ସ୍କୁଲ କଲେଜ ଖୋଲିବା ପୂର୍ବର ଛାତି ଧଡ଼ ଧଡ଼

ଭୁବନେଶ୍ୱର : ସୋମବାରରୁ ସ୍କୁଲ କଲେଜ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲା ଶ୍ରେଣୀରେ ଯାଇ ପାଠ ପଢିବାକୁ ସରକାର କହିଛନ୍ତି । ଅବଶ୍ୟ ଯିଏ ନଯିବ ସିଏ ଘରେ ପୂର୍ବଭଳି ଅନ୍‌ଲାଇନରେ ପଢିବ ବୋଲି କୁହାଯାଇଛି । ତେବେ ସ୍କୁଲ କଲେଜ ଖୋଲିବା କଥା ଶୁଣି ପିଲଙ୍କ ଗୋଡ ତଳେ ଲାଗୁନଥିବାବେଳେ ଅଭିଭାବକଙ୍କ ଠାରୁ ମାଷ୍ଟରଙ୍କ ଯାଏ କିନ୍ତୁ ସମସ୍ତଙ୍କର ଛାତି ଧଡ ଧଡ ହେଉଛି ।

ସ୍କୁଲ କଲେଜ ଛାଡିବାକୁ ବାପ ମା’ ମାନେ ସାହସ କୁଳାଇ ପାରୁନାହାନ୍ତି । ଖାସକରି ରାଜଧାନୀରେ ଅଭିଭାବକମାନେ ବଡ ଚିନ୍ତାରେ । କାରଣ ଏଠାରେ କରୋନା କମିବାର ନାଁ ଧରୁନି । ବିଏମସି କମିଶନର କହି ସାରିଲେଣି କରୋନା ଏଠାରେ ପ୍ଲାଟୁ ସ୍ଥିତିରେ ରହିଗଲାଣି । ବିଶେଷଜ୍ଞମାନେ ବି ସେଇଆ କହୁଛନ୍ତି । କିଭଳି କମିବ କାହା ପାଖରେ କିଛି ଉତ୍ତର ନାହିଁ । କଟକ ସମେତ ଉପକଳ ବିଶେଷକରି ସରକାରଙ୍କ ବି ଗ୍ରେଡ ତାଲିକାଭୁକ୍ତ ଜିଲ୍ଲାରେ ଉଣାଅଧିକେ ସମାନ ଅବସ୍ଥା । ତେଣୁ ଏସବୁ ସ୍ଥାନରେ ଲୋକଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ମନା କରାଯାଉଛି ।

ଲୋକେ ଯେତେବେଳେ ଘରୁ ବାହାରିବେ ନାହିଁ ସେତେବେଳେ ପିଲାଙ୍କୁ କିଭଳି ଛାଡିଦେବେ ବୋଲି ପ୍ରଶ୍ନ କରୁଛନ୍ତି । ତେଣେ ପୁଣି ସ୍କୁଲ କଲେଜ କତ୍ତୃପକ୍ଷ ଅଣ୍ଡରଟେକିଂ ମାଗିଲେଣି । ବାପ ମା’ ଲେଖିକି ଦେବେ ସେମାନେ ସ୍ୱଇଚ୍ଛାରେ ପିଲାଙ୍କୁ ଛାଡୁଛନ୍ତି । ତେବେ ଯାଇ ପିଲାଏ ଶ୍ରେଣୀରେ ବସିବେ । ଏଭଳି ସ୍ଥିତିରେ ବାପ ମା’ ମାନେ ବଡ ଚିନ୍ତାରେ ପଡିଛନ୍ତି । ସେହିଭଳି ଅବସ୍ଥା ମାଷ୍ଟରଙ୍କର । ସେମାନେ ବି ସହଜରେ ପିଲାଙ୍କ ମେଳରେ ବସିବାକୁ ନାରାଜ । କାରଣ କେତେବେଳେ କରୋନା ବାହା ବାଟ ଦେଇ ସେମାନଙ୍କ ପାଖକୁ ଚାଲିଯିବ ସେଇ ଚିନ୍ତା ଘାରିଛି । ତେଣୁ ସେମାନେ ବି ଚାହୁଁଛନ୍ତି ଯେମିତି ଅନଲାଇନ ଚାଲିଥିଲା ଆଉ କିଛିଦିନ ସେମିତି ଚାଲୁ । ତେବେ ସରକାରଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ବାଧ୍ୟ ବାଧ୍ୟକତାରେ ଆସିବେ ।

