ରାଜ୍ୟ

ସ୍ୱାଧୀନତା ପୂର୍ବ ସଶକ୍ତ ଭାରତର ଅନ୍ୟତମ ପୁରୋଧା ସାର୍ ଦୋରାବଜୀ ଟାଟା

ଭୁବନେଶ୍ୱର: ପ୍ରଚାର କିମ୍ବା ପ୍ରଶଂସାକୁ ପାଥେୟ ନ କରି ନିରବରେ ରାଷ୍ଟ୍ର ନିର୍ମାଣ ପାଇଁ କାମ କରିଚାଲିଥିଲେ ସେ। ନିଃସ୍ୱାର୍ଥପର ଭାବନାର ଏକ ଜ୍ୱଳନ୍ତ ଉଦାହରଣ ଥିଲେ ସାର୍ ଦୋରାବଜୀ ଟାଟା। ସେ ଜଙ୍ଗଲକୁ ରାଷ୍ଟ୍ର ନିର୍ମାଣକାରୀ ଇସ୍ପାତ କାରଖାନାରେ ରୂପାନ୍ତରିତ କରିଥିଲେ। ଏଥିସହ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ହସ୍ପିଟାଲ, ଗବେଷଣାଗାର ଏବଂ କ୍ରୀଡ଼ା ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ।
ଜାମସେଦଜୀ ନୁସରୱାନ୍‌‌ଜୀ ଟାଟା ଏକ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନ ଦେଖିଥିଲେ, କିନ୍ତୁ ଏହା ସାକାର ହେବା ପୂର୍ବରୁ ସେ ଆଖି ବୁଝିଥିଲେ। ଏହି ଗୁରୁଦାୟିତ୍ୱ ତାଙ୍କ ବଡ଼ ପୁଅ ସାର୍ ଦୋରାବଜୀଙ୍କ ଉପରକୁ ଆସିଥିଲା। ଏହି ଆହ୍ୱାନ ତାଙ୍କୁ ଜଣେ ଅସାଧାରଣ ନେତୃତ୍ୱରେ ପରିଣତ କରିଥିଲା।

୧୯୨୦ ଆଣ୍ଟୱେର୍ପ ଅଲିମ୍ପିକ୍ସରେ ଭାରତର ପ୍ରଥମ ଅଂଶଗ୍ରହଣ ପାଇଁ ସାର୍ ଦୋରାବଜୀ ଟାଟା ନିଜସ୍ୱ ଖର୍ଚ୍ଚରେ ଆର୍ôଥକ ସହାୟତା ଯୋଗାଇ ଦେଇଥିଲେ। ତାଙ୍କର ଏହି ପ୍ରଚେଷ୍ଟା ଯୋଗୁଁ ୧୯୨୭ରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ଗଠନ କରାଯାଇଥିଲା ଏବଂ ସେ ଏହାର ପ୍ରଥମ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ।

ଆଜି ଟାଟା ଷ୍ଟିଲ୍ ୧୯ଟି କ୍ରୀଡ଼ା ବିଭାଗରେ ୫ଟି ବିଶ୍ୱସ୍ତରୀୟ ସ୍ପୋର୍ଟସ୍ ଏକାଡେମୀ, ହାଇ-ପରଫରମାନ୍ସ ସେଣ୍ଟର, ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍ ଏବଂ ୧୬ଟି ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ଏହି ପରମ୍ପରାକୁ ଆଗେଇ ନେଉଛି। ଟାଟା ଫୁଟବଲ୍ ଏକାଡେମୀ (ଟିଏଫ୍‌ଏ) ୩୦୦ରୁ ଅଧିକ କ୍ୟାଡେଟଙ୍କୁ ତାଲିମ ଦେଇଛି, ଯେଉଁଥିରୁ ୧୫୦ ଜଣ ଜାତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି। ଟାଟା ଆର୍ଚରୀ ଏକାଡେମୀ ୨୫ ବର୍ଷ ମଧ୍ୟରେ ୧୮୦ରୁ ଅଧିକ କ୍ୟାଡେଟଙ୍କୁ ତାଲିମ ଦେଇ ୮ ଜଣ ଅଲିମ୍ପିଆନ୍ ଗଢ଼ିଛି। ନାଭାଲ ଟାଟା ହକି ଏକାଡେମୀ ୩ଟି ଆଞ୍ଚଳିକ ବିକାଶ କେନ୍ଦ୍ର ଏବଂ ୩୨ଟି ତୃଣମୂଳ କେନ୍ଦ୍ର ପରିଚାଳନା କରୁଛି। ଏହା ବ୍ୟତୀତ ନୌକାଚାଳନା, ସ୍ପୋର୍ଟ କ୍ଲାଇମ୍ବିଂ, ମାରାଥନ୍ ଏବଂ ଚେସ୍ ପ୍ରତିଯୋଗିତା ଜରିଆରେ କ୍ରୀଡ଼ାର ବିକାଶ କରାଯାଉଛି।

