କେନ୍ଦ୍ରକୁ ଅଲଟିମେଟମ ଦେଲା ବିଜେଡି

ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ: ବିଜେଡି

ନଭେମ୍ବର ୩୦ ସୁଦ୍ଧା ଦର ହ୍ରାସ କରିବାକୁ ବିଜେଡି ଦେଲା ସମୟ

ତିନି ଦିନ ଧରି ଚାଲିଥିôବା ଆନ୍ଦୋଳନରେ ବହୁ ସଂଖ୍ୟାରେ ଲୋକେ ସାମିଲ
ଭୁବନେଶ୍ୱର : ରନ୍ଧନ ଗ୍ୟାସର ଦରବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ୨୨. ୨୩ ଓ ୨୪ ତାରିଖରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା, ତାହାକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଛନ୍ତି । ପ୍ରଥମେ ସେଥିପାଇଁ ଦଳ ତରଫରୁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ବିଜେଡିର ତିନି ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ । ତେବେ ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ତିନି ବିଧାୟକ କହିଛନ୍ତି ଯେ ବିଶ୍ୱର କୌଣସି ଦେଶରେ କେବେବି ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ପରିମାଣରେ ବଢି ନାହିଁ ।  ୨୦୧୪ରେ ଯେତେବେଳେ ଏହି ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ସେତେବେଳେ ଗ୍ୟାସ ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା । ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢି ୯୩୦ ଟଙ୍କା ଛୁଇଁଲାଣି । କରୋନା ଭଳି ମହାମାରୀ ସଂକଟ ବେଳେ  ପ୍ରତି ମାସରେ  ୨୫/ ୫୦ / ୭୫ ଟଙ୍କା ପର୍ଯ୍ୟନ୍ତ ବଢାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରାଯାଉଛି ।

ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି କରି କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇ ସାରିଲେଣି । ଲୋକେ ତ୍ରାହି ତ୍ରାହି ଡାକିଲେଣି ଓ ଏହାର ପ୍ରତିବାଦରେ ବିଜୁ ଜନତା ଦଳର ଡାକରାରେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ ।

ଓଲଟା ବିଜେପିର ରାଜ୍ୟ ନେତୃବୃନ୍ଦ ସରକାରକୁ ବଞ୍ଚାଇବା ଲାଗି ମିଛର ସାହାରା ନେଉଛନ୍ତି ଏବଂ ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି ବାୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଯାଇ କହୁଛନ୍ତି, ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍ ଦର ବୁଛି । ମାତ୍ର ବାସ୍ତବତା ହେଲା; ୨୦୧୪ରେ ଆନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସର ଦର ୬ ଡଲାର/ ବିଟିୟୁ (ବ୍ରିଟିଶ୍ ଥର୍ମାଲ ୟୁନିଟ୍‌) ଥିଲାବେଳେ ଏବେ ତାହା ୫.୮ ଡଲାରକୁ କମିଯାଇଛି । ଠିକ୍ ସେମିତି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିଲାବେଳେ ଏବେ ଏହା ୭୮ ଡଲାର ରହିଛି । ଉଭୟ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲାବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ % ବଢିବାର ଯଥାର୍ଥତା କେଉଁଠି ବୋଲି ବିଜେଡିର ତିନି ନେତା ପ୍ରଶ୍ନ କରିଛନ୍ତି ।

ଅନୁରୂପ ଭାବେ ଉଜ୍ଜ୍ୱଳା ଯୋଜନା ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଲୋକଙ୍କୁ ମିଛ ସଫଳତାର କାହାଣୀ ଶୁଣାଇ ଚାଲିଛନ୍ତି । ଏହି ଯୋଜନାକୁ ବହୁ ଆଡ଼ମ୍ବରରେ ଆରମ୍ଭ କଲାବେଳେ ସରକାର କେତେ ସ୍ୱପ୍ନ ଦେଖାଇଥିଲେ ।  ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲିମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କହିଥଲେ । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଉଜ୍ଜ୍ୱଳା ଯୋଜନାର ଅଧିକାଂଶ ହିତାଧିକାରୀ ମହିଳା ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରି ନପାରି ପୁଣି ଚୁଲିମୁଣ୍ଡକୁ ଫେରି ଯାଇଛନ୍ତି । ଏ ସବୁ ପ୍ରତିଶ୍ରୁତି  ଯେ ଫମ୍ପା ଥିଲା, ତାହା ସେମାନେ ବୁଝି ସାରିଲେଣି । ତେଣୁ ଦଳମତ ର୍ନିବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ ଜବାବ ଦେବେ ।

ବିଜୁ ଜନତା ଦଳ ସବୁବେଳେ ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ କାମ କରି ଆସୁଛି । ଏହି ପରିପ୍ରେକ୍ଷୀରେ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନର ଡାକରା ଦିଆଯାଇଥିଲା ।  ଚଳିତ ମାସ ୨୨, ୨୩, ୨୪ ଗତ ୩ ଦିନ ଧରି ଦଳ ପକ୍ଷରୁ ରାଜ୍ୟ ସାରା ଯେଉଁଭଳି ଭାବେ ମହିଳା, ଯୁବକ, ଛାତ୍ର ଓ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି, ତାହା ଅଭୂତପୂର୍ବ । ଏଥିପାଇଁ ଆମେ ରାଜ୍ୟବାସୀଙ୍କୁ ପୁଣିଥରେ ଧନ୍ୟବାଦ ଜଣାଉଛୁ । ଏଥି ସହିତ କେନ୍ଦ୍ର ସରକାରକୁ ପୁଣିଥରେ ଚେତାବନୀ ଦେଉଛୁ କି ଯଦି ସରକାର ଆଗାମୀ ୩୦ ତାରିଖ ଭିତରେ ଗ୍ୟାସ୍ ଦର କମାଇବାକୁ ପଦକ୍ଷେପ ନ ନିଅନ୍ତି, ତେବେ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ।

Share

Leave a Reply

Your email address will not be published. Required fields are marked *

4 × one =