ବନ୍ଧୁକ ଦେଖାଇ ଲୁଟିନେଲେ
ରାୟଗଡ଼ା ସହରରେ ଚାଞ୍ଚଲ୍ୟ। ବନ୍ଧୁକ ଦେଖାଇ ପୂର୍ତ୍ତ ବିଭାଗ କର୍ମଚାରୀଙ୍କୁ ଲୁଟ୍। ଗୁରୁବାର ରାତିରେ ରାୟଗଡ଼ା ସହର ଫାୟାର ଷ୍ଟେସନ ନିକଟରେ ରହୁଥିବା ପୂର୍ତ୍ତ ବିଭାଗ କର୍ମଚାରୀ ବସନ୍ତ କୁମାର ମିଶ୍ରଙ୍କ ଘରେ ୪ ରୁ ୫ ଜଣ ଦୁର୍ବୃତ୍ତ ପଶିଥିଲେ। ବସନ୍ତଙ୍କୁ ମାରପିଟ୍ କରି ସୁନା ଗହଣା ସମେତ ବିଭିନ୍ନ ଆସବାବପତ୍ର ଲୁଟ୍ କରି ନେଇଥିଲେ। ଥାନାରେ ଅଭିଯୋଗ କଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ଖବର ପାଇ ରାୟଗଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ୪ ରୁ ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପୂର୍ତ୍ତ ବିଭାଗ କର୍ମଚାରୀ ବସନ୍ତ କୁମାର ମିଶ୍ରଙ୍କ ଘରେ ପଶିଥିଲେ। ବସନ୍ତଙ୍କ ହାତ ଗୋଡ଼ ବାନ୍ଧି ୬ ଘଣ୍ଟା ଧରି ମାରପିଟ୍ କରିଥିଲେ। ବସନ୍ତଙ୍କ ଘରୁ ସୁନା ସେନ୍, ମୁଦି ସମେତ ବିଭିନ୍ନ ଆସବାବପତ୍ର ଲୁଟି ନେଇଥିଲେ। ଗନ୍ ପଏଣ୍ଟରେ ଫୋନ୍ ପେ ଆକାଉଣ୍ଟରୁ ୧୧ ହଜାର ଟଙ୍କା ନେଇ ଯାଇଥିଲେ। ଏପରିକି ବ୍ୟାଙ୍କ ଆକାଉଣ୍ଟର ଟଙ୍କା ଉଠାଣ ଫର୍ମରେ ଜୋର ଜବରଦସ୍ତ ଦସ୍ତଖତ କରି ନେଇଥିଲେ। ଏନେଇ ପୁଲିସକୁ ଖବର ଦେଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହାପରେ ରାତି ପ୍ରାୟ ୪ଟା ବେଳେ ବାହାର ପଟୁ କବାଟ ବନ୍ଦ କରି ଚାଲି ଯାଇଥିଲେ। ସକାଳୁ ବସନ୍ତ ଘଣ୍ଟାଏ କାଳ ପାଟି କରିବା ପରେ ପାଖ ପଡୋଶୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ରାୟଗଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

