ରାଜ୍ୟ

ବିଶ୍ୱ ମଞ୍ଚରେ ଚମକୁଛନ୍ତି ଓଡ଼ିଆ ପ୍ରତିଭା: ହକି କ୍ଷେତ୍ରରେ ଆଗାମୀ ପିଢ଼ି ଗଢ଼ୁଛି ଓଡ଼ିଶା ନାଭାଲ ଟାଟା ହକି ହାଇ-ପରଫରମାନ୍ସ ସେଣ୍ଟର

ଭୁବନେଶ୍ୱର, ୨୯.୦୮.୨୦୨୬-  ହକି କ୍ଷେତ୍ରରେ ଓଡ଼ିଶା ନାଭାଲ ଟାଟା ହକି ହାଇ-ପରଫରମାନ୍ସ ସେଣ୍ଟର (ଓଏନଟିଏଚଏଚପିସି)ର ନିରନ୍ତର ନିବେଶ ଓ ପ୍ରୋତ୍ସାହନ ଗାଁ ଗହଳିର ଅନେକ ପ୍ରତିଭାଙ୍କୁ ବିଶ୍ବ ମଞ୍ଚରେ ସାମିଲ କରିପାରିଛି। ଖେଳ ପଡିଆ ବାହାରେ ବି ସେମାନଙ୍କ ପାଇଁ ସୃଷ୍ଟି ହୋଇଛି ନୂଆ ସୁଯୋଗ। 

ଏହି ଯାତ୍ରା ଏବେ ଆନ୍ତର୍ଜାତୀୟ ମଞ୍ଚ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଆସନ୍ତା ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୧୩, ୨୦୨୬ ପର୍ଯ୍ୟନ୍ତ ଚୀନ୍‌ର ମୋକି ଠାରେ ହେବାକୁ ଥିବା ପୁରୁଷ ଜୁନିୟର ଏସିଆ କପ୍ ୨୦୨୬ ପାଇଁ ଭାରତୀୟ ଦଳରେ ସାମିଲ ହେବା ପାଇଁ ଓଏନଟିଏଚଏଚପିସିର ୬ ଜଣ ପ୍ରତିଭାବାନ୍ କ୍ୟାଡେଟ୍ ମନୋନୀତ ହୋଇଛନ୍ତି। ଏହି କ୍ରମରେ ଓଏନଟିଏଚଏଚପିସି କ୍ୟାଡେଟ୍ ଅନମୋଲ ଏକ୍କାଙ୍କୁ ଭାରତୀୟ ଜୁନିୟର ଦଳର ଅଧିନାୟକତ୍ୱ ଭାର ଦିଆଯାଇଛି।

ଓଡ଼ିଶାରେ ଏହି ଦୂରଦୃଷ୍ଟି ହକି ମାଧ୍ୟମରେ ଏକ ଶକ୍ତିଶାଳୀ ରୂପ ନେଇଛି। ନୂତନ ପିଢ଼ିର ଖେଳାଳିମାନେ ରାଜ୍ୟର କ୍ରୀଡ଼ା ଇତିହାସରେ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି। ଜାତୀୟ ଚାମ୍ପିଅନ୍‌ସିପ୍‌ ହେଉ କି ଆନ୍ତର୍ଜାତୀୟ ମଞ୍ଚ, ସବୁଠି ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି।

୨୦୧୯ ମସିହାରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରତିଷ୍ଠିତ ଓଏନଟିଏଚଏଚପିସି, ହକି ଏସ୍ ଫାଉଣ୍ଡେସନ୍ (ଏଚଏଏଫ୍) ଇକୋସିଷ୍ଟମ୍‌ର ଏକ ପ୍ରମୁଖ ଅଂଶ। ଏହା ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଯୋଗିତାରେ ପରିଚାଳିତ। ଏହି ହାଇ-ପରଫରମାନ୍ସ ପ୍ରୋଗ୍ରାମ୍‌ରେ ବିଶେଷଜ୍ଞ କୋଚିଂ, ଶାରୀରିକ ଦକ୍ଷତା ବୃଦ୍ଧି, ସ୍ପୋର୍ଟସ ସାଇନ୍ସ, ରଣନୈତିକ ବିକାଶ ଏବଂ ଖେଳାଳିଙ୍କ ସମଗ୍ର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି।

