ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଁଖାଇ ଭେଟଘାଟ୍-୨୦୨୧ ଅନୁଷ୍ଠିତ

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍-୨୦୨୧ ସ୍ଥାନୀୟ ପିଆର୍ ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଓଟିଡିସି ଚେଆର୍ମେନ୍ ଶ୍ରୀମୟୀ ମିଶ୍ର, ଜିଲ୍ଲାପାଳ ଚଂଚଳ ରାଣା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକୁର ବରେଣ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସଭା ସଂଚାଳନ କରିଥିଲେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ ଚଂଦ୍ର ସାହୁ ।

ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ‘ନୂଆଁଖାଇ’ ଗଣପର୍ବ କିଭଳି ସୁଦୃଢ଼ କରି ଗଢ଼ି ତୋଳିଛି ସେ ସଂପର୍କରେ ଓଟିଡିସି ଚେଆର୍ମେନ୍ ଶ୍ରୀମୟୀ ମିଶ୍ର ମତବ୍ୟକ୍ତ କରି କହିଥିଲେ ଯେ, ଅନ୍ନର ପୂଜନୋତ୍ସବ ହେଉଛି ନୂଆଁଖାଇ । ପ୍ରକୃତି ଠାରୁ ମିଳୁଥିବା ଅପୂର୍ବ ଦାନ ‘ଅନ୍ନ’କୁ ପ୍ରଥମେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ପାଖରେ ସମର୍ପଣ କରି ନିଜେ ଗ୍ରହଣ କରିବା ଭଳି ଏକ ନିଆରା ପରମ୍ପରା ବହନ କରିଛି ନୂଆଁଖାଇ ପର୍ବ । ଜିଲ୍ଲାପାଳ ଶ୍ରୀ ରାଣା ନିଜ ବକ୍ତବ୍ୟରେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ନୂଆଁଖାଇ ଶାନ୍ତି, ମୈତ୍ରୀ, ସଦ୍ଭାବ ଓ ଭାଇଚାରାର ବାର୍ତା ବହନ କରେ । ନୂଆଁଖାଇ ଭଳି ଏକ ପବିତ୍ର ପର୍ବକୁ ଆହୁରି ମହିମାମୟ କରିବା ପାଇଁ ଓଡ଼ିଶା ସରକାର ଆଜି ବିଶେଷ ପଦକ୍ଷେପ ନେଇଛନ୍ତି ।

କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ସାରା ଓଡ଼ିଶାର ପ୍ରତିଟି ଜିଲ୍ଲାରେ ନୂଆଁଖାଇ ଭେଟ୍ଘାଟ୍ କାର୍ୟ୍ୟକ୍ରମ ଆୟୋଜନ କରାଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ସାରା ଓଡ଼ିଶାକୁ ଏକତାର ସୂତ୍ରରେ ବାନ୍ଧି ରଖି ପାରିବ, ଏଥିରେ ତିଳେ ମାତ୍ର ସଂଦେହ ନାହିଁ । ସେହିଭଳି ଏସ୍ପି ଶ୍ରୀ କୁଶଲକର ନିଜ ବକ୍ତବ୍ୟରେ କହିଥିଲେ ଯେ, ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ସଂସ୍କୃତି ବେଶ୍ ସମୃଦ୍ଧ । ଏହାର ପର୍ବପର୍ବାଣୀରେ ମଧ୍ୟ ବିଶେଷ ସ୍ୱତନ୍ତ୍ରତା ରହିଛି । ଏହି ଅବସରରେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ବିଶିଷ୍ଟ କଣ୍ଠଶିଳ୍ପୀ ସୁଶ୍ରୀ ବୀଥିକା ଚାଟାର୍ଜୀ, ସୁନାମଧନ୍ୟ ସଂଗୀତଜ୍ଞ ଶଙ୍କର ପ୍ରସାଦ ପ୍ରଧାନ, ସଂଗୀତ ସାଧକ ଆଲୋକ ପ୍ରକାଶ ଦାସ ଓ ବେଶ୍ ଜଣାଶୁଣା କଣ୍ଠଶିଳ୍ପୀ ନବୀନ କିଶୋର କୁଅଁରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଭା କାର୍ୟ୍ୟ ପରେ ଲୋଇସିଂହାର ସଂଗୀତ ସାଧନା, ଶଙ୍କର ବେହେରା ଓ ସାଥୀ ଏବଂ ତୁଷୁରାର କୃଷ୍ଣପ୍ରିୟା କଳାକାର ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପର୍ୟ୍ୟାୟରେ ସଂଯୋଜନା କରିଥିଲେ ରସରାଜ ଅଚ୍ୟୁତ ପୁରୋହିତ ଏବଂ ସ୍ନେହା ।

Share

Leave a Reply

Your email address will not be published. Required fields are marked *

three × 1 =