ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ରବିବାର ସାଙ୍ଗକୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଭିଡ଼ ଏତେ ଥିଲା ଯେ ସିଂହଦ୍ୱାର ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଇନ ଲାଗିଥିଲା । ଭକ୍ତମାନେ ଦୀର୍ଘ ସମୟ ଧରି ଧାଡିରେ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ମରିଚିକୋଟ ଛକ ଠାରୁ ଗାଡି ମୋଟର ଯାତାୟାତ ବନ୍ଦ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ।
ସୂଚନାଯୋଗ୍ୟ, ନୀତି ବିଳମ୍ବ ଓ ବିଶୃଂଖଳ ଆଚରଣ ପାଇଁ ଜଣେ ଖୁଣ୍ଟିଆ ସେବକଙ୍କୁ ତିନି ମାସ ପାଇଁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟ ଦୁଇ ସେବକଙ୍କୁ ସର୍ତ୍ତସହ କ୍ଷମା ଦେଇ କଠୋର ସତର୍କବାଣୀ ଶୁଣାଇଲେ ମୁଖ୍ୟ ପ୍ରଶାସକ । ଗତ ଫେବୃଆରୀ ୨୮ ତାରିଖରେ କେତେକ ସେବକଙ୍କ ଅଶୋଭନୀୟ ଆଚରଣ ଓ କାର୍ଯ୍ୟକଳାପ ଯୋଗୁଁ ଶ୍ରୀମନ୍ଦିରର ନୀତି ପ୍ରାୟ ଚାରି ଘଣ୍ଟା ବିଳମ୍ବିତ ହୋଇଥିଲା । ଏହା ଫଳରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେବା ସହ ନିର୍ଦ୍ଦିଷ୍ଟ ସମୟରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ । ଘଟଣା ସମୟରେ କର୍ତ୍ତବ୍ୟରତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଏହି ଘଟଣାରେ ସଂପୃକ୍ତ ଛାମୁ ଖୁଣ୍ଟିଆ ସେବକ ରାମକୃଷ୍ଣ ଖୁଣ୍ଟିଆ ଏବଂ ଅନ୍ୟ ଦୁଇ ସେବକ ମାଧବ ଖୁଣ୍ଟିଆ (@ହାତୀ) ଓ ମଧୁସୂଦନ ଖୁଣ୍ଟିଆ * (@ଷଣ୍ଢି) ଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ କୈଫିୟତ ତଲବ କରିଥିଲେ ।
