Business

୨୦୨୨ ମାର୍ଚ୍ଚ ପରଠାରୁ ସୁନା ଋଣ ପୋର୍ଟଫୋଲିଓରେ ୩.୮ ଗୁଣା ବୃଦ୍ଧି

ଭୁବନେଶ୍ୱର: ସୁନା ଋଣ ଭାରତରେ ଦ୍ୱିତୀୟ ବୃହତ ଖୁଚୁରା ଋଣରେ ପରିଣତ ହୋଇଛି। ଟ୍ରାନ୍ସୟୁନିୟନ ସିବିଲର ସୁନା ଋଣ ଲ୍ୟାଣ୍ଡସ୍କେପ ରିପୋର୍ଟ ଅନୁଯାୟୀ ୨୦୨୨ ମାର୍ଚ୍ଚ ପରଠାରୁ ସୁନା ଋଣ ବାଲାନ୍ସ ୩.୮ ଗୁଣା ବୃଦ୍ଧି ପାଇଛି ଓ ଭାରତର ଖୁଚୁରା ଋଣ ପୋର୍ଟଫୋଲିଓରେ ଏହାର ଭାଗ ୫.୯ ପ୍ରତିଶତରୁ ୧୧.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗ୍ରାହକଙ୍କ ଗ୍ରହଣୀୟତାରେ ବୃଦ୍ଧି, ଋଣ ପରିମାଣରେ ବୃଦ୍ଧି, ଅଧିକ ଋଣ ପ୍ରଦାନକାରୀଙ୍କ ଅଂଶଗ୍ରହଣ ଓ ମହିଳା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧିକୁ ଏହା ଦର୍ଶାଉଛି।
ରିପୋର୍ଟରୁ ଜଣାପଡ଼ିଛି ଯେ, ଏହି ବର୍ଗରେ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନବିଏଫସି)ଗୁଡ଼ିକର ଭାଗ ସୁନାର ଋଣ ବାଲାନ୍ସରେ ୨୦୨୨ ମାର୍ଚ୍ଚର ୭ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୫ ଡିସେମ୍ବରରେ ୧୧ ପ୍ରତିଶତ ହୋଇଛି। ସେହି ସମୟରେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ଭାଗ ୫୭ ପ୍ରତିଶତରୁ ବୃଦ୍ଧି ପାଇ ୬୨ ପ୍ରତିଶତ ହୋଇଛି। ହାରାହାରି ସୁନା ଋଣ ପରିମାଣ ୨୦୨୨ ମାର୍ଚ୍ଚ ୧.୧ ଲକ୍ଷ ଟଙ୍କା ଥିଲା ଯାହା ୨୦୨୫ ଡିସେମ୍ବର ସୁଦ୍ଧା ୧.୯ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।
୨୦୨୨ର ପ୍ରଥମ ତ୍ରୈମାସିକ ପରଠାରୁ ସୁନା ଋଣ ସୃଷ୍ଟି ପରିମାଣ ୨.୩ ଗୁଣା ବଢ଼ିଥିବା ବେଳେ ସୁନା ଋଣ ପରିମାଣ ୫.୧ ଗୁଣା ବଢ଼ିଛି। ହାରାହାରି ଋଣ ପରିମାଣ ସେହି ସମୟ ଭିତରେ ୯୦,୦୦୦ ଟଙ୍କାରୁ ବୃଦ୍ଧି ପାଇ ୧.୯୬ ଲକ୍ଷ ଟଙ୍କା ହୋଇଛି। ଗ୍ରାହକଙ୍କ ପ୍ରକାରରେ ମଧ୍ୟ ପରିବର୍ତ୍ତନ ହୋଇଛି। ପ୍ରାଇମ ଓ ପ୍ରାଇମ ସ୍ତରରୁ ଉପରେ ଥିବା ଗ୍ରାହକମାନଙ୍କ ହାର ୪୩ ପ୍ରତିଶତରୁ ବୃଦ୍ଧି ପାଇ ୫୨ ପ୍ରତିଶତ ହୋଇଛି। ଋଣ ପାଇଁ ନୂଆଙ୍କ ଅଂଶଗ୍ରହଣ ହାର ୧୨ ପ୍ରତିଶତରୁ ହ୍ରାସ ପାଇ ୬ ପ୍ରତିଶତ ହୋଇଛି।
