ୨ଟଙ୍କା ୪୭ ପଇସାକୁ ବୃଦ୍ଧିପାଇଛି । ରାଜ୍ୟରେ ବସ୍‌ ଭଡା ବଢିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ସୂଚନା ଥାଉକି, ଏହା ପୂର୍ବରୁ ଜୁଲାଇ ୨୦୨୧ ରେ ବସ୍ ଭଡା ବୃଦ୍ଧି ପାଇଥିଲା । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ସଂଘ ।

ପେଟ୍ରୋଲ ଏବଂ ଡିଜେଲ ଦାମ ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ପ୍ରତିଦିନ ବଢୁଛି ତୈଳ ଦାମ । ଯାହା ଫଳରେ ଗୁରୁବାର ରାଜ୍ୟରେ ବସ୍‌ ଭଡା ବଢାଇଛନ୍ତି ଘରୋଇ ବସ୍‌ ମାଲିକ ସଂଘ । ଗତ ୧୦ ଦିନ ମଧ୍ୟରେ ୯ ଥର ବଢିଲାଣି ପେଟ୍ରୋଲ ଏବଂ ଡିଜେଲ ଦାମ । ଗୁରୁବାର ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଡିଜେଲ ଲିଟର ପିଛା ୯୫ ପଇସା ବୃଦ୍ଧି ପାଇଛି । ଫଳରେ ଲିଟର ପିଛା ଡିଜେଲ ଦର ବର୍ତ୍ତମାନ ୯୮.୪୨ ଟଙ୍କା ରହିଛି ।

ସେହିଭଳି ପେଟ୍ରୋଲ ରେଟ୍‌ ମଧ୍ୟ ଲଗାତାର ଭାବେ ବଢିବାରେ ଲାଗିଛି । ଗୁରୁବାର ଭୁବନେଶ୍ବରରେ ପେଟ୍ରୋଲ ୯୭ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୮.୬୫ ଟଙ୍କା ହୋଇଯାଇଛି । ଗତକାଲି ଅର୍ଥାତ ବୁଧବାର ମଧ୍ୟ ରାଜ୍ୟରେ ୮୫ ପଇସା ବୃଦ୍ଧି ପାଇଥିଲା ପେଟ୍ରୋଲ ଦର । ତେବେ ଲଗାତାର ଭାବେ ତୈଳ ଦର ବୃଦ୍ଧିପାଇବା ଯୋଗୁଁ ଏହାର ପ୍ରଭାବ ମସ୍‌ ଭଡା ଏବଂ ଦରଦାମ ଉପରେ ପଡିବା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

seven + 11 =