ଆଧୁନିକ ଶିଳ୍ପର ଗଠନ ହେଉ କିମ୍ବା ଭାରତୀୟ କ୍ରୀଡ଼ାର ପ୍ରୋତ୍ସାହନ, ସାର ଦୋରାବଜୀ ଟାଟା ଏପରି ଏକ ମହାନ ପରମ୍ପରା ସୃଷ୍ଟି କରିଥିଲେ, ଯାହା ଆଜି ବି ରାଷ୍ଟ୍ରର ସଫଳତାର ମୂଳଦୁଆ ହୋଇ ରହିଛି। ପୁଞ୍ଜିର ଅଭାବ ଏବଂ ବ୍ରିଟିଶ ଶାସନର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସାର୍ ଦୋରାବଜୀ ଟାଟା ସାକଚିଠାରେ ଭାରତର ପ୍ରଥମ ତଥା ଅଗ୍ରଣୀ ଇସ୍ପାତ କାରଖାନା ସ୍ଥାପନ କରିଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଟିସ୍‌କୋ ୨,୯୦,୦୦୦ ଟନ୍ ଇସ୍ପାତ ଯୋଗାଇବା ପରେ ବ୍ରିଟିଶ ସରକାର ଏହି ସହରର ନାମ ବଦଳାଇ “ଜାମସେଦପୁର’ ରଖିଥିଲେ। ଅର୍ଥନୈତିକ ମନ୍ଦାବସ୍ଥା ସମୟରେ କମ୍ପାନୀକୁ ବଞ୍ଚାଇବା ପାଇଁ ସାର୍ ଦୋରାବଜୀ ଟାଟା ଏବଂ ଲେଡି ମେହେରବାଈ ନିଜର ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି (ଜୁବିଲି ହୀରା ସମେତ) ବନ୍ଧକ ରଖିଥିଲେ। ଇସ୍ପାତ ବ୍ୟତୀତ ସେ ଟାଟା ପାୱାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ଆଇଆଇଏସ୍‌ସି ବାଙ୍ଗାଲୋରକୁ ସହାୟତା କରିଥିଲେ ଏବଂ “ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ’ ପ୍ରତିଷ୍ଠା କରିଥିଲେ। ଏହି ଟ୍ରଷ୍ଟ ଟିଆଇଏସ୍‌ଏସ୍‌, ଟାଟା ମେମୋରିଆଲ୍ ହସ୍ପିଟାଲ୍‌, ଟିଆଇଏଫ୍‌ଆର ଏବଂ ଏନ୍‌ସିପିଏ ଭଳି ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା।

୧୯୩୨ରେ ସାର୍ ଦୋରାବଜୀ ଟାଟାଙ୍କ ପରଲୋକ ଘଟିଥିଲା, କିନ୍ତୁ ସେ ଭାରତକୁ ସ୍ୱାଧୀନ ହେବା ପାଇଁ ଅଧିକ ସମର୍ଥ ଓ ପ୍ରସ୍ତୁତ କରିଯାଇଥିଲେ। ତାଙ୍କର ୧୬୭ତମ ଜୟନ୍ତୀ ଅବସରରେ, ଏହି ମହାନ ଜୀବନର ତ୍ୟାଗ ଓ ସେବାକୁ ମନେ ପକାଇବା ସମଗ୍ର ଦେଶ ପାଇଁ ଏକ ଗୌରବର ବିଷୟ।

Share

Leave a Reply

Your email address will not be published. Required fields are marked *

17 + 9 =