ଏ ସମ୍ପର୍କରେ ଟ୍ରାନ୍ସୟୁନିୟନ ସିବିଲର ଏମଡି ଓ ସିଇଓ ଭବେଶ ଜୈନ କହିଛନ୍ତି ଯେ, “ଭାରତରେ ସୁନାର ସର୍ବଦା ଆର୍ଥିକ ଓ ସାଂସ୍କୃତିକ ମହତ୍ୱ ରହିଛି। ମାତ୍ର ଏବେ ସୁନା ଆଧାରିତ ଋଣକୁ କିଭଳି ବ୍ୟବହାର କରାଯାଉଛି ସେହି ପରିବର୍ତ୍ତନକୁ ଆମେ ଦେଖୁଛୁ। ସୁନା ଋଣ ଏକ ପ୍ରମୁଖ, ସଂଗଠିତ ଓ ସହଜରେ ଉପଲବ୍ଧ ସୁରକ୍ଷିତ ଋଣରେ ପରିଣତ ହୋଇଛି। ଏହି ଦ୍ରୁତ ଅଭିବୃଦ୍ଧି ଉଭୟ ବିଶ୍ୱାସ ଓ ଗ୍ରାହକଙ୍କ ବଢ଼ୁଥିବା ଗ୍ରହଣୀୟତାକୁ ପ୍ରତିଫଳିତ କରୁଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି କ୍ଷେତ୍ର ଦୃଢ଼ କ୍ରେଡିଟ ପ୍ରୋଫାଇଲ, ଅଧିକ ପରିମାଣର ଋଣ ଓ ଲଗାତାର ବ୍ୟବହାର କରୁଥିବା ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଏହା ଦର୍ଶାଉଛି ଯେ, ସୁନା ଋଣ କେବଳ ସ୍ୱଳ୍ପକାଳୀନ ନଗଦ ଆବଶ୍ୟକତା ପାଇଁ ବ୍ୟବହାର କରାଯାଉନାହିଁ, ବରଂ ତାହା ପରିବାରର ବ୍ୟାପକ ଋଣ ଆଚରଣର ଅଂଶରେ ପରିଣତ ହୋଇଛି।”
ସୁନା ଋଣ ସମ୍ପ୍ରସାରଣରେ ମହିଳା ଗ୍ରାହକମାନେ ପ୍ରମୁଖ ଅଭିବୃଦ୍ଧି କାରକରେ ପରିଣତ ହୋଇଛି। ମହିଳା ସୁନା ଗ୍ରାହକଙ୍କ ସଂଖ୍ୟା ୨୦୨୨ର ୩୬ ପ୍ରତିଶତରୁ ବଢ଼ି ୨୦୨୫ରେ ୩୯ ପ୍ରତିଶତ ହୋଇଛି। ତେଲେଙ୍ଗାନା, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଅଧିକ ମହିଳା ଗ୍ରାହକ ରହିଛନ୍ତି। ହାରାହାରି ବକେୟା ରାଶି ପରିମାଣ ଏହି ସମୟରେ କିନ୍ତୁ ୧.୯ ଲକ୍ଷ ଟଙ୍କାରୁ ବଢ଼ି ୩.୧ ଲକ୍ଷ ଟଙ୍କା ହୋଇଛି। ୨.୫ ଲକ୍ଷ ଟଙ୍କାରୁ ଅଧିକ ସୁନା ଋଣ ନେଇଥିବା ଗ୍ରାହକଙ୍କ ସଂଖ୍ୟାରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ସୁନା ଋଣରେ ଡେଲିକୁଏନସି ହାର ୧.୧ ପ୍ରତିଶତ ରହିଛି। ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ବର୍ଗରେ ଏହି ହାର ୧.୫ ପ୍ରତିଶତ ରହିଛି।
ଶ୍ରୀ ଜୈନ କହିଛନ୍ତି ଯେ, “ସୁନା ଋଣ ବର୍ଗ ସମ୍ପ୍ରସାରିତ ହେଉଥିବା ବେଳେ ଋଣ ପ୍ରଦାନକାରୀମାନଙ୍କ ଧ୍ୟାନ ଶୃଙ୍ଖଳା ସହିତ ଅଭିବୃଦ୍ଧି ମଧ୍ୟରେ ସନ୍ତୁଳନ ଉପରେ ରହିବା ଦରକାର। ବନ୍ଧନ ଏକ ଗୁରୁତ୍ୱପୂର୍ଣ୍ଣ ଦୃଢ଼ତା ହୋଇରହିଛି ଏବଂ ତାହା ଗ୍ରାହକଙ୍କ ଅନୁଶୀଳନର ଏକମାତ୍ର ମାନଦଣ୍ଡ ହେବା ଅନୁଚିତ। ଋଣ ଗ୍ରାହକଙ୍କ ମୋଟ ଋଣ ପରିମାଣ, ପରିଶୋଧ କ୍ଷମତା, ସଦ୍ୟତମ ଋଣ ଆଚରଣ ଓ ବିଭିନ୍ନ ସଂସ୍ଥାର ଋଣ ଆଦି ଅନୁଶୀଳନ ବେଳେ ବିଚାରକୁ ନେବା ଉଚିତ। ଏହି ବର୍ଗ ସ୍ଥାୟୀ ଓ ଦାୟିତ୍ୱବାନ ଭାବେ ଆଗକୁ ବଢ଼ିବା ପାଇଁ ଗ୍ରାହକ ସ୍ତରରେ ମୂଲ୍ୟକୁ ଋଣ ବିପଦ ଆଧାରିତ ମୂଲ୍ୟାଙ୍କନ ଓ ସୁନା ଋଣ ଉପରେ ବାରମ୍ବାର ନିର୍ଭରଶୀଳତାର ନିରୀକ୍ଷଣକୁ ଯାଂଚ କରିବା ଦରକାର।”

Share

Leave a Reply

Your email address will not be published. Required fields are marked *

20 − 6 =