ଖୁଚୁରା ମୁଦ୍ରାସ୍ଫୀତିରେ ସୁଧାର ଘଟିବ; ଖାଦ୍ୟ ମୁଦ୍ରାସ୍ଫୀତି ଅସ୍ଥିର ରହିବ: ଆକ୍ସିସ୍ ବ୍ୟାଙ୍କ ରିପୋର୍ଟ

ଭୁବନେଶ୍ୱର: ଆର୍ଥିକ ସୁଧାର, ଦେଶ ଭିତରେ ସୁଧ ହାର ଅଧିକ ରହିବା, କଠୋର ନଗଦ ସ୍ଥିତି ଏବଂ ସାମଗ୍ରୀ ଓ ସେବା ରପ୍ତାନି କମ୍ ହେବା ସତ୍ୱେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଅଧିକ ରହିବ ବୋଲି ଆକ୍ସିସ୍ ବ୍ୟାଙ୍କର ଭାରତ ଅର୍ଥନୀତି ଓ ବଜାର ଆକଳନ ୨୦୨୪ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି । ଆକ୍ସିସ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ର, ତନୟ ଦଲାଲ ଓ ପ୍ରତୀକ ଆଂଚ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ ଆଗାମୀ ଦିନରେ ଖୁଚୁରା ମୁଦ୍ରାସ୍ଫୀତିରେ ସୁଧାର ଘଟିବ, କିନ୍ତୁ ଖାଦ୍ୟ ମୁଦ୍ରାସ୍ଫୀତି ଅସ୍ଥିର ରହିବ, ଫଳରେ ତାହା ଉଚ୍ଚ ରହିପାରେ ।
ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୨୫-୨୬ରେ ଭାରତର ଅଭିବୃଦ୍ଧି ହାର ୬.୫% ରହିବ । ତେବେ ଚଳିତ ଆର୍ଥିକ ବର୍ଷରେ ତାହା ୭ ପ୍ରତିଶତରୁ ଅଧିକ ରହିବା ସମ୍ଭାବନା ରହିଛି । ମୁଦ୍ରାସ୍ଫୀତି ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଖୁଚୁରା ମୁଦ୍ରାସ୍ଫୀତି ୪ ପ୍ରତିଶତ ହାର ପାଖାପାଖି ରହିବ । କିନ୍ତୁ ସୁନା ଓ ଘର ଭଡ଼ାରେ ବୃଦ୍ଧି ତାହାକୁ ଆହୁରି ବଢ଼ାଇପାରେ । ଖାଦ୍ୟ ମୁଦ୍ରାସ୍ଫୀତିରେ ରହିଥିବା ଅସ୍ଥିରତା ଏହାକୁ ଉଚ୍ଚ ରଖିବ ବୋଲି ଆକଳନ କରାଯାଇଛି । ୨୦୨୫-୨୬ ସୁଦ୍ଧା ଏହି ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି ।
ଭାରତରେ ବିତୀୟ ନିଅଂଟ ଉଚ୍ଚା ରହିବା ଭାରତ ଭଳି ବହୁ ଦେଶ ଲାଗି ସମସ୍ୟା ସୃଷ୍ଟି କରିଛି । ଏହାର ପ୍ରଭାବରେ ଆମେରିକୀୟ ଡଲାର ଯୋଗାଣ ପ୍ରଭାବିତ ହେବ । ଚାହିଦା ବଢ଼ିଲେ ଏହାର ଦାମ୍ ଉଚ୍ଚା ରହିବ । ଏହି ଧାରା ଆଗାମୀ ଦିନରେ ଜାରି ରହିବ । ୨୦୨୫-୨୬ ସୁଦ୍ଧା ଦେଶର ସେବା ରପ୍ତାନିରେ ଉନ୍ନତି ହେବ । ଯଦି ଅଭିବୃଦ୍ଧି ହାର ୭ ପ୍ରତିଶତ ପାଖାପାଖି ରହିବ ତେବେ ଦୀର୍ଘକାଳୀନ ଭିତିରେ ଚଳନ୍ତୀ ଜମା ନିଅଂଟ ସମସ୍ୟା ହେବନି । ଭାରତୀୟ ଟଙ୍କା ମୂଲ୍ୟରେ କମ୍ ଅସ୍ଥିରତା ଦେଖିବାକୁ ମିଳିବ ।
ଗତ ଦଶନ୍ଧିରେ ଜିଡିପି ଅଭିବୃଦ୍ଧି ତୁଳନାରେ କର୍ପୋରେଟ ଲାଭରେ ବୃଦ୍ଧି ହାର କମ୍ ରହିଥିଲା । ମାତ୍ର ନିକଟରେ ସେଥିରେ ଆଶ୍ଚର୍ଯ୍ୟଜନକ ସୁଧାର ଘଟିଛି । ୨୦୧୧ରେ ଯେଉଁଭଳି ସ୍ତର ଥିଲା ତାହା ଫେରିଆସିଛି । ୨୦୨୫-୨୬ ପର୍ଯ୍ୟନ୍ତ ଏହି ଧାରା ବଜାୟ ରହିବ । ପ୍ରତି ତ୍ରୈମାସିକରେ ସେଥିରେ ୩-୪ ପ୍ରତିଶତର ସୁଧାର ଘଟିଛି । ବଜାରରେ ସୁଧାର ହେବାର ସମ୍ଭାବନା ରହିଛି ବୋଲି ମଧ୍ୟ ରିପୋର୍ଟରେ ଆକଳନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen + 6 =