୭୮ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର
ଆଜି ୭୮ ବର୍ଷରେ ପାଦ ଥାପିଛି ଓଡ଼ିଶାର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ୱର । ଦିନେ ଘଞ୍ଚ ଜଙ୍ଗଲରେ ଭରି ରହିଥିବା ଏହି ଅଞ୍ଚଳ ଆଜି ଆଧୁନିକ କଂକ୍ରିଟ୍ ସହର ତଥା ଦେଶର ଅନ୍ୟତମ ପ୍ରତିଷ୍ଠିତ ‘ସ୍ମାର୍ଟ ସିଟି’ ଭାବେ ଉଭା ହୋଇଛି । ମନ୍ଦିର ମାଳିନୀ ସହରରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ଏହି ଯାତ୍ରା କେମିତି ଥିଲା ଜାଣନ୍ତୁ…
୭୮ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଘଞ୍ଚ ଜଙ୍ଗଲ ଭରା ଅଞ୍ଚଳରୁ ଗଢି ଉଠିଛି ଆଜିର ଏହି ବିଶାଳ କଂକ୍ରିଟ୍ ସହର । ରିକ୍ସାରୁ ଆରମ୍ଭ ହୋଇଥିବା ଯାତ୍ରା ଡବଲ୍ ଡେକର୍ ବସ୍ ପର୍ଯ୍ୟନ୍ତ ପହଞ୍ଚିଛି । ବିଗତ ୭୭ ବର୍ଷ ଭିତରେ ଭୁବନେଶ୍ୱର ଦେଖିଛି ଅଭିବୃଦ୍ଧିର ଅନେକ ରୂପ । ‘ଟେମ୍ପୁଲ ସିଟି’ର ସୁଦୀର୍ଘ ଯାତ୍ରାରେ ଆଜି ବଦଳିଛି ରାଜଧାନୀର ଚେହେରା ଆଉ ରୂପରେଖ । ଭିଡ଼, ସୁଉଚ୍ଚ ଅଟ୍ଟାଳିକା, ଚକାଚକ ରାସ୍ତା ଆଉ ବ୍ୟବସାୟିକ ପ୍ରତିଷ୍ଠାନ ଭିତରେ ଭୁବନେଶ୍ୱର ଆଜି ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି କରିଛି । ଭୁବନେଶ୍ୱର କେବଳ ଏକ ମାନଚିତ୍ର ନୁହେଁ, ଏହା ଏକ ଅନୁଭୂତି ।
ଇତିହାସର ପୃଷ୍ଠା ଓଲଟାଇଲେ ଜଣାପଡେ, ୩୦ ସେପ୍ଟେମ୍ବର ୧୯୪୬ ମସିହାରେ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାପରେ ୧୩ ଏପ୍ରିଲ ୧୯୪୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ମାତ୍ର ୫ଟି ଥାନା, କେଇଟା ଗାଁ ଏବଂ ୧୫ ହଜାର ଜନସଂଖ୍ୟାକୁ ନେଇ ଆରମ୍ଭ ହୋଇଥିବା ଏହି ସହରର କାୟାକଳ୍ପ ଆଜି ସମ୍ପୂର୍ଣ୍ଣ ବଦଳିଛି । ବର୍ତ୍ତମାନ ଏହାର ଜନସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିସାରିଲାଣି । ଆଜି ଏହା କେବଳ ଏକ ସହର ନୁହେଁ, ବରଂ କ୍ରୀଡ଼ା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ପ୍ରମୁଖ ହବ୍ ପାଲଟିଛି ।
ଏକ ଛୋଟିଆ ଚାରାରୁ ମହାଦ୍ରୁମ ଭଳି ପ୍ରାୟ ୮ ଦଶନ୍ଧିର ଯାତ୍ରାରେ ଭୁବନେଶ୍ୱର ଆଜି ଶିଖରରେ । ମନ୍ଦିର ମାଳିନୀରୁ ସ୍ମାର୍ଟ ସିଟି – ଏହି ବିକାଶର ଯାତ୍ରା ଅବିରତ ଜାରି ରହିଛି । ଆଉ ଏହି ସହରକୁ ଆଗକୁ ନେବାରେ ନେତା, ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

