ଶିକ୍ଷା

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିସ୍ଥାପିତ ପରିବାରର ୧୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ଟାଟା ପରିବାର ବୃତ୍ତି’ ପ୍ରଦାନ

-୨୦୦୭ରୁ ଏପର୍ଯ୍ୟନ୍ତ ୨୨୩ ଜଣ ଛାତ୍ରଛାତ୍ରୀ ଉପକୃତ

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିସ୍ଥାପିତ ପରିବାରର ୧୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୨୫-୨୬ ଆର୍ଥୀକ ବର୍ଷ ପାଇଁ ସମ୍ମାନଜନକ ‘ଟାଟା ପରିବାର ବୃତ୍ତି’ ପ୍ରଦାନ କରାଯାଇଛି। ମଙ୍ଗଳବାର ଯାଜପୁର ଜିଲ୍ଲା ଡୁବୁରୀସ୍ଥିତ କାରଖାନା ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ବୃତ୍ତି ପ୍ରଦାନ କରାଯାଇଛି।

ଟାଟା ଷ୍ଟିଲ୍ କଳିଙ୍ଗନଗରର ଅପରେସନ୍ସ ଭାଇସ୍ ପ୍ରେସିଡେଣ୍ଟ ଉତ୍ତମ ସିଂ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗର ୱାର୍କର୍ସ ୟୁନିୟନ ସଭାପତି ରବୀନ୍ଦ୍ର କୁମାର ଜାମୁଦା ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍‌ର ଚିଫ୍ (ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ) ପଙ୍କଜ ହରିଶ୍ଚନ୍ଦ୍ର ଭୂରେ, ଚିଫ୍ (ମେକାନିକାଲ ମେଣ୍ଟେନାନ୍ସ) ଶଙ୍କର ବିଶ୍ୱାସ, ଚିଫ୍ (କର୍ପୋରେଟ୍ ସର୍ଭିସେସ) ଦେବଦୂତ ମହାନ୍ତିଙ୍କ ସମେତ ଟାଟା ଷ୍ଟିଲ ଅଧିକାରୀ, ୟୁନିୟନ ପଦାଧିକାରୀ, ଅନ୍ୟ ପ୍ରମୁଖ ବିସ୍ଥାପିତ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀଯୁକ୍ତ ସିଂ କହିଛନ୍ତି ଯେ, “ଟାଟା ଷ୍ଟିଲ୍ ସର୍ବଦା ସମୁଦାୟର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦେଇଥାଏ। ଟାଟା ପରିବାର ବୃତ୍ତି କେବଳ ଏକ ଆର୍ଥୀକ ସହାୟତା ନୁହେଁ, ବରଂ ଶିକ୍ଷା ମାଧ୍ୟମରେ ବିସ୍ଥାପିତ ପରିବାରର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଆମର ଏକ ପ୍ରୟାସ। ଯୁବପିଢ଼ିଙ୍କ ପାଇଁ ପୁଞ୍ଜି ବିନିଯୋଗ କରି ଆମେ ସ୍ଥାନୀୟ ଜନସାଧାରଣଙ୍କ ଭବିଷ୍ୟତ ଗଢିବା ପାଇଁ ଉଦ୍ୟମ ଜାରିରଖିଛୁ । ସମସ୍ତ ଛାତ୍ରଛାତ୍ରୀ ଜୀବନରେ ଅନେକ ସଫଳତା ହାସଲ କରନ୍ତୁ ଓ ନିଜ ପରିବାର ଏବଂ ରାଜ୍ୟ ପାଇଁ ଗୌରବ ଆଣନ୍ତୁ ବୋଲି କାମନା କରୁଛି।”

ଚଳିତ ବର୍ଷ ବୃତ୍ତି ପାଇଥିବା ୧୬ ଜଣଙ୍କ ମଧ୍ୟରୁ ୪ ଜଣ ନୂତନ ଛାତ୍ରଛାତ୍ରୀ। ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣ ଇଞ୍ଜିନିୟରିଂ (ବିଟେକ୍‌) ଏବଂ ୧୩ ଜଣ ବିଭିନ୍ନ ବିଭାଗରେ ଡିପ୍ଲୋମା ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରୁଛନ୍ତି। କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଅବଧି ପାଇଁ ଟ୍ୟୁସନ ଫି, ଆଡମିଶନ ଫି ଏବଂ ହଷ୍ଟେଲ ଖର୍ଚ୍ଚ ବହନ କରାଯିବ।

୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏର୍ଯ୍ୟନ୍ତ ମୋଟ ୨୨୩ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସରକାରୀ ପୁନର୍ବାସ ଓ ଥଇଥାନ ନୀତିରୁ ଊର୍ଦ୍ଧ୍ୱକୁ ଯାଇ ଟାଟା ଷ୍ଟିଲ୍ ସ୍ୱତନ୍ତ୍ର ଭାବେ ଏହି ବୃତ୍ତି ପ୍ରଦାନ କରୁଛି। ବିଶେଷ କରି ବିଟେକ୍‌, ଏମବିବିଏସ୍‌, ଏମବିଏ ଏବଂ ଡିପ୍ଲୋମା ଭଳି ବୈଷୟିକ ତଥା ବୃତ୍ତିଗତ ଶିକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବିସ୍ଥାପିତ ପରିବାରର ପିଲାମାନଙ୍କୁ ଏହି ସୁଯୋଗ ଦିଆଯାଉଛି।

Share

Leave a Reply

Your email address will not be published. Required fields are marked *

eighteen + 9 =