ପାକିସ୍ତାନରେ ବିସ୍ଫୋରଣ, ୫ ମୃତ
ପାକିସ୍ତାନର ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ବାରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦ ଜଣ ଆହତ ହୋଇଛନ୍ତି । ବିବାହ ଉତ୍ସବ ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।
ସୂଚନାନୁଯାୟୀ, ଗତକାଲି ରାତିରେ ଜଣେ କମିଟି ସଦସ୍ୟଙ୍କ ଘରେ ବିବାହ ଉତ୍ସବ ଚାଲିଥିବା ସମୟରେ ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଥିଲା । ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହ ଏହି ବିସ୍ଫୋରଣ ଯୋଗୁଁ କୋଠରୀର ଛାତ ଭୁଶୁଡି ପଡିଥିଲା । ଯାହା ଦ୍ବାରା ଭଗ୍ନାବଶେଷ ତଳେ ଲୋକ ଫସି ରହିଥିଲେ । ତେଣୁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡିଥିଲା । ବହୁ ଚେଷ୍ଟା କରିବା ପରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଅନ୍ୟପଟେ ଘଟଣା ବିଷୟରେ ସୂଚନା ପାଇବା ପରେ ସାତୋଟି ଆମ୍ବୁଲାନ୍ସ, ଗୋଟିଏ ଦମକଳ ଗାଡି ଏବଂ ଗୋଟିଏ ବିପର୍ଯ୍ୟୟ ସହାୟତା ଗାଡ଼ି ଘଟଣାସ୍ଥଳକୁ ପହଞ୍ଚିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କର୍ତ୍ତୃପକ୍ଷ ଅଞ୍ଚଳକୁ ଘେରାବନ୍ଦୀ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ଏହାକୁ ନିନ୍ଦା କରିଛନ୍ତି ।

