ଉତ୍ସବ ଋତୁରେ ଡିଜିଟାଲ୍ ପେମେଂଟ୍ର ସୁରକ୍ଷା ପାଇଁ ଏନ୍ପିସିଆଇର ୫ ପ୍ରମୁଖ ସୁରକ୍ଷା ଟିପ୍ସ
ଭୁବନେଶ୍ୱର: ଉତ୍ସବ ହେଉଛି ପର୍ବ ପାଳିବା, ଉପହାର ଦେବା ଏବଂ ଅଧିକ ସପିଂ କରିବାର ସମୟ। ଉଭୟ ଅନଲାଇନ୍ ଓ ଅଫ୍ଲାଇନ୍ ଚ୍ୟାନେଲ୍ରେ ଆକର୍ଷଣୀୟ ରିହାତି, ସୀମିତ ସମୟ ସେଲ୍ ଓ କ୍ୟାସବ୍ୟାକ୍ ଆଦି ପାଇଁ ଲୋକମାନେ ଶୀଘ୍ର କ୍ରୟ ନିଷ୍ପତି ଗ୍ରହଣ କରିଥାନ୍ତି। ଏହି ଉତ୍ସବ ଋତୁରେ ଠକମାନେ ଗ୍ରାହକମାନଙ୍କ ଆଚରଣକୁ ଅନୁକରଣ କରି ଏବଂ ସାମାଜିକ ଚଳନୀକୁ ବ୍ୟବହାର କରି ଠକାମି କରିବାକୁ ପ୍ରୟାସ କରିଥାନ୍ତି। ଏହି ଉତ୍ସବ ଋତୁରେ ଡିଜିଟାଲ୍ ପେମେଂଟ୍କୁ ସୁରକ୍ଷିତ ରଖିବା ପାଇଁ ଏଠାରେ ୫ଟି ପ୍ରମୁଖ ଟିପ୍ସ ପ୍ରଦାନ କରାଯାଇଛି:
-କେବଳ ଅଫିସିଆଲ୍ ଆପ୍ ଓ ୱେବସାଇଟ୍ରୁ କିଣାକିଣି କରନ୍ତୁ: ଉତ୍ସବ ଋତୁରେ ଠକାମି କରିବା ଲାଗି ଠକମାନେ ପ୍ରତିଷ୍ଠିତ ୱେବସାଇଟ୍ ଭଳି ଅବିକଳ ଦେଖାଯାଉଥିବା ୱେବସାଇଟ୍ ପ୍ରସ୍ତୁତ କରି ଲିଙ୍କ୍ ପଠାନ୍ତି। ତାହା ଜରିଆରେ ସେମାନେ ବ୍ୟକ୍ତିଗତ ତଥ୍ୟ ଓ ପେମେଂଟ୍ ବିବରଣୀ ଚୋରାଇ ନିଅନ୍ତି। ସେଥିପାଇଁ କେବଳ ଅଫିସିଆଲ ୱେବସାଇଟ୍ କିମ୍ବା ଆପ୍ରୁ କିଣାକିଣି କରନ୍ତୁ। ପ୍ରଚାରମୂଳକ ଇମେଲ, ଏସ୍ଏମଏସ୍ ଓ ଫରୱାର୍ଡ ହୋଇଥିବା ମେସେଜ୍ ଖୋଲିବାଠାରୁ ଦୂରେଇ ରୁହନ୍ତୁ। ଅଜଣା ଉତ୍ସରୁ ଆସିଥିବା ଫାଇଲ୍ ଡାଉନ୍ଲୋଡ୍ କରନ୍ତୁ ନାହିଁ କିମ୍ବା ଲିଙ୍କ ଖୋଲନ୍ତୁ ନାହିଁ, କାରଣ ତାହା ଆପଣଙ୍କ ପାଇଁ ହାନିକାରକ ହୋଇପାରିବେ।
-କେବଳ ପ୍ଲାଟଫର୍ମରେ ହିଁ ପେମେଂଟ୍ ସମ୍ପୂର୍ଣ୍ଣ କରନ୍ତୁ: କିଛି ଠକ ସପିଂ ଆପ୍ ବାହାରେ ବାହ୍ୟ ୟୁପିଆଇ ଆଇଡି କିମ୍ବା ଲିଙ୍କ୍ ଜରିଆରେ ପେମେଂଟ୍ କରିବାକୁ ପ୍ରବର୍ତାଇଥାନ୍ତି। ତେଣୁ ସବୁ ବେଳେ ଅଫିସିଆଲ ୱେବସାଇଟ୍ କିମ୍ବା ଆପ୍ ଭିତରେ ହିଁ ପେମେଂଟ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।
