ରାଜ୍ୟ

ବଦଳିବ କି ମନ୍ତ୍ରୀମଣ୍ଡଳ? ମୋହନଙ୍କ ଦିଲ୍ଲୀ ଗସ୍ତଙ୍କୁ ନେଇ ଚର୍ଚ୍ଚା

ଓଡ଼ିଶାରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆସନ୍ତା ମାସରେ ଦୁଇ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆଜିର ଦିଲ୍ଲୀ ଗସ୍ତ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ସରକାର ୨୩ ମାସର କାର୍ଯ୍ୟକାଳ ଶେଷ କରିଥିବା ବେଳେ ଏହି ଗସ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ନେଇ ଚାଲିଥିବା ଚର୍ଚ୍ଚାକୁ ଆହୁରି ସତେଜ କରିଛି ।

ସବୁଠାରୁ ବଡ଼ କଥା ହେଉଛି, ଅନେକ ବରିଷ୍ଠ ବିଧାୟକ ଏବେ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ଯେଉଁ ବିଧାୟ ଦିଲ୍ଲୀ ଗସ୍ତରେ ଅଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି:ଡାକ୍ତର ଫକୀର ମୋହନ ନାୟକ, ଇରାସିସ ଆଚାର୍ଯ୍ୟ, ଉମା ଚରଣ ମଲ୍ଲିକ, ସିଦ୍ଧାନ୍ତ ମହାପାତ୍ର, ଦୁର୍ଗା ପ୍ରସନ୍ନ ନାୟକ, ପ୍ରକାଶ ଚନ୍ଦ୍ର ସେଠୀ ଓ ପ୍ରତାପ ଚନ୍ଦ୍ର ପ୍ରଧାନ । ଯଦିଓ ଗସ୍ତର ପ୍ରକୃତ ଉଦ୍ଦେଶ୍ୟ ସରକାରୀ ଭାବେ ସ୍ପଷ୍ଟ କରାଯାଇ ନାହିଁ । ତଥାପି ଏତେ ସଂଖ୍ୟକ ବରିଷ୍ଠ ବିଧାୟକଙ୍କ ଦିଲ୍ଲୀରେ ଏକାଠି ହେବା ପଛରେ କିଛି ବଡ଼ ରାଜନୈତିକ ସଂକେତ ଥିବା ସ୍ପଷ୍ଟ ଜଣାପଡୁଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ବର୍ତ୍ତମାନର ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମୀକ୍ଷା କରାଯିବ ।

ସୂଚନା ଅନୁସାରେ ନିକଟରେ ସମସ୍ତ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗର ସଫଳତା ରିପୋର୍ଟ ମଗାଯାଇଥିଲା । ସେହିପରି ଆଜି ଦିଲ୍ଲୀ ଯାଇଥିବା ବିଧାୟକଙ୍କ ମଧ୍ୟରୁ କିଛି ନୂଆ ତଥା ଯୋଗ୍ୟ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ । ମନ୍ତ୍ରୀମଣ୍ଡଳରେ ଖାଲି ଥିବା ପଦବୀଗୁଡ଼ିକୁ ପୂରଣ କରି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକୁ ଆହୁରି ମଜଭୁତ କରାଯିବ । ଏପଟେ ଆସନ୍ତା ବର୍ଷ ହେବାକୁ ଥିବା ସ୍ଥାନୀୟ ନିର୍ବାଚନ ପାଇଁ ସାଂଗଠନିକ ରଣନୀତି ପ୍ରସ୍ତୁତ କରାଯିବ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୂର୍ବରୁ ସଂକେତ ଦେଇଥିଲେ ଯେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ଚାଲିଛି । ବର୍ତ୍ତମାନର ମୋହନ ମାଝୀ ସରକାରଙ୍କ କ୍ୟାବିନେଟ୍ ବେଶ୍ ଛୋଟ ରହିଛି । ତେଣୁ ଆଞ୍ଚଳିକ ଏବଂ ଜାତିଗତ ସମୀକରଣକୁ ସନ୍ତୁଳିତ କରିବା ପାଇଁ ନୂଆ ଚେହେରାଙ୍କୁ ସାମିଲ କରିବାକୁ ଦଳ ଭିତରେ ଦାବି ହେଉଥିଲା । ବିଜେପି ରାଷ୍ଟ୍ରୟ ଅଧକ୍ଷ ନିତିନ ନବୀନଙ୍କ ଭୁବନେଶ୍ୱର ଗସ୍ତର ମାତ୍ର କେଇଟା ଦିନ ପରେ ଏହି ଦିଲ୍ଲୀ ଗସ୍ତ ହୋଇଥିବାରୁ, ଏହାକୁ ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ବୋଲି କୁହାଯାଉଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଆନୁଷ୍ଠାନିକ ଘୋଷଣା ହୋଇପାରେ ।

Share

Leave a Reply

Your email address will not be published. Required fields are marked *

1 × 2 =