ଏହି ନିରନ୍ତର ପ୍ରଚେଷ୍ଟାର ସବୁଠାରୁ ବଡ଼ ପ୍ରମାଣ ନିକଟରେ କୋଏମ୍ବାଟୋରଠାରେ ଅନୁଷ୍ଠିତ ୧୬ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନ୍‌ସିପ୍ ୨୦୨୬ରେ ଦେଖିବାକୁ ମିଳିଥିଲା। ଏଥିରେ ଓଡ଼ିଶା ୨–୧ ଗୋଲ୍‌ରେ ମଧ୍ୟପ୍ରଦେଶକୁ ହରାଇ ଟାଇଟଲ୍ ଜିତିଥିଲା। ବିଜୟୀ ଦଳରେ ଓଏନଟିଏଚଏଚପିସିର ୯ ଜଣ କ୍ୟାଡେଟ୍ ସାମିଲ ଥିଲେ। ଓଡ଼ିଶା ଦଳର ଅଧିନାୟକ ତଥା ଓଏନଟିଏଚଏଚପିସି ଷ୍ଟ୍ରାଇକର ଦୀପକ ପ୍ରଧାନ ଆଗଧାଡ଼ିରୁ ନେତୃତ୍ୱ ନେଇ ଫାଇନାଲ୍‌ରେ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ।

ଟିମରେ ସାମିଲ ଥିବା ଖେଳାଳିମାନେ ଗୋଲକିପିଂ, ଡିଫେନ୍ସ, ମିଡଫିଲ୍ଡ ଏବଂ ଆଟାକ୍ ଭଳି ଦଳର ପ୍ରତ୍ୟେକ ବିଭାଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଓଏନଟିଏଚଏଚପିସି ପାଇଁ ଏହି ସଫଳତା କେବଳ ଏକ ଜାତୀୟ ଟାଇଟଲ୍ ନୁହେଁ, ବରଂ ଓଡ଼ିଶାର ହକି ସଫଳତାରେ କେନ୍ଦ୍ରର ପ୍ରତିଭା ବିକାଶ ପ୍ରଣାଳୀର ଏକ ଜ୍ୱଳନ୍ତ ପ୍ରମାଣ।

ସେହିପରି ଓଏନଟିଏଚଏଚପିସି ଗୋଲକିପର ଏଙ୍ଗିଲ ହର୍ଷରାଣୀ ମିଞ୍ଜ, ଚୀନ୍‌ରେ ହେବାକୁ ଥିବା ଏଏଚଏଫ୍ ମହିଳା ଜୁନିୟର ଏସିଆ କପ୍-୨୦୨୬ ପାଇଁ ଭାରତୀୟ ଜୁନିୟର ମହିଳା ହକି ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟଜଣେ କ୍ଯାଡ଼େଟ ସୁପ୍ରିୟା କୁଜୁର ଭାରତୀୟ ଜୁନିୟର ଦଳର ୟୁନାଇଟେଡ୍ କିଙ୍ଗଡମ୍ ଏକ୍ସପୋଜର ଟୁରରେ କେନ୍ଦ୍ରର ପ୍ରତିନିଧିତ୍ୱ କରିସାରିଛନ୍ତି।

ଏହି କେନ୍ଦ୍ରର ମହିଳା ପ୍ରୋଗ୍ରାମ୍ ମଧ୍ୟ ଜାତୀୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ୩ୟ ହକି ଇଣ୍ଡିଆ ଜୁନିୟର ମହିଳା ଏକାଡେମୀ ଚାମ୍ପିଅନ୍‌ସିପ୍ ୨୦୨୫ ରେ ଓଏନଟିଏଚଏଚପିସି ଚାମ୍ପିଅନ୍ ହୋଇଥିଲା,  ବିଜେତା ଟିମରେ ଓଏନଟିଏଚଏଚପିସିର ୧୮ ଜଣ ଖେଳାଳି ସାମିଲ ଥିଲେ। ଏହାସହିତ ଜୁନିୟର ଜାତୀୟ, ରାଜ୍ୟ ଏବଂ ଆମନ୍ତ୍ରିତ ପ୍ରତିଯୋଗିତାଗୁଡ଼ିକରେ କେନ୍ଦ୍ରର ଖେଳାଳିମାନେ ଲଗାତାର ଭାବେ ପୋଡିୟମ୍ ଫିନିଶ୍ ଏବଂ ସେମିଫାଇନାଲରେ ସ୍ଥାନ ପାଇ ନିରନ୍ତର ଭାବେ  ପ୍ରଦର୍ଶନ ବଜାୟ ରଖିଛନ୍ତି।

