ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲରେ ଝାରସୁଗୁଡାରେ ବିଏସ୍‌ୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ

ଝାରସୁଗୁଡ଼ା : ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିବା ବହୁ ପ୍ରତୀକ୍ଷିତ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ଯୋଜନାରେ ଆଜି ଠାରୁ ଝାରସୁଗୁଡା ଜିଲ୍ଲା ସାମିଲ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହାର ଶୁଭାରମ୍ଭ କରିବେ । ଏହି ଅବସରରେ ଝାରସୁଗୁଡାର ବହୁ ପ୍ରତୀକ୍ଷିତ ବସ୍ ଟର୍ମିନାଲର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅତ୍ୟାଧୁନିକ ବସ୍ ଟର୍ମିନସ୍ ଏବେ ଝଲସି ଉଠିଛି । ସେହିପରି ଜିଲ୍ଲାର ବିଭିନ୍ନ ଉନ୍ନୟନ ସଂପର୍କିତ ୧୪୪ କୋଟିର ପ୍ରକଳ୍ପର ଉଦଘାଟନ ଏବଂ ୧୬୮ କୋଟି ଟଙ୍କାର ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡା ଇଞ୍ଜିନିଅରିଂ ସ୍କୁଲରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସ୍‌କେୱାଇ ) ର ସ୍ମାର୍ଟ କାର୍ଡ ଯୋଜନାରେ ଇତିମଧ୍ୟରେ ରାଜ୍ୟର ୧୦ ଜିଲ୍ଲା ସାମିଲ ହୋଇସାରିଥିବା ବେଳେ ଆଜି ଏଥିରେ ଝାରସୁଗୁଡା ଜିଲ୍ଲା ସାମିଲ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଆଜି ଭର୍ଚୁଆଲ ମୋଡ୍‌ରେ ଏହି ଜିଲ୍ଲାରେ ଉକ୍ତ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଅବସରରେ ଝାରସୁଗୁଡା ଜିଲ୍ଲାର ବହୁ ପ୍ରତୀକ୍ଷିତ ବସ୍ ଟର୍ମିନସ୍‌ର ମଧ୍ୟ ଲୋକାର୍ପଣ ହେବାକୁ ଯାଉଛି । ଡିଏମ୍ଏଫ୍ ଏବଂ ସିଏସ୍‌ଆର୍ ପାଣ୍ଠିରୁ ୧୫୧୫.୦୪ ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ସାଙ୍ଗକୁ ୧୪୪ କୋଟି ୨୨ ଲକ୍ଷ ଟଙ୍କାର ୧୪ଟି ଉନ୍ନୟନ ପ୍ରକଳ୍ପ ଉଦଘାଟନ ହେବ । ସେହିପରି ୧୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଦେବେ ମୁଖ୍ୟମନ୍ତ୍ରୀ । ଏଥିରେ ୩୩୦.୦୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲର ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ହଷ୍ଟେଲ , ୩୦୭.୨୬ ଲକ୍ଷ ଟଙ୍କା ବ୍ୟୟରେ ବ୍ରଜରାଜନଗର ଗାନ୍ଧୀଛକ ଠାରୁ ରାଜପୁର ପର୍ଯ୍ୟନ୍ତ ରାସ୍ତା , ୩୮୦.୩୮ ଲକ୍ଷ ଟଙ୍କାରେ ନିର୍ମିତ ବେଲପାହାଡ଼ କଲେଜର ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ହଷ୍ଟେଲ , ଭଉରା – କିଞ୍ଜିରମା ରାସ୍ତାରେ ସଫେଇ ନଦୀରେ ୯୮୫.୭୧ ଲକ୍ଷ ଟଙ୍କାରେ ନିର୍ମିତ ହାଇଲେଭେଲ୍ ବ୍ରିଜ୍ , ୫୦୧.୦୮ ଲକ୍ଷ ଟଙ୍କା ବ୍ୟୟରେ ଲଖନପୁର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଠା , ୫୧୬ , ୭୪ ଲକ୍ଷ ଟଙ୍କା ବ୍ୟୟରେ ଝାରସୁଗୁଡ଼ା ବ୍ଲକର ଏଚ୍ କଟାପାଲି ଠାରେ ନିର୍ମିତ ଆଦର୍ଶ ବିଦ୍ୟାଳୟ କୋଠା , ୫୧୫୩.୪ ଲକ୍ଷ ଟଙ୍କାରେ ଝାରସୁଗୁଡ଼ା ଏବଂ ୮୮୮ ଲକ୍ଷ ଟଙ୍କାରେ ନିର୍ମିତ ବ୍ରଜରାଜନଗର ସହରାଞ୍ଚଳ ପାଇଁ ବିଶୋଧନ ଜଳ ଯୋଗାଣ ପ୍ରକଳ୍ପ , ୩୫୮ ଲକ୍ଷ ଟଙ୍କାରେ ଝାରସୁଗୁଡ଼ା ପୌରାଞ୍ଚଳର ସିପଟେଜ୍ ପ୍ଲାଣ୍ଟ୍ , ୩୦୨ ଲକ୍ଷ ଟଙ୍କାରେ ବ୍ରଜରାଜନଗର ପୌରାଞ୍ଚଳରେ ସିପଟେଜ୍‌ ପ୍ଲାଣ୍ଟ୍‌ , ୨୫୩ ଲକ୍ଷ ଟଙ୍କା ବ୍ୟୟରେ ବେଲପାହାଡ଼ ପୌରାଞ୍ଚଳରେ ସିପଟେଜ ପ୍ଲାଣ୍ଟ , ଚିଚିଣ୍ଡା ଠାରେ ୨୮୩୪ ଲକ୍ଷ ଟଙ୍କା ବ୍ୟୟରେ ପାର୍ବତୀ ଗିରି ମେଗାଲିଫ୍ ପ୍ଲାଣ୍ଟ୍‌ ଏବଂ ୯୭.୮ ଲକ୍ଷ ଟଙ୍କା ବ୍ୟୟରେ ବେଲପାହାଡ଼ ଠୁଙ୍ଗିଆଡେରାରୁ ଠକରବାପା ଆଶ୍ରମ ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଶୁଭ ଉଦ୍‌ଘାଟନ ତଥା ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଏହାବାଦ୍ ୨ ହଜାର ହୀରାକୁଦ ବନ୍ଧ ବିସ୍ଥାପିତ ପରିବାରଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରାଯିବ । ସେହିପରି ପ୍ରାୟ ୧୬୮ କୋଟି ୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ୧୮ଟି ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ୬୫୨୬.୪୬ ଲକ୍ଷ ଟଙ୍କା ବ୍ୟୟରେ ବେଲପାହାଡ଼ ବାଇପାସ ରାସ୍ତା , ୧୦୨୦ ଲକ୍ଷ ଟଙ୍କା ବ୍ୟୟରେ ବେଲପାହାଡ଼ର ବିଜୁ ପଟ୍ଟନାୟକ ଇନ୍‌ଡୋର୍‌ ଷ୍ଟାଡିୟମ , ୯୯୦ ଲକ୍ଷ ଟଙ୍କା ବ୍ୟୟରେ ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଠା , ୪୬୦.୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଦେବଦରହକୁ ଏନ୍ଏଚ୍ – ୪୯ରୁ ରାସ୍ତା ସହ ଅହିରାନାଳାରେ ସେତୁ ନିର୍ମାଣ ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି ।

Share

Leave a Reply

Your email address will not be published. Required fields are marked *

fourteen + 5 =