ଖରା ଭିତରେ ବର୍ଷା
ରାଜ୍ୟରେ ଏବେଠାରୁ କଲବଲ କଲାଣି ଖରା । ଉପରମୁହାଁ ପାରଦ ଯୋଗୁଁ ସନ୍ତୁଳି ହେଉଛି ସାରା ଓଡ଼ିଶା । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ସ୍ଥିତିରେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଆସନ୍ତା ୪୮ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରାରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି ।
ସେପଟେ ୧୫ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆପଥର ବୃଷ୍ଟି ସମ୍ଭାବନା ରହିଛି । ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଦୁଇ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା । ସେଠାରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହେବା ସହ ହୀରାକୁଦ ୪୦.୨ ଡିଗ୍ରୀ, ସମ୍ବଲପୁର ୩୯.୯ ଡିଗ୍ରୀ, ରାଉରକେଲା ୩୮.୮ ଡିଗ୍ରୀ, ଭୁବନେଶ୍ବର ୩୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା ।

