ଗୋଡ଼ଟେକି ବସିଛନ୍ତି; ନଉନି ବିଜେପି

ଭୁବନେଶ୍ବର, (ନି.ପ୍ର.): ଦେଶର ତିନି ଜଣ ପ୍ରମୁଖ ନେତା ବିଜେପିକୁ ପ୍ରଶଂସା କରି ନିଜ ନିଜ ଦଳ ସହିତ ସମ୍ପର୍କ ଛିନ୍ନ କରିଛନ୍ତି । ଏହି ତିନି ନେତା ବିଜେପିରେ ଯୋଗ ଦେବା ପାଇଁ ଗୋଡ ଟେକି ବସିଥିଲେ ହେଁ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ଏ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବିଧିବଦ୍ଧ ପ୍ରସ୍ତାବ ଆସିନାହିଁ । ଫଳରେ ଏହି ତିନି ନେତା କ’ଣ କରିବେ ସେହି ଚିନ୍ତାରେ ଅଛନ୍ତି ।

ଏହି ତିନି ଜଣଙ୍କ ମଧ୍ୟରୁ ପ୍ରଥମ ନେତା ହେଲେ ଦିଲ୍ଲୀର ଆପ ବିଧାୟକ ତଥା ପୁର୍ବତନ ମନ୍ତ୍ରୀ କପିଲ ମିଶ୍ରା । ମନ୍ତ୍ରିମଣ୍ଡଳରୁ ବିଦା କରାଯିବା ପରଠାରୁ କପିଲ ମିଶ୍ରା ପ୍ରତିଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ଓ ସତେନ୍ଦ୍ର ଜୈନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିଆସୁଛନ୍ତି । ଇତି ମଧ୍ୟରେ କପିଲ ମିଶ୍ର ବିଜେପିର ନିକଟତର ହୋଇଛନ୍ତି । ବିଜେପି ନେତାମାନଙ୍କ ଅପେକ୍ଷା କପିଲ ମିଶ୍ର କେଜ୍ରୀୱାଲ ସରକାରକୁ ଅଧିକ ସମାଲୋଚନା କରୁଛନ୍ତି । ତାଙ୍କ ବକ୍ତବ୍ୟକୁ ଅନୁଧ୍ୟାନ କଲେ ଯେ କେହି କହିବ ସେ ବିଜେପିରେ ଯୋଗ ଦେଇସାରିଛନ୍ତି । ‘ସମର୍ଥନ ପାଇଁ ସମ୍ପର୍କ’ କାର୍ଯ୍ୟକ୍ରମରେ ଦିଲ୍ଲୀର ବିଜେପି ନେତା ବିଜୟ ଗୋୟଲ ଖୋଲା ଆମନ୍ତ୍ରଣ କରିସାରିଛନ୍ତି । କପିଲଙ୍କ ମା’ ପୂର୍ବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ବିଜେପି କାଉନସିଲର ଅଛନ୍ତି । ହିନ୍ଦି ଓ ଇଂରାଜୀରେ କପିଲ ଜଣେ ଭଲ ବକ୍ତା ସହିତ ଦୁର୍ନୀତି ବିରୋଧି ଆନ୍ଦୋଳନର ଜଣେ ପୁରୋଧାଭାବେ ଜଣାଶୁଣା । କପିଲଙ୍କୁ ବିଜେପି ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରିବ ନାହିଁ । ବିଧାନସଭା ନିର୍ବାଚନ ବହୁ ବିଳମ୍ବ ଥିବାରୁ କପିଲଙ୍କୁ ଦଳରେ ସାମିଲ କରିବାକୁ ବିଜେପି ବିଳମ୍ବ କରୁଛି । କପିଲଙ୍କ ଦୁର୍ନୀତି ବିରୋଧି ଇମେଜ ମଧ୍ୟ ବିଜେପିରେ ମିଶ୍ରଣ ନେଇ ବାଧକ ସାଜୁଛି ବୋଲି ଆଲୋଚନା ହେଉଛି ।

