ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀକୁ ହର୍ଷୋଲ୍ଲାସର ସହିତ ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ କଳିଙ୍ଗନଗର କାରଖାନାରେ ଶନିବାର ପାଳନ କରାଯାଇଛି ।

ଆଜି ବ୍ରାହ୍ମଣୀପାଳ ହାଉସିଂ କମ୍ପେ୍ଲକ୍ସରୁ ଟାଟା ଷ୍ଟିଲ୍ କଳିଙ୍ଗନଗର ରନ୍‌-ଏ-ଥନ୍‌ର ସପ୍ତମ ସଂସ୍କରଣ ସହ ଜେଆର୍‌ଡି ଟାଟାଙ୍କ ଜୟନ୍ତୀ ପାଳନ ଉତ୍ସବ ଆରମ୍ଭ ହୋଇଥିଲା ଯେଉଁଥିରେ ୫ କିମି ଓ ୨ କିମି ଦୌଡ଼ ସାମିଲ ଥିଲା ଓ ସେଥିରେ ଟାଟା ଷ୍ଟିଲ୍ କଳିଙ୍ଗନଗର, ନୀଳାଚଳ ଇସ୍ପାତ ନିଗମ, ସିଆଇଏସ୍‌ଏଫ୍‌, କଳିଙ୍ଗନଗର ଓ ବ୍ରାହ୍ମଣୀପାଳ ଫେରୋ ଆଲଏଜ୍ ପ୍ଲାଂଟ୍‌ର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଏହି ଦୌଡ଼ ଆରମ୍ଭ ହେବା ପୂର୍ବରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଟିଏସ୍‌କେ କାରଖାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ମହାନ ଦୂରଦ୍ରଷ୍ଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏଥି ସହିତ ପରିବେଶ ବିଭାଗ ପକ୍ଷରୁ କାରଖାନା ପରିସରରେ ଏକ ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀ ଓ ଠିକା ଶ୍ରମିକମାନେ ୫୦୦ରୁ ଅଧିକ ଚାରାରୋପଣ କରିଥିଲେ ।

ଜୟନ୍ତୀ ଉତ୍ସବ ପାଳନର ଅଂଶ ସ୍ୱରୂପ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତ କେନ୍ଦ୍ର ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଇଞ୍ଜିନିୟରିଂ ଓ ପ୍ରୋଜେକ୍ଟ ଟିମ୍ ପକ୍ଷରୁ କାରଖାନା ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ମଚାରୀ, ଭେଣ୍ଡର ପାର୍ଟନର ଓ ଠିକା ଶ୍ରମିକମାନେ ସ୍ୱେଚ୍ଛାକୃତ ଭାବେ ୧୧୦ ୟୁନିଟ୍ ରକ୍ତ ଦାନ କରିଥିଲେ । ଏଥି ସହିତ କଳିଙ୍ଗନଗରରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଜେଆର୍‌ଡିଙ୍କ ଜୟନ୍ତୀ ପାଳନ ସମାରୋହର ଅଂଶ ଭାବେ ସମସ୍ତ କାର୍ଯ୍ୟକ୍ଷେତ୍ରର କର୍ମଚାରୀମାନଙ୍କ ଲାଗି ଡିଜିଟାଲ୍ ଶ୍ରଦ୍ଧାଞ୍ଜଳି, ଭର୍ଚୁଆଲ ପ୍ରଦର୍ଶନୀ ଓ ଅନ୍ୟାନ୍ୟ ଭାବବିନିମୟ ଅଧିବେଶନ ଆଦି ବିଭିନ୍ନ ଅନଲାଇନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

eleven − seven =