କରୋନା କାଳରେ ବଢ଼ିଲା ଅଟୋ ଭଡ଼ା, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଓ କୋଭିଡ୍‌ ପାଇଁ ମାତ୍ର ୨ଜଣ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି ରାଜଧାନୀ ଅଟୋରିକ୍ସା ମହାସଂଘ ଦରବୃଦ୍ଧି କରିଛି । ମହାସଂଘର ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ୩ କିଲୋମିଟର ପାଇଁ ଯାତ୍ରୀ ପିଛା ୨୦ ଟଙ୍କା ସ୍ଥିର କରାଯାଇଛି । ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ରିଜର୍ଭେସନ୍‌ ପାଇଁ ମଧ୍ୟ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା ଓ ତା’ଠାରୁ ଅଧିକ ହେଲେ ୧ କିଲୋମିଟର ପାଇଁ ୧୫ ଟଙ୍କା ଧାର୍ଯ୍ୟ କରାଯାଇଛି । ମହାସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ମହାସଂଘ ଦର୍ଶାଇଛି ଯେ ଗତ କିଛିଦିନ ହେଲା କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଘଟୁଛି । କୋଭିଡ୍‍ ସମୟରେ ଅଟୋଚାଳକଙ୍କ ଜୀବିକା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ହେଲା ଅଟୋରିକ୍ସା ଯାତ୍ରୀ ପରିବହନ ଦରବୃଦ୍ଧି ପାଇଁ ମହାସଂଘ ଦାବି କରି ଆସୁଛି। କିନ୍ତୁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏନେଇ ନିରବ ରହି ଆସିଛି । ୨୦୦୫ ମସିହା ପରେ ଆଉ ଦରଧାର୍ଯ୍ୟ ହୋଇନାହିଁ । ଫଳରେ ଅଟୋରିକ୍ସା ଚାଳକମାନେ ବିନା ଦରଧାର୍ଯ୍ୟରେ ଅଟୋ ଚାଳନା କରୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଭୁଲ୍‌ ବୁଝାମଣା ଓ ଯାତ୍ରୀମାନଙ୍କ ସହ ଦରବୃଦ୍ଧି ପାଇଁ ଝଗଡ଼ା ହେଉଛି ।

ତେଣୁ ମହାସଂଘ ଏହି ଦରବୃଦ୍ଧି ନିଷ୍ପତ୍ତି ନେଇଛି ।ତେଣୁ ମହାସଂଘ ଆଜି ଏହି ଦରବୃଦ୍ଧି ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ଅଟୋ ଖରିଦ ସମୟରେ ମିଟର କିଣିବା ବାଧ୍ୟତା ମୂଳକ ହୋଇଥିବା ଏବଂ ମିଟର ଅନୁଯାୟୀ ଦର ଆଦାୟ ପାଇଁ ବହୁ ଦିନରୁ ଦାବି ହୋଇଥିଲେ ମଧ୍ୟ ମହାସଂଘ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନାହିଁ । ଅଧିକାଂଶ ଅଟୋରେ ମିଟର ଲାଗିଥିଲେ ମଧ୍ୟ ସେଗୁଡିକ ଅଚଳ ଥିବା ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

five − three =