ବଢ଼ିବନି ବିଧାୟକଙ୍କ ଦରମା
ବଢ଼ିବନି ବିଧାୟକଙ୍କ ଦରମା । ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ । ମନ୍ତ୍ରୀ, ବିଧାୟକ ଏବଂ ବାଚସ୍ପତିଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର କଲେ ରାଜ୍ୟ ସରକାର । ଗତ ବର୍ଷ ବିଲ୍ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ନୂଆ ବିଲ୍ ବିଧାନସଭାରେ ପାସ୍ ହେବା ପରେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ଓଡ଼ିଶାର ବିଧାୟକମାନଙ୍କୁ ମିଳିଥାନ୍ତା ୩ ଲକ୍ଷ ୪୫ ହଜାର ଟଙ୍କା ।
ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଦରମା ଓ ଅନ୍ୟ ଭତ୍ତା ମିଶାଇ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇଥାନ୍ତେ । କ୍ୟାବନେଟ୍ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ମୂଳ ଦରମା ସହିତ ଭତ୍ତାକୁ ମିଶାଇ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବାର ଥିଲା । ତିନି ଗୁଣା ବଢିଥିଲା ଦରମା । ଦେଶର ଅନ୍ୟ ବିଧାୟକଙ୍କ ତୁଳନାରେ ସବୁଠୁ ଅଧିକ ହୋଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେଲା । ଏହାପରେ ସବୁ ଦଳ ତରଫରୁ ବିଲକୁ ଫେରାଇ ନେବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଆଜି ସେହି ବିଲ୍ ପ୍ରତ୍ୟାହୃତ ହୋଇଛି ।

