କାଲି ଦେଶବ୍ୟାପୀ ହେବ ଚକା ଜାମ୍!
୧୨ ଫେବୃଆରୀରେ ‘ଭାରତ ବନ୍ଦ’ । ଦେଶବ୍ୟାପୀ ହେବ ଚକା ଜାମ୍! । ଆସନ୍ତାକାଲି ଭାରତ ବନ୍ଦ ପାଇଁ କୃଷକ ଓ ଶ୍ରମିକ ସଂଘର ବଡ଼ ପ୍ରସ୍ତୁତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଏହି ବିକ୍ଷୋଭ ଯୋଗୁଁ ବ୍ୟାଙ୍କିଙ୍ଗ୍ ସେବା, ସାର୍ବଜନୀନ ପରିବହନ, ବସ୍, ଟ୍ରେନ୍, ସରକାରୀ ଅଫିସ୍, ସ୍କୁଲ-କଲେଜ ଏବଂ ବଜାର ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ଆୟୋଜକଙ୍କ ଅନୁସାରେ, ଏଥିରେ ପ୍ରାୟ ୩୦ କୋଟିରୁ ଅଧିକ ଶ୍ରମିକ ସାମିଲ ହେବେ । ଏହି ଧର୍ମଘଟର INTUC, AITUC, HMS, CITU ଭଳି ୧୦ଟି ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ନେତୃତ ନେଉଛନ୍ତି। ଏହା ସହିତ ସଂଯୁକ୍ତ କିଷାନ ମୋର୍ଚ୍ଚା, ଅଲ୍ ଇଣ୍ଡିଆ କିଷାନ ସଭା ଏବଂ ଭାରତୀୟ କିଷାନ ୟୁନିଅନ୍ ଭଳି ଚାଷୀ ସଂଗଠନଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି। ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ଏହି ବନ୍ଦରେ ସାମିଲ ହେବ। ଶ୍ରମିକ ଓ ଚାଷୀ ସଂଗଠନଗୁଡ଼ିକ ସରକାରଙ୍କ କିଛି ନୀତିକୁ ବିରୋଧ କରୁଛନ୍ତି। ସେମାନଙ୍କର କିଛି ମୁଖ୍ୟ ଦାବି ହେଲା, ଚାରୋଟି ଶ୍ରମ କୋଡ୍ ପ୍ରତ୍ୟାହାର । ଏହି ନିୟମ ଶ୍ରମିକଙ୍କ ଅଧିକାରକୁ ଦୁର୍ବଳ କରୁଥିବା ଅଭିଯୋଗ ହୋଇଛି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ବିରୋଧ ।
ଏହାଦ୍ୱାରା ବିଦେଶୀ ଚାଷ ସାମଗ୍ରୀ ଭାରତୀୟ ବଜାରରେ ମାଡ଼ିଯିବ ଏବଂ ଦେଶୀ ଚାଷୀ କ୍ଷତି ସହିବେ ବୋଲି ସେମାନେ ଯୁକ୍ତି କରୁଛନ୍ତି । MGNREGA (ମନରେଗା)ର ସୁରକ୍ଷା , ଗ୍ରାମୀଣ ରୋଜଗାର ଯୋଜନାରେ ପରିବର୍ତ୍ତନକୁ ବିରୋଧ । ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର, ସର୍ବନିମ୍ନ ମଜୁରୀ ବୃଦ୍ଧି, ଚାଷୀଙ୍କ ପାଇଁ MSP ର ଆଇନଗତ ଗ୍ୟାରେଣ୍ଟି ଏବଂ ଘରୋଇକରଣ ବନ୍ଦ କରିବା ଭଳି ଦାବି ରହିଛି । ବନ୍ଦ ଫଳରେ ବସ୍ ଓ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇପାରେ । ତେବେ ଡାକ୍ତରଖାନା ଓ ଜରୁରୀ ସେବା ଚାଲୁ ରହିବ । ବ୍ୟାଙ୍କଗୁଡ଼ିକ ବନ୍ଦ ରହିବା ଯୋଗୁଁ ଟଙ୍କା କାରବାର ବାଧାପ୍ରାପ୍ତ ହେବ । ପରିସ୍ଥିତି ଦେଖି ବିଭିନ୍ନ ସ୍ଥାନରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇପାରେ

