ପ୍ରଥମ ବିଜୟ ଲକ୍ଷ୍ୟ ପନ୍ତ ବାହିନୀ
ଆଜି ଅପରାହ୍ଣରେ ଲକ୍ଷ୍ନୌ ଓ ହାଇଦ୍ରାବାଦ ପରସ୍ପରକୁ ସାମ୍ନା କରିବେ । ପ୍ରଥମ ମ୍ୟାଚରେ ଦିଲ୍ଲୀ ଠାରୁ ପରାଜିତ ହୋଇଥିବା ଲକ୍ଷ୍ନୌ ଯଥା ସମ୍ଭବ ବିଜୟ ଖାତା ଖୋଲିବା ପାଇଁ ତତ୍ପର । ଇଶାନ କିଷନଙ୍କ ନେତୃତ୍ୱରେ ହାଇଦ୍ରାବାଦ ପ୍ରଭାବୀ ପ୍ରଦର୍ଶନ କରୁଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଫଳରେ ଆଜି ଏହି ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଲାଗି ରହିବ । ପ୍ରଥମ ମ୍ୟାଚ୍ରେ ବ୍ୟାଟିଂ କ୍ରମରେ ଅଦଳ ବଦଳକୁ ନେଇ ଲକ୍ଷ୍ନୌ ପରାଜିତ ହୋଇଥିବା ମତ ପ୍ରକାଶ ପାଇଛି । ମାତ୍ର ଏଥିରେ ପ୍ରଭାବିତ ନ ହେବା ପାଇଁ କୋଚିଂ ଟିମ୍ ରିଷଭ ପନ୍ତଙ୍କୁ ପରାମର୍ଶ ଦେଇଛି ।
ପ୍ରଥମ ମ୍ୟାଚରେ ବେଙ୍ଗାଲୁରୁ ଠାରୁ ପରାଜିତ ହେବା ପରେ ହାଇଦ୍ରାବାଦ ଦଳ ଲୟକୁ ଫେରିଛି ଓ କୋଲକାତାକୁ ହରାଇ ମନୋବଳ ଦୃଢ କରିଛି । ଆଜି ଘରୋଇ ଗ୍ରାଉଣ୍ଡ୍ରେ ଖେଳୁଥିବାରୁ ହାଇଦ୍ରାବାଦର ପଲ୍ଲା ଭାରି ରହିବା ଆଶା କରାଯାଉଛି । ଆଜି ହାଇଦ୍ରାବାଦ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ଡେଭିଡ୍ ପେନଙ୍କ ସ୍ଥାନରେ ବ୍ରାଇଡନ କାର୍ସ ଏକାଦଶକୁ ଫେରି ପାରନ୍ତି । ମାତ୍ର ଏହା ପୂର୍ବରୁ ସେ ଫିଟ୍ନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରି । ଲକ୍ଷ୍ନୌ ଦଳରେ ପରିବର୍ତ୍ତନ ନିଶ୍ଚିତ । ପ୍ରଥମ ମ୍ୟାଚ ଖେଳି ନଥିବା ବିବାଦୀୟୂ ସ୍ପିନର ଦିଗବେଶ ରାଠି ଏକାଦଶକୁ ଫେରିବେ । ହାଇଦ୍ରାବାଦ ପିଚ୍ ବ୍ୟଟିଂ ପାଇଁ ଅନୁକୂଳ ରହିବ । ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

