ବିଶ୍ବବିଦ୍ୟାଳୟରେ ଗବେଷଣା ପାଇଁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର () ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ରାଜ୍ୟରେ ଗବେଷଣା ସଂସ୍କୃତିକୁ ବ୍ୟାପକ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଗବେଷଣା ଉଚ୍ଚଶିକ୍ଷାର ମାନଦଣ୍ଡ ଭାବରେ ପରିଗଣିତ ହେଉଥିବାବେଳେ ଏହି ଅଭିନବ ଯୋଜନା ରାଜ୍ୟର ଯୁବକଯୁବତୀମାନଙ୍କୁ ଅଧିକ ଦକ୍ଷ କରି ଗଢ଼ିତୋଳିବା ସହିତ ନୂତନ ସହସ୍ରାବ୍ଦୀରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଗଣଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ ପୁସ୍ତକ ଭବନଠାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହିତ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଏହି ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକଅଧ୍ୟାପିକାମାନଙ୍କୁ ଗବେଷଣା ନିମନ୍ତେ ଦୁଇବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ୍‌ ଫଣ୍ଡ ପ୍ରଦାନ, ଏନ୍‌ଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି କାର୍ଯ୍ୟକ୍ରମ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍‌ ୪ ବର୍ଷ ନିମନ୍ତେ ପ୍ରଦାନ ଏବଂ ସନ୍ଦର୍ଭ ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି ।

ସିଡ୍‌ ଫଣ୍ଡ ନିମନ୍ତେ ଯୁବ ଅଧ୍ୟାପକଅଧ୍ୟାପିକାମାନଙ୍କ ବୟସ ସୀମା ୪୫ ବର୍ଷ ରଖାଯାଇଥିବାବେଳେ ଫେଲୋସିପ୍‌ ନିମନ୍ତେ ବୟସ ସୀମା ୩୫ ବର୍ଷ ରଖାଯାଇଛି । ଗତବର୍ଷ ଏହି ବୟସସୀମା ଯଥାକ୍ରମେ ୪୦ ଓ ୩୦ ବର୍ଷ ଥିବାବେଳେ ୨୦୨୦ ବର୍ଷ ନିମନ୍ତେ ଏହାକୁ ୫ ବର୍ଷ ବୃଦ୍ଧି କରାଯାଇଛି । ଏଥିରେ ମହିଳାମାନଙ୍କ ନିମନ୍ତେ ୪୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ୩୫ ବିଷୟରେ ଏହି ଫେଲୋସିପ୍‌ ପ୍ରଦାନ କରାଯାଉଛି ।
ଏହି ଯୋଜନା ୨୦୧୯ ମସିହାରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ୨୦୧୯ ମସିହାରେ ୧୩ଟି ରାଜ୍ୟ ଜୁନିଅର ରିସର୍ଚ୍ଚ ଫେଲୋ ଏବଂ ୪୦ଟି ସିଡ୍‌ ଫଣ୍ଡ ଅନୁଦାନ ପ୍ରଦାନ କରାଯାଇଥିଲା । ବିଜ୍ଞାନ, ଇଂଜିନିୟରିଂ, କଳା, ଭାଷା, ସାହିତ୍ୟ, ସାମାଜିକ ବିଜ୍ଞାନ ଆଦି କ୍ଷେତ୍ରରେ ଏହି ଅନୁଦାନ ପ୍ରଦାନ କରାଯାଇଥିଲା । ୨୦୨୦ ବର୍ଷର ଅନୁଦାନ ଚୟନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଏଥିପାଇଁ ଡିସେମ୍ବର ୨୦୨୦ରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିରେ ୧୬୬ଟି ଆବେଦନ ପତ୍ର ମିଳିଥିବା ବେଳେ ୧୩ଟି ଆବେଦନ ଅନୁପଯୁକ୍ତ ଥିବାରୁ ଖାରଜ ହୋଇଯାଇଥିଲା । ୧୫୩ଟି ପ୍ରସ୍ତାବକୁ ଅଭିଜ୍ଞ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା ସମୀକ୍ଷା କରାଯାଇଥିଲା । ଏଥିରୁ ବଛା ଯାଇଥିବା ୧୦୬ଟି ପ୍ରସ୍ତାବ ଚୟନ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବ । ଏହି ଉପସ୍ଥାପନ କାର୍ଯ୍ୟକ୍ରମ ମାର୍ଚ୍ଚ ୧୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥି ମଧ୍ୟରୁ ସିଡ୍‌ ଫଣ୍ଡ ଅନୁଦାନ ନିମନ୍ତେ ୪୦ଟି ପ୍ରସ୍ତାବକୁ ଚୟନ କରାଯିବ । ଏହି ଯୋଜନା ରାଜ୍ୟରେ ଗବେଷଣା ନିମନ୍ତେ ଏକ ନୂତନ ବାତାବରଣ ସୃଷ୍ଟି କରିଥିବାବେଳେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଉତ୍ତୀର୍ଣ୍ଣ ହୋଇ ଦେଶବିଦେଶରେ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅନେକ ପୁରାତନ ଛାତ୍ରଛାତ୍ରୀ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା ଦିଗରେ ସହଯୋଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଏହି ଅବସରରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଯୋଜନାର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବରେ ଆଲୋଚନା କରିବା ସହିତ ଏହା ଦ୍ୱାରା ରାଜ୍ୟର ଯୁବ ଗବେଷକମାନେ ବହୁଳ ଭାବେ ଉପକୃତ ହେବେ ବୋଲି କହିଥିଲେ ।

Share

Leave a Reply

Your email address will not be published. Required fields are marked *

sixteen + 1 =