ଆଜି LSG-GT ଟକ୍କର
ରିଷଭ ପନ୍ତଙ୍କ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ସାମ୍ନା କରିବ । ଉଭୟ ଦଳ ନିଜ ନିଜ ଶେଷ ମଧ୍ୟରେ ପରାଜୟ ଦ୍ୱାରରୁ ଫେରି ବିଜୟୀ ହୋଇଥିଲେ । ଗୁଜରାଟ ମାତ୍ର ୧ ରନ୍ରେ ଦିଲ୍ଲୀକୁ ହରାଇଥିଲା । ସେହପରି କୋଲକାତା ବିପକ୍ଷରେ ନବାଗତ ମୁକୁଲ ଚୌଧୁରୀ ଧୂଆଁଧାର ବ୍ୟାଟିଂ କରି ଲକ୍ଷ୍ନୌକୁ ବିଜୟ ସ୍ୱାଦ ଚଖାଇଥିଲେ ।
ଗୁଜରାଟ ୨ଟି ମ୍ୟାଚ ପରାଜିତ ହେବା ପରେ ଦିଲ୍ଲୀ ବିପକ୍ଷରେ ବିଜୟ ଖାତା ଖୋଲିଥିଲା । ଶୁଭମନ ଗିଲ ଉକ୍ତ ମ୍ୟାଚରେ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିବାର ସଂକେତ ଦେଇଥିଲେ । ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ପରବର୍ତ୍ତୀ ୨ଟି ମ୍ୟାଚ ଜିତିଛି । ମାତ୍ର ବ୍ୟାଟିଂ ବିଭାଗ ସଂଘର୍ଷ କରୁଛି । ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରି ନାହାନ୍ତି । ରିଷଭ ପନ୍ତ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ ହେଁ ସଠିକ୍ ଲୟରେ ନଥିବା ତାଙ୍କ ଖେଳରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।
ଉଭୟ ଦଳର ବୋଲିଂ ବିଭାଗ ବେଶ୍ ସୁଦୃଢ ରହିଛି । ଉଭୟ ଦଳ ଏକାଦଶରେ କୌଣସି ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ଗୁଜରାଟ ଜାସନ ହୋଲ୍ଡରଙ୍କୁ ଖେଳାଇବାକୁ ଯୋଜନା କରିପାରେ । ଗତ ଟି-ଟ୍ୱେଣ୍ଟି ବିଶ୍ୱକପରେ ସେ ୧୦ଟି ୱିକେଟ୍ ଅକ୍ତିଆର କରିଥିଲେ । ବ୍ୟାଟିଂ କରି ମଧ୍ୟ କିଛି ଉପଯୋଗୀ ଇନିଂସ ଖେଳିଥିଲେ । ଲକ୍ଷ୍ନୌ କେବଳ ପରିସ୍ଥିତି ଅନୁଯାୟୀ ଇମ୍ପାକ୍ଟ ଖେଳାଳିରେ ପରିବର୍ତ୍ତନ କରିପାରେ ।