ଅନ୍ୟ ପକ୍ଷରେ ସ୍କୁଲ କଲେଜ ଶ୍ରେଣୀଗୃହ କିଭଳି ସାନିଟାଇଜ ହେବ ଓ କେତେ ଦିନରେ ଥରେ ହେବ ସେଥିନେଇ କୌଣସି ବ୍ୟବସ୍ଥା ନାହିଁ । ସରକାର ଘୋଷଣା ଓ ଗାଇଡଲାଇନ ଜାରି କରିଦେଇ ବସିଛନ୍ତି । ପିଲାଏ ବିଦ୍ୟାଳୟ ଆସିବାକୁ ସଜବାଜ ହେଲେଣି । ମାଷ୍ଟର ଡରି ଡରି ଗୋଡ କାଢିବାକୁ ସ୍ଥିର କରିଛନ୍ତି । ଏତେଣ ବାପ ମା’ ଚିନ୍ତାରେ ଥିବାବେଳେ କେବଳ ମାସ୍କ ଭରସାରେ ପିଲାଏ ଆସିବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି । ସାଇକେଲ ଷ୍ଟାଣ୍ଡ ଠାରୁ ଶ୍ରେଣୀ ଗୃହ ପର୍ଯ୍ୟନ୍ତ କିଭଳି ସାମାଜିକ ଦୂରତା ରହିବ ସେହି ଚିନ୍ତା ଏବେ କଲେଜ କର୍ତ୍ତୁପକ୍ଷଙ୍କ ଘାରିଛି ।

ଏଣେ ଅଗଷ୍ଟ ଶେଷ ସପ୍ତାହାରେ ତୃତୀୟ ଲହର ଆସିବ ବୋଲି ଗଣମାଧ୍ୟମ ବାରମ୍ବାର ଘୋଷଣା କରିବାରେ ଲାଗିଛି । ଯଦି ଏହି ଆକଳନ ସତ୍ୟ ହେବ ତେବେ ପିଲାମାନେ ଶ୍ରେଣୀରେ କେତେ ଦିନ ବସିବେ ଓ କିଭଳି ପଢିବେ ସେହି ଚିନ୍ତାରେ ଅଛନ୍ତି । ପରୀକ୍ଷା ହେବ କି ନାହିଁ ସେ ନେଇ ଏବେ ଆଲୋଚନା ହୋଇନାହିଁ । ସିଏ ଯାହା ହେଲେ ବି ରାଜଧାନୀ ଭୁବନେଶ୍ୱର ଓ କଟକଣରେ ଯେଭଳି କରୋନା ସ୍ଥିର ଅବସ୍ଥାରେ ରହିଛି ଓ ଦୈନିକ ସଂକ୍ରମଣରେ ବ୍ରେକ୍ ଲାଗୁନି ସେଭଳି ସ୍ଥିତିରେ ସ୍କୁଲ କଲେଜ ଖୋଲି ବାହାବା ନେବାକୁ ଅନେକ ପସନ୍ଦ କରୁନାହାନ୍ତି । ଯଦି ସ୍କୁଲ କଲେଜ ଖୋଲିବାପରେ ସଂକ୍ରମଣ ବଢିଲା ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅନେକ ପ୍ରଶ୍ନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

three × one =