ଦ୍ବିତୀୟ ନେତା ହେଉଛନ୍ତି ମୁମ୍ବାଇର କଂଗ୍ରେସ ନେତା ଶେହଜାଦ ପୁନାୱାଲା ଓରଫ ଶେହଜାଦ ଜୟ ହିନ୍ଦ । ରାହୁଲ ଗାନ୍ଧୀଙ୍କୁ ସଭାପତି ଘୋଷଣା କରାଯିବା ସମୟରେ ଶେହଜାଦ ବିରୋଧ କରିଥିଲେ । ଏପରିକି ଦଳୀୟ ଗଣତନ୍ତ୍ରରେ ବଂଶବାଦ ନେଇ ଟେଲିଭିଜନରେ ବତର୍କ ପାଇଁ ମଧ୍ୟ ଆହ୍ୱାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ । ୨୦୧୭ରୁ ଶେହଜାଦ ନିୟମିତଭାବେ ଟେଲିଭିଜନ ବିତର୍କରେ ଭାଗ ନେଇ କଂଗ୍ରେସ ବିରୋଧିରେ ଓ ସରକାରଙ୍କ ସମର୍ଥନରେ ବକ୍ତବ୍ୟ ଦେଇଥାନ୍ତି ।

ନିଜର ଧର୍ମ ମୁସଲମାନ, ସଂସ୍କୃତି ହିନ୍ଦୁ ଓ ବିଚାରଧାରା ଭାରତୀୟ ବୋଲି ଶେହଜାଦ କହିବା ସହିତ ନିଜ ନାମ ଶେହଜାଦ ପୁନାୱାଲାରୁ ଶେହଜାଦ ଜୟ ହିନ୍ଦକୁ ପରିବର୍ତ୍ତନ କରିଛନ୍ତି । ଗଣେଷଙ୍କ ବିରୋଧରେ ଅପମାନ ସୂଚକ ମନ୍ତବ୍ୟ ଦେଇଥିବା ରାମ ଗୋପାଳ ବର୍ମାଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରିଥିଲେ ଶେହଜାଦ ଜୟ ହିନ୍ଦ । କଂଗ୍ରେସ ନେତୃତ୍ବ ବିରୋଧରେ ବିଦ୍ରୋହ କରିବା ପରେ ପଞ୍ଜାବ ଓ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ ରାଜ୍ୟରେ ଥିବା ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ପରିଚୟ ଦେବାକୁ ଦାବି କରିଥିଲେ ।

ଏହିଭଳି ପଦକ୍ଷେପ ଯୋଗୁଁ ଶେହଜାଦ ଜୟ ହିନ୍ଦ ସଂଘ ପରିବାରର ସମ୍ମତି ପାଇବା କଥା । ଶେହଜାଦ ଜୟ ହିନ୍ଦ ଲିବରାଲ ମୁସଲିମ ମୁହଁ ଭାବେ ବିଜେପିକୁ ଲାଭ ଦେଇପାରିବେ । ରବର୍ଟ ଭଦ୍ରାଙ୍କ ସମ୍ପର୍କୀୟଙ୍କୁ ବିବାହ କରିଥିବା ତେହସିନ ପୁନାୱାଲାଙ୍କ ଭାଇ ହେଉଛନ୍ତି ଶେହଜାଦ ଜୟ ହିନ୍ଦ । ଏଭଳି ଜଣେ ଦେଶପ୍ରେମୀ, ବିଦ୍ୱାନ ଓ ଯୁବ ମୁସଲିମ ବିଜେପି ପାଇଁ ସମ୍ପତ୍ତି ହୋଇପାରନ୍ତେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଦଳରେ ଗ୍ରହଣ କରିବା ପାଇଁ ବିଜେପି ପକ୍ଷରୁ ସମ୍ମତି ମିଳିପାରିନାହିଁ ।

ତୃତୀୟ ଜଣଙ୍କ ହେଲେ ଆମ ରାଜ୍ୟର ଶାସକ ବିଜେଡିରୁ ବାରମ୍ବାର ଅବହେଳାର ଅଭିଯୋଗ କରି ଦଳ ତଥା କେନ୍ଦ୍ରାପଡା ସାଂସଦ ପଦରୁ ଇସ୍ତଫା ଦେଇଥିବା ନେତା ବୈଜୟନ୍ତ ପଣ୍ଡା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୀତିକୁ ପ୍ରଶଂସା କରି ଟିଭି ବିତର୍କରେ ଏନଡିଏ ବିମୁଦ୍ରୀକରଣ, କୃଷି ନୀତିକୁ ବୈଜୟନ୍ତ ସମର୍ଥନ କରିଆସିଛନ୍ତି । ବିଜେପି ନେତାଙ୍କଠାରୁ ବୈଜୟନ୍ତ ମୋଦି ସରକାରକୁ ବିଭିନ୍ନ ବତର୍କରେ ଅଧିକ ସୁରକ୍ଷା ଦେଇଆସିଛନ୍ତି ।

ମୋଦି ସରକାରଙ୍କୁ ନିରନ୍ତର ପ୍ରଶଂସା କରିଥିବା ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେବେ ବୋଲି ଆଶା କରିଥିଲେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି । ରାଜ୍ୟରେ ସଂଗଠନକୁ ସୁଦୃଢ କରିବା ସହିତ ଅନ୍ୟ ଦଳର ପ୍ରଭାବଶାଳୀ ନେତାଙ୍କୁ ଦଳକୁ ଆଣିବା ପାଇଁ ବିଜେପି ଯୋଜନା କରୁଛି । କିନ୍ତୁ ସୁସଂଗଠକ ବୈଜୟନ୍ତଙ୍କୁ ଦଳରେ ନେବା ପାଇଁ ବିଜେପି ନେତାମାନେ ଚିନ୍ତିତ ଥିବା ପରି ମନେ ହୁଏନାହିଁ ।

ଏହାର ଏକମାତ୍ର କାରଣ ହେଉଛି, ବିଜେପି ନେତୃତ୍ୱ ବିଜେଡି ନେତା ନବୀନ ପଟନାୟକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ । କାରଣ ରାଷ୍ଟ୍ରପତି ନିର୍ବାଚନ, ଜିଏସଟି, ରାଜ୍ୟସଭା ଉପସଭାପତି ନିର୍ବାଚନ ଓ ଟିଡିପି ଦ୍ୱାରା ଲୋକସଭାରେ ଆଗତ ଅବିଶ୍ବାସ ପ୍ରସ୍ତାବ ଆଦି ପ୍ରସଙ୍ଗରେ ବିଜେଡି ବିଜେପିର ସହାୟତା କରିଆସିଛି । ଆଗାମୀ ଦିନରେ ନିର୍ବାଚନରେ ବିଜେପିକୁ ବହୁମତ ନ ମିଳିଲେ ବିଜେଡିଠାରୁ ସମର୍ଥନ ନେବାର ବହୁ ସମ୍ଭାବନା ରହିଛି । ଏଥିପାଇଁ ନବୀନ ପଟନାୟକଙ୍କୁ ଅସନ୍ତୁଷ୍ଟ କରାଇବାକୁ ଚାହୁଁନାହିଁ ।

ବୈଜୟନ୍ତ ଏବେ ନବୀନ ପଟନାୟକଙ୍କ ବିରୋଧି ଭାବେ ଜଣାଶୁଣା । ନବୀନଙ୍କ ବିରୋଧିଙ୍କୁ ଦଳରେ ଗ୍ରହଣ କରିବା ପାଇଁ ଦଳର ନେତା ଚାହୁଁନଥିବାରୁ ବୈଜୟନ୍ତ ବିଜେପିରେ ସାମିଲ ହୋଇପାରୁନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

one + 9 =