-ମାଗଣା ଭାଉଚର ଓ କ୍ୟାସବ୍ୟାକ୍ ପ୍ରତିଶ୍ରୁତି ପ୍ରତି ସାବଧାନ ରୁହନ୍ତୁ: ରିୱାର୍ଡ, କ୍ୟାସବ୍ୟାକ୍ କିମ୍ବା ଉତ୍ସବ ସମୟ ଉପହାର ପ୍ରତିଶ୍ରୁତି ଥିବା ମେସେଜ୍ ଜରିଆରେ ଠକମାନେ ଓଟିପି, ଖାତା ବିବରଣୀ ଓ ଛୋଟମୋଟ ଫି’ ମାଗନ୍ତି। ଅସଲି ଅଫରରେ ଏଭଳି ବିବରଣୀର କୌଣସି ଆବଶ୍ୟକତା ନଥାଏ। ତେଣୁ ଆଗକୁ ବଢ଼ିବା ପୂର୍ବରୁ ଥରେ ସତ୍ୟତା ଯାଂଚ କରନ୍ତୁ।
-ଅବାଂଛିତ ଓଟିପି ଅନୁରୋଧକୁ ଚେତାବନୀ ଭାବନ୍ତୁ: କେତେକ ମେସେଜ୍ରେ ପେମେଂଟ୍ ବିଫଳ ହୋଇଥାଏ କିମ୍ବା ଆକାଉଂଟ୍ ବ୍ଲକ୍ ହୋଇଥିବା ଲେଖାଯାଇଥାଏ ଓ ସେମାନେ ସମସ୍ୟା ସମାଧାନ କରିବାକୁ ଓଟିପି ମାଗନ୍ତି। ଓଟିପିକୁ କେବଳ ବ୍ୟବହାରକାରୀମାନେ ଉପଯୋଗ କରିବା ପାଇଁ ଦିଆଯାଇଥାଏ। ବ୍ୟାଙ୍କ କିମ୍ବା ପେମେଂଟ୍ ଆପ୍ଗୁଡ଼ିକ ତାହାକୁ କେବେବି କଲ୍ କିମ୍ବା ମେସେଜ୍ ଜରିଆରେ ମାଗନ୍ତି ନାହିଁ।
-ଚାପରେ ରହି କାମ କରନ୍ତୁ ନାହିଁ: ଅଫର ଶୀଘ୍ର ଶେଷ ହୋଇଯିବ କିମ୍ବା ଶୀଘ୍ର ଯାହା କହୁଛୁ ନ କଲେ ଆକାଉଂଟ୍ ବ୍ଲକ୍ ହୋଇଯିବ କହି ଠକମାନେ ତରବର କରିବାକୁ ପ୍ରୟାସ କରନ୍ତି। ଅସଲି ସଂସ୍ଥାଗୁଡ଼ିକ କେବେବି ଏଭଳି ମେସେଜ୍ ଦେଇ ଭୟଭୀତ କରାନ୍ତି ନାହିଁ। ତେଣୁ ଆଗକୁ ବଢ଼ିବା ପୂର୍ବରୁ ଥରେ ତାହାର ଯାଂଚ କରନ୍ତୁ।
ସୁରକ୍ଷିତ କାରବାର ଅନୁଭୂତି ହାସଲ କରିବା ପାଇଁ ବ୍ୟବହାରକାରୀମାନଙ୍କୁ “ରହିଯିବା, ଭାବିବା ଓ ପଦକ୍ଷେପ ନେବା’ ନୀତି ଗ୍ରହଣ କରିବା ଦରକାର। ଏହା ଜରିଆରେ ବ୍ୟବହାରକାରୀମାନେ ସୁରକ୍ଷିତ କାରବାର କରିପାରିବେ ଏବଂ ନିଜ ସମ୍ବେଦନଶୀଳ ସୂଚନାକୁ ସୁରକ୍ଷା ଦେଇ ଏକ ସୁରକ୍ଷିତ ଅନୁଭୂତି ଉପଯୋଗ କରିପାରିବେ।

