ସୋଆରେ ଅଫଗାନିସ୍ତାନର ସାହସୀ ଝିଅ ବ୍ରେସ୍ନା ମୁସାଜାଇ

ଭୁବନେଶ୍ୱର () ଆଫଗାନୀସସ୍ତନର ସାହସୀ ଝିଅ ବ୍ରେସ୍ନା ମୁସାଜାଇ ଶୁକ୍ରବାରଦିନ ସୋଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ୱାସର ସୁଫଳ ବିଷୟରେ ଆଲୋକପାତ କରିଛନ୍ତି । ଜନ୍ମରୁ ପୋଲିଓ ଶିକାର ଏବଂ କଲେଜରେ ପାଠ ପଢ଼ିବା ସମୟରେ ତାଲିବାନୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା ଏହି ଝିଅ ଏବେ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛନ୍ତି । ସେ ପ୍ରମାଣିତ କରିଛନ୍ତି ଯେ, ଶାରୀରିକ ଅକ୍ଷମତା ଏବଂ ମୃତ୍ୟୁର ଭୟ ସତ୍ୱେ ମଣିଷ ଯେକୌଣସି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିପାରିବ ଏବଂ ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିବ ।

ଆଫଗାନୀସ୍ଥାନର ଝିଅ ବ୍ରେସ୍ନା ମୁସାଜାଇ ଆମେରିକାନ୍ ୟୁନିଭର୍ସିଟି ଅଫ୍ ଆଫଗାନୀସ୍ଥାନରେ ପାଠ ପଢ଼ୁଥିବା ବେଳେ ତାଲିବାନ ଆତଙ୍କବାଦୀମାନେ ୟୁନିଭର୍ସିଟିର କ୍ୟାମ୍ପସ୍ ଉପରେ ଆକ୍ରମଣ କରିଥିଲେ । ବ୍ରେସ୍ନାଙ୍କ ଗୋଡରେ ବାଜିଥିଲା ଦୁଇଟି ଗୁଳି । ପୋଲିଓର ଶିକାର ବ୍ରେସ୍ନା ଅନ୍ୟଛାତ୍ରଛାତ୍ରୀଙ୍କ ଭଳି ଦୌଡି ପାରି ନଥିଲେ । ଗୁଳିବିଦ୍ଧ ଗୋଡରେ ୬ ଘଣ୍ଟା ଧରି କ୍ୟାମ୍ପସ୍ ଚଟାଣରେ ପଡ଼ିରହିଥିଲେ ।

ପୁଲିସ୍ ଆସିବାକୁ ଅପେକ୍ଷା କରି ମୃତ ଭଳି ଅଭିନୟ କରି ଚଟାଣରେ ପଡ଼ିରହିଥିବାବେଳେ ତାଙ୍କ ଗୋଡରେ ଆଉ ଗୋଟିଏ ଗୁଳି ବାଜିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ନିଜର ଏହି ଦୁଃଖଦ ଅନୁଭୂତିକୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ କ୍ଷୋଭଭରା କଣ୍ଠରେ ବଖାଣିଛନ୍ତି ମୁସାଜାଇ ।

ହସ୍ପିଟାଲରେ ନିଜ ବାପାଙ୍କୁ ଭେଟିଥିବା ବେଳେ ତାଙ୍କ ବାପା ତାଙ୍କୁ ବ୍ୟସ୍ତ ନ ହେବା ପାଇଁ ବୁଝାଇଥିଲେ ଏବଂ ସାନ୍ତ୍ୱନା ଦେଇଥିଲେ ଯେ ପ୍ରତ୍ୟେକ ଘଟଣା ପଛରେ କିଛି କାରଣ ରହିଥାଏ ।

ଡାକ୍ତରମାନେ ଭାବିଥିଲେ ହୁଏତ ବ୍ରେସ୍ନା ଆଉ ଭଲ ହେବେ ନାହିଁ । ତେବେ ଆମେରିକାର ଟେକ୍ସାସ୍ ରେ ୬ ମାସ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇପାରିଥିଲେ ।

ତାଙ୍କୁ ଆଫଗାନସ୍ଥାନର ମଲାଲା ୟୁସଫଜାଇ ବୋଲି କୁହାଯାଉଥିବା ବେଳେ ସାରା ବିଶ୍ୱରେ ମହିଳା ଶକ୍ତି ପାଇଁ ସେ ଏବେ ଆଶାର ଆଲୋକବର୍ତ୍ତିକା ପାଲଟିଛନ୍ତି । ତାଙ୍କୁ ମଲାଲା ଡାକୁଥିବା ନେଇ ସେ କହିଛନ୍ତି “ମଲାଲା ଖୁବ୍ ସାହସୀ ଝିଅ, ମୋତେ ମଲାଲା ଡାକିବା ମୋ ପାଇଁ ଗର୍ବର ବିଷୟ । ଯଦି ଲୋକମାନେ ମୋ ଦ୍ୱାରା ଅନୁପ୍ରାଣୀତ ହେଉଛନ୍ତି ତେବେ ମୁଁ ଖୁବ୍ ଆନନ୍ଦିତ । ମାତ୍ର ମୁଁ ଚାହିଁବି ଲୋକେ ମୋ ନା’ ରେ ମୋତେ ଚିହ୍ନନ୍ତୁ ।

ଆଫଗାନିସ୍ଥାନରେ ମୋ ଜୀବନ ପ୍ରତି ଭୟ ଥିବା ଦର୍ଶାଇ ମୋତେ ଆମେରିକାରେ ରହିଯିବା ପାଇଁ ଅନେକ ଲୋକ କହିଥିଲେ । ତେବେ ମୁଁ ଫେରିଆସିବାକୁ ଚାହିଁଥିଲି କାରଣ ଯେଉଁମାନଙ୍କର କଷ୍ଟର ସ୍ୱର ବାହାରକୁ ଶୁଭୁନାହିଁ ସେମାନଙ୍କ ମୁଁ ସ୍ୱର ହୋଇପାରିବି ।

ସୋଆ ସମ୍ ନର୍ସିଂ କଲେଜ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସ୍ନାଲ୍ ୟୁଥ କମିଟିର ସଭାପତି ଡକ୍ଟର କେ.କେ. ସିଂ ଏବଂ ମାଳଦ୍ୱୀପର ଚିଫ୍ କମିଶନର ଅଫ୍ ସିଭିଲ୍ ସର୍ଭିସେସ୍ ଡକ୍ଟର ଅଲ୍ଲୀ ଶମିମ୍‍ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଡକ୍ଟର ସିଂ କହିଥିଲେ ସେ ଖୁବ୍ ଗରିବ ପରିବାରରୁ ଆସିଛନ୍ତି ଏବଂ ସଫଳତାର ଶିଡ଼଼ି ଚଢ଼ିବା ପାଇଁ ଅନେକ କଷ୍ଟ କରିଛନ୍ତି । ୨୦୧୭ ମସିହାରେ ଆନ୍ତର୍ଜାତିକ ସ୍ତରରେ ପ୍ରତିଭାବାନ ଯୁବପ୍ରତିଭା ଭାବେ ପରିଚିତ ଡକ୍ଟର ସିଂ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ କୋ÷ଣସି ପରିସ୍ଥିତିରେ ହତୋତ୍ସାହିତ ହେବା ଉଚିତ୍ ନୁହେଁ । ନିଜକୁ ଯେଉଁ କାମ ଦିଆଯାଉଛି ସେହି କାମ କରିବା ଉଚିତ୍ । ସଫଳତା ବା ବିଫଳତାର ମାନେ କିଛି ନାହିଁ । ନିଜ ଭୁଲ୍ ରୁ ମଣିଷ କିଛି ଶିଖିଥାଏ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯଦି ଆମେ ବଦଳିବା ତେବେ ଆମ ସମାଜ ବଦଳିଯିବ ।
ଏହି ଅବସରରେ ଡକ୍ଟର ଶମିମ୍ ନିଜ ଦେଶ ମାଳଦ୍ୱୀପକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଜଳବାୟୁର ପରିବର୍ତନ ଯୋଗୁଁ ଏହାର ପ୍ରଭାବ ମାଳଦ୍ୱୀପ ଉପରେ କିଭଳି ପଡ଼ିବ ସେ ନେଇ ଆଶଙ୍କା କରିଥିଲେ । ସେ କହିଥିଲେ ଯେ ହୁଏତ ୨୦୫୦ ବେଳକୁ ମାଳଦ୍ୱୀପ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇପାରେ । ଗ୍ଲୋବାଲ୍ ୱାର୍ମିଂ ଯୋଗୁ ଏଭଳି ଘଟିବାକୁ ଯାଉଥିବାବେଳେ ମାଳଦ୍ୱୀପ ଭଳି ଛୋଟ ଦ୍ୱୀପ ବିନା ଦୋଷରେ ପ୍ରଭାବିତ ହେବ ବୋଲି ସେ କହିଥିଲେ ।

ମୁସାଜାଇଙ୍କ ସମେତ ଅନ୍ୟ ଦୁଇଜଣ ଅତିଥିଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲ୍ ଅଫ୍ ନର୍ସିଂ କଲେଜର ଡିନ୍ ଡକ୍ଟର ପ୍ରଭାତୀ ତ୍ରିପାଠୀ, ଛାତ୍ର ମଙ୍ଗଳ ଡିନ୍ ଡକ୍ଟର ଜ୍ୟୋତିରଞ୍ଜନ ଦାସ, ସୋଆ ନର୍ସିଂ କଲେଜର ଅତିରିକ୍ତ୍ ଡିନ୍ ତପତି ଶାହା, ଆସୋସିଏଟ୍ ଡିନ୍ ସସ୍ମିତା ଦାସ ଏବଂ ସିନିୟର ଫାକଲ୍ଟି ସସ୍ମିତା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five × 3 =