ସ୍ମାର୍ଟ ସିଟିର ସ୍ମାର୍ଟ ଦୃଶ୍ୟ

ଭୁବନେଶ୍ୱର () ରାଜଧାନୀର ରାଜରାସ୍ତାରେ କୃତ୍ରିମ ବନ୍ୟାରେ ଭାଷିଲା ଚାରିଚକିଆ ଜାନ ଆଉ ଏ ଦୃଶ୍ୟକୁ ଉପଭୋଗ କଲେ କିଛି ରାଜଧାନୀ ବାସିନ୍ଦା । କେବଳ ଏତିକି ନୁହେଁ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଗୋଷ୍ଠି ବିଜ୍ଞାନ ମହାବିଦ୍ୟାଳୟ ଭିତରକୁ ପଶିଲା ବନ୍ୟା ପାଣି । ଏହା ହେଉଛି ସ୍ମାର୍ଟସିଟି ଭୁବନେଶ୍ୱରର ସ୍ମାର୍ଟ ଦୃଶ୍ୟ ।
ଭୁବନେଶ୍ୱରକୁ ସ୍ମାର୍ଟ ସିଟିରେ ପରିଣତ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଦୈନିକ ମୁଖ୍ୟ ରାସ୍ତାଗୁଡିକ ଖୋଳା ହେଉଛି, ନୂଆ ତିଆରି ହେଉଛି । ତିଆରି ହେବାର ବର୍ଷକ ମଧ୍ୟରେ ଡ୍ରେନ ଭଙ୍ଗି ନୂଆ ବଡ ବଡ ଡ୍ରେନ ତିଆରି ହେଉଛି । ୫ ଫୁଟିଆ ଟ୍ରେନ ତିଆରିର ବର୍ଷକ ପୂରୁନି, ପୁଣି ଥରେ ଖୋଳାଯାଇ ବିଦ୍ୟୁତ କେବୁଲ ବିଛାଯାଉଛି । କେତେବେଳେ ଡ୍ରେନ ଉପରେ କଂକ୍ରିଟ ସ୍ଲାବ ପଡୁଛି ତ କେତେବେଳେ କଂକ୍ରିଟ ଉପରେ ପଡୁଛି ଟାଇଲ । ଏମିତି ଗତ୪-୫ ବର୍ଷ ହେଲା ରାଜଧାନୀ ଭୁବନେଶ୍ୱରରେ ଚାଲିଛି ନିର୍ମାଣ କାମ । କାମ ସରୁନି ।
ହେଲେ ରାଜଧାନୀର ମୁଖ୍ୟ ସମସ୍ୟା ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁନି । ସ୍ମାର୍ଟ ସିଟି ହେବା ପୂର୍ବରୁ ଯେଉଁ ବର୍ଷା ଜଳ ନିଷ୍କାସନ ସମସ୍ୟା ଥିଲା । ଆଜି ବି ସେଇ ସମସ୍ୟା ରହିଛି । ଇସ୍କନ ମନ୍ଦିର ସମ୍ମୁଖ ଜାତୀୟ ରାଜପଥ ହେଉ କି ଜୟଦେବ ବିହାର ଫ୍ଲାଏଓଭର ତଳ, ବାଣିବିହାର ଛକ ହେଉ କି ଗଙ୍ଗନଗର ଅଂଚଳ । ସବୁଠି ବର୍ଷ ବର୍ଷ ଧରି ଏହି ବର୍ଷା ଜଳ ନିଷ୍କାସନ ସମସ୍ୟା ରହିଛି । ସ୍ଥିତି ଯଥା ପୂବଂ ତଥା ପରଂ । ଅର୍ଥାତ ସ୍ମାର୍ଟ ସିଟି ନାଁରେ ରାସ୍ତାଘାଟ ଉନ୍ନତି, ଡ୍ରେନେଜ ଓ ସ୍ୱେରେଜ ସିଷ୍ଟମର ସୁଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ସ୍ଥିତିରେ ସୁଧାର ଆସିନି ।
ଆଜି ମଧ୍ୟ ରାଜଧାନୀବାସୀ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ମଧ୍ୟାହ୍ନ ସାଢେ ଗୋଟାଏରେ ଭଲ ଦିଅସରା ବର୍ଷ ହେଲା । ପ୍ରାୟ ଦେଢ ଘଣ୍ଟା ଧରି ପ୍ରବଳ ବର୍ଷା । ଆଉ ଏତିକିରେ ଇସ୍କନ ମନ୍ଦିର ରାସ୍ତାରେ ତିଆରି ହୋଇଗଲା କୃତ୍ରିମ ନଦୀ । ଅଣ୍ଟାଏ ଅଣ୍ଟାଏ ପାଣିରେ ଭରିଗଲା ରାସ୍ତା । ଚାରି ଚକିଆ ଯାନଗୁଡିକ ଭାସିବା ଆରମ୍ଭ ହେଲା । ଫଳରେ ଗାଡି ଚାଳକ ଗାଡିରୁ ବାହାରିପଡି ଅଣ୍ଟାଏ ପାଣିରେ ଗାଡିକୁ ଜଗି ଛିଡା ହେଲେ । କିଏ କିଏ ଇସ୍କନ ମନ୍ଦିର ଭିତରକୁ ପଶିଗଲେ । ସିଆରପି ଛକରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ରାସ୍ତାରେ ଗାଡିମଟର ଚଳାଚଳ ବନ୍ଦ ହୋଇଗଲା । ଆଉ ଏ ଦୃଶ୍ୟକୁ ଓଭରବ୍ରିଜ ଉପରୁ ଉପଭୋଗ କଲେ କିଛି ଯାତ୍ରୀ । ଫଟୋ ଓ ଭିଡିଓ ଉତ୍ତୋଳନ କଲେ, ଆଉ ସେହି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାର ଏ ସମସ୍ୟା ଆଜିର ନୁହେଁ । ପ୍ରାୟ ୧୦ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି । କିନ୍ତୁ ସମାଧାନ ହୋଇପାରୁନି । ଏହା ବୋଧହୁଏ ଆମ ସ୍ମାର୍ଟ ସିଟିର ସ୍ମାର୍ଟ ନେସ୍ ।
ତେବେ ଏଭଳି ସମସ୍ୟା କେବଳ ଏହି ଗୋଟିଏ ରାସ୍ତାରେ ଦେଖାଦେଇନି । ଜୟଦେବ ବିହାର, ବାଣିବିହାର ଓ ଗଙ୍ଗନଗର ଅଂଚଳରେ ବି ସମାନ ସ୍ଥିତି । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଗୋଷ୍ଠି ବିଜ୍ଞାନ ମହାବିଦ୍ୟାଳୟ ଭିତରକୁ ବି କୃତ୍ରିମ ବନ୍ୟା ପାଣି ପଶିଯାଇଛି । ଫଳରେ ପାଠପଢା ଅଧାରୁ ବନ୍ଦ ହୋଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

5 × 3 =