ତେବେ ଓଏନଟିଏଚଏଚପିସିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ କେବଳ ପଦକ ତାଲିକା ମଧ୍ୟରେ ସୀମିତ ନୁହେଁ।

ଏହି କେନ୍ଦ୍ରର ବହୁ ପୂର୍ବତନ ଖେଳାଳି ଭାରତୀୟ ସେନା, ବର୍ଡର ସିକ୍ୟୁରିଟି ଫୋର୍ସ, ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ, ଭାରତୀୟ ରେଲୱେ, ରେଲ୍ ହ୍ୱିଲ୍ ଫ୍ୟାକ୍ଟ୍ରି, ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି ଏବଂ ଇଷ୍ଟର୍ଣ୍ଣ ରେଲୱେ ଭଳି ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକରେ ସ୍ଥାୟୀ ନିଯୁକ୍ତି ପାଇଛନ୍ତି। ବିଶେଷ କରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଦୁର୍ବଳ ଥିବା ପରିବାରରୁ ଆସୁଥିବା ଯୁବ ଆଥଲେଟ୍‌ମାନଙ୍କ ପାଇଁ ହକି କେବଳ ଏକ କ୍ରୀଡ଼ା ହୋଇ ରହିନାହିଁ; ଏହା ସେମାନଙ୍କ ପାଇଁ କ୍ୟାରିୟର, ଆର୍ଥିକ ସ୍ୱାଧୀନତା ଏବଂ ଏକ ସୁରକ୍ଷିତ ଭବିଷ୍ୟତର ନୂଆ ଦ୍ୱାର ଖୋଲିଦେଇଛି।

ଦୀର୍ଘ ଏକ ଶତାବ୍ଦୀ ଧରି କ୍ରୀଡ଼ା କ୍ଷେତ୍ରକୁ ଟାଟା ଷ୍ଟିଲର ସହଯୋଗ ଭାରତୀୟ କ୍ରୀଡ଼ାକୁ ଅନେକ ନୂଆ ସଫଳତାର ସ୍ବାଦ ଚଖାଇଛି। କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ଟାଟା ଷ୍ଟିଲ ପରମ୍ପରାର ଏକ ଅବିଚ୍ଛେଦ୍ୟ ପ୍ରକ୍ରିୟା। ଫୁଟବଲ, ଧନୁର୍ବିଦ୍ୟା, ଆଥଲେଟିକ୍ସ, ହକି ଏବଂ ସ୍ପୋର୍ଟସ କ୍ଲାଇମ୍ବିଂ ଭଳି ଖେଳର ବିକାଶ ପାଇଁ ଏକାଡେମୀ ପ୍ରତିଷ୍ଠା କରି ଉଦାହରଣ ସୃଷ୍ଟି କରିଛି ଟାଟା ଷ୍ଟିଲ।  କେବଳ କ୍ରୀଡ଼ାକ୍ଷେତ୍ରରେ ଶ୍ରେଷ୍ଠତା ନୁହେଁ, ବରଂ କର୍ମଚାରୀ, ସେମାନଙ୍କ ପରିବାର ଏବଂ ସମାଜକୁ କ୍ରୀଡ଼ା ମାଧ୍ୟମରେ ସାମିଲ କରି ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏହି ପ୍ରୟାସର ମୂଳ ଉଦ୍ଦେଶ୍ୟ।

Share

Leave a Reply

Your email address will not be published. Required fields are marked *

1